ଗଜପତି,୨୯.୧୦/ମନୋଜ କୁମାର ପାଢୀଙ୍କ ରିପୋର୍ଟ: ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଜିଲ୍ଲାବାସୀଙ୍କୁ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ନେଇ ସତର୍କ ରହିବାକୁ ଭିଡିଓ ବାର୍ତ୍ତାଟିରେ ଅନୁରୋଧ କରିଛନ୍ତି।
ଗଜପତି ଜିଲ୍ଲାବାସୀଙ୍କ ପ୍ରତି ମୋର ଜରୁରୀ ନିବେଦନ। ପ୍ରିୟ ଗଜପତିବାସୀ , ନମସ୍କାର।
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ଗ୍ରାମ ଜଳମଗ୍ନ ହୋଇସାରିଛି ଏବଂ ଅନେକ ପରିବାର ବିପଦର ସମ୍ମୁଖୀନ ହୋଇଛନ୍ତି।
ବିଶେଷକରି ମହେନ୍ଦ୍ରତନୟା , ବଂଶଧାରା , ହରଭଙ୍ଗୀ ତଥା ଅନ୍ୟାନ୍ୟ ନଦୀ ଓ ନାଳ କୂଳରେ ବସବାସ କରୁଥିବା ସମସ୍ତ ଲୋକଙ୍କୁ ମୋର ହାତଯୋଡ଼ି ଅନୁରୋଧ- ଦୟାକରି ସତର୍କ ରୁହନ୍ତୁ, ନିଜ ଜୀବନକୁ ବିପଦରେ ପକାନ୍ତୁ ନାହିଁ।
ଅତ୍ୟନ୍ତ ଆବଶ୍ୟକ ନହେଲେ ଘରୁ ବାହାରନ୍ତୁ ନାହିଁ। ନଦୀ , ନାଳ କିମ୍ବା ବନ୍ୟାଜଳ ନିକଟକୁ ଯା’ନ୍ତୁ ନାହିଁ। ଭୂସ୍ଖଳନ ଆଶଙ୍କା ଥିବା ପାହାଡ଼ିଆ ଅଞ୍ଚଳଠାରୁ ଦୂରେଇ ରୁହନ୍ତୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଛି। ପ୍ରଶାସନ ଆପଣଙ୍କୁ ସ୍ଥାନାନ୍ତର ହେବାକୁ ଅନୁରୋଧ କଲେ ଦୟାକରି ବିଳମ୍ବ ନକରି ସହଯୋଗ କରନ୍ତୁ। ଘର ଓ ଜିନିଷପତ୍ର ଠାରୁ ଆପଣଙ୍କ ଜୀବନ ଅନେକ ମୂଲ୍ୟବାନ୍।
ଆପଣ ମାନଙ୍କୁ ମୋର ଆଉ ଏକ ନିବେଦନ
ନିଜ ସହିତ ପଡ଼ୋଶୀ , ବୟସ୍କ ବ୍ୟକ୍ତି , ଶିଶୁ , ଗର୍ଭବତୀ ମହିଳା ଓ ଅସହାୟ ଲୋକମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ।
ଗଜପତି ଜିଲ୍ଲାର ପ୍ରତ୍ୟେକ ଟି ଜୀବନ ଆମ ପାଇଁ ଅମୁଲ୍ୟ। ଜଣେ ହେଲେ ବି ମଣିଷ ର ଜୀବନ ଯେପରି ନ ଯାଏ ସେଥିପାଇଁ ଆମେ ଆମର ସମସ୍ତ ଶକ୍ତି ଲଗାଇ ପ୍ରୟାସ କରୁଛୁ। କିନ୍ତୁ ଆପଣ ମାନଙ୍କ ସହଯୋଗ ବିନା ଏହି ପ୍ରୟାସ ସଫଳ ହେଇପାରିବ ନାହିଁ । ଏହା ପ୍ରକୃତି ର ଏକ କଠିଣ ପରୀକ୍ଷା।
ଆମେ ସମସ୍ତେ ଧୈର୍ଯ୍ୟ , ସତର୍କତା ଓ ଏବଂ ପରସ୍ପର ସହଯୋଗ ମାଧ୍ୟମରେ ଏହି ବିପଦର ମୁକାବିଲା କରିବା। ଆପଣଙ୍କ ଜୀବନ ଆମର ପ୍ରଥମ ପ୍ରାଥମିକତା , ଆପଣ ସୁରକ୍ଷିତ ରହିଲେ ଆମ ଗଜପତି ସୁରକ୍ଷିତ ରହିବ। ସତର୍କ ରୁହନ୍ତୁ , ସୁରକ୍ଷିତ ରୁହନ୍ତୁ , ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲ ଅନୁରୋଧ କରିଛନ୍ତି।