ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି ନିଧି

କୌଣସି କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ଧୀରେ ସୁସ୍ଥେ ପରିସ୍ଥିତି ସହ ଖାପ ଖାଇବା ହିଁ ବୁଦ୍ଧିମାନର କାମ। ଏ ପରିପ୍ରେକ୍ଷୀରେ ଦକ୍ଷିଣୀ ଅଭିନେତ୍ରୀ ନିଧି ଅଗ୍ରୱାଲଙ୍କ ଉଦ୍ୟମ ସ୍ବାଗତଯୋଗ୍ୟ। ପାଞ୍ଚ ବର୍ଷର ଅଭିନୟ ଜୀବନ ଭିତରେ ଆଠଟି ଚଳଚ୍ଚିତ୍ର ଓ ତିନିଟି ସଂଗୀତ ଭିଡିଓରେ ଅଭିନୟ କରିଥିବା ନିଧି ନିଜର ଏଇ ସ୍ବଳ୍ପତା ପାଇଁ ଆଦୌ ବିବ୍ରତ ନୁହଁନ୍ତି। ବରଂ ଦର୍ଶକଙ୍କ ଚାହିଦା ଅନୁଯାୟୀ ଧୀରେ ଧୀରେ ସିନେମା ଜଗତ୍‌ରେ ନିଜର ଉପସ୍ଥିତି ଜାହିର କରିବାରେ ସେ ସନ୍ତୁଷ୍ଟ ଅଛନ୍ତି। ଫଳସ୍ବରୂପ, ଗତବର୍ଷ ତାଙ୍କ ଅଭିନୀତ ଦୁଇଟି ତାମିଲ ଫିଲ୍ମ (‘ଈଶ୍ବରମ୍‌’ ଓ ‘ଭୂମି’) ଆଶାତୀତ ଲୋକପ୍ରିୟତା ଆଣିଦେଇଥିବା ବେ​ଳେ ଚଳିତବର୍ଷ ଗୋଟିଏ ତେଲୁଗୁ ସିନେମା (ହିରୋ)ରେ ସେ ଦର୍ଶକମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ଆଗକୁ ମୁକ୍ତି ଅପେକ୍ଷାରେ ଥିବା ତାମିଲ ଫିଲ୍ମ ‘କଲଗ ତଲୈବନ’ ପାଇଁ ସେ ଖୁବ୍‌ ଉତ୍ସାହିତ ଥିବା ଜଣାପଡୁଛନ୍ତି।

ହାଇଦ୍ରାବାଦରେ ଏକ ହିନ୍ଦୀଭାଷୀ ମାରୱାଡ଼ି ପରିବାରରେ ୧୯୯୩ ଅଗଷ୍ଟ ୧୭ରେ ଜନ୍ମିତା ନିଧି ହିନ୍ଦୀ ସମେତ ତେଲୁଗୁ ଓ ତାମିଲ ଭାଷା ମଧ୍ୟ କହିବା, ବୁଝିବା ଓ ଲେଖିବାରେ ପାରଙ୍ଗମ। ବାଲେ, କଥକ ଓ ଉଦର ନୃତ୍ୟର ତାଲିମପ୍ରାପ୍ତା ନୃତ୍ୟାଙ୍ଗନା ନିଧି ସିନେ ଜଗତ୍‌ରେ ନିଜକୁ ଆବିଷ୍କାର କରିବେ ବୋଲି ସ୍ବପ୍ନ ବି ଦେଖିନଥିଲେ। ବ୍ୟବସାୟୀ ପରିବାରର ଦାୟାଦୀ ହୋଇଥିବାରୁ ସ୍ବାଭାବିକ ଭାବେ ସେ ବାଣିଜ୍ୟ ପରିଚାଳନାରେ ସ୍ନାତକ ଡିଗ୍ରି ହାସଲ ପରେ ନିଜର ପାରିବାରିକ ବାଣିଜ୍ୟ ପ୍ରତିଷ୍ଠାନ ସମ୍ଭାଳିବାଟା ନିଶ୍ଚିତ ଥିଲା। ମାତ୍ର ତାଙ୍କର ଯାଦୁକରୀ ଚାହାଣୀ ସାଙ୍ଗକୁ ଆକର୍ଷଣୀୟ ଅଙ୍ଗସୌଷ୍ଠବ ୨୦୧୬ରେ ହିନ୍ଦୀ ସିନେ ନିର୍ଦ୍ଦେଶକ ସବ୍ବିର ଖାଁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସେ ତାଙ୍କ ଚଳଚ୍ଚିତ୍ର ‘ମୁନ୍ନା ମାଇକେଲ’ରେ ନିଧିଙ୍କୁ ନାୟିକା ଭାବେ ଉପସ୍ଥାପନା କରିବାର ପ୍ରସ୍ତାବ ଦେଇଥିଲେ।

ଏ ପ୍ରକାର ଅପ୍ରତ୍ୟାଶିତ ସୁଯୋଗକୁ ନିଧି ହାତଛଡ଼ା କରିନଥିଲେ। ତାଙ୍କର ଏହି ପ୍ରଥମ ପଦାର୍ପଣକୁ ଦର୍ଶକ ଖୁବ୍‌ ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କୁ ୨୦୧୭ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ଜୀ ସିନେ ସମ୍ମାନ’ ମିଳିଥିଲା। ଏଥିରେ ସେ ଉତ୍ସାହିତ ହୋଇ ପାରିବାରିକ ବ୍ୟବସାୟକୁ ଭୁଲି ଅଭିନୟରେ ହିଁ ଜୀବନ ଗଢ଼ିବାକୁ ଦୃଢ଼ ପରିକର ହୋଇଥିଲେ। ଏହାପରେ ୨୦୧୮ରେ ସେ ‘ସବ୍ୟସାଚୀ’ ଚଳଚ୍ଚିତ୍ର ମାଧ୍ୟମରେ ତେଲୁଗୁ ରାଇଜକୁ ପ୍ରବେଶ କରିଥିଲେ। ଏହାର ବିପୁଳ ଗ୍ରହଣୀୟତା ତାଙ୍କୁ ତହିଁ ପରବର୍ଷ ଆଉ ଦୁଇଟି ତେଲୁଗୁ ସିନେମା ପାଇଁ ସୁଯୋଗ ଆଣିଥିଲା। ସେହିପରି ଗତବର୍ଷ ତାମିଲ ସିନେ ଦୁନିଆରେ ସେ ପାଦ ଦେଇଥିଲେ ‘ଈଶ୍ବରମ୍‌’  ମାଧ୍ୟମରେ। ଆସନ୍ତାବର୍ଷ ପ୍ରାରମ୍ଭରେ ଆସିବାକୁ ଥିବା ତେଲୁଗୁ ଫିଲ୍ମ ‘ହରି ହର ବୀର ମଲ୍ଲୁ’ ପାଇଁ ସେ ଏବେ ସୁଟିଂରେ ବ୍ୟସ୍ତ ରହିଛନ୍ତି।

Comments are closed.