Sign in
Sign in
Recover your password.
A password will be e-mailed to you.
ବାଲେଶ୍ୱର, ୨୯ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ବଙ୍ଗରା ରେଳ ଫାଟକ ଠାରୁ ପଛୁଡ଼ିଆ ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି ଓ ସ୍ଥାୟୀ ନିର୍ମାଣ ଦାବିରେ ଆଞ୍ଚଳିକ ସୁରକ୍ଷା ମଞ୍ଚ ପକ୍ଷରୁ ବୁଧବାର ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟି ଗ୍ରାମପଞ୍ଚାୟତର ପଳାସପୁର ଛକ ଠାରେ ରାସ୍ତାରୋକ କରାଯାଇଥିଲା। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଅପରାହ୍ନରେ ପ୍ରତ୍ୟାହୃତ ହୋଇଥିଲା।
ମଞ୍ଚର ସଭାପତି କମଳ ଲୋଚନ ରାଉତଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ସଂଗଠନର କର୍ମକର୍ତ୍ତାଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ। ଖାନନଗର, କୁରୁଡ଼ା, କରଞ୍ଜିଆ, ସାରଙ୍ଗା, ଶାସଙ୍ଗ ଓ ବରୁଣସିଂ ଆଦି ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ସଦର ଓ ରେମୁଣା ବ୍ଲକର ଏକ ପ୍ରମୁଖ ଯାତାୟାତ ମାର୍ଗ। ଏହାର ଦୀର୍ଘଦିନ ଧରି ମରାମତି ଓ ନିର୍ମାଣ ନହେବା ପ୍ରଶାସନିକ ଅବହେଳାର ପରିଚୟ ବୋଲି ଶ୍ରୀ ରାଉତ କହିଥିଲେ।
ସମ୍ପ୍ରତି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସାଉଁ ପୋଲ ନିକଟରେ ମୁଖ୍ୟ ରାସ୍ତାର ଅଧାରୁ ଅଧିକ ଅଂଶ ଧୋଇ ହୋଇଯାଇଥିବାରୁ ଏହା ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଫଳରେ ଏହି ରାସ୍ତାରେ ଯାତାୟାତ କରିବା ସାଧାରଣ ଲୋକଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି। ବନ୍ୟା ପରେ ରାସ୍ତାର ମରାମତି ଓ ସ୍ଥାୟୀ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇ ନଥିବାରୁ ଅଞ୍ଚଳବାସୀ ଦୀର୍ଘ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି।
ନିକଟସ୍ଥ ଇରିଗେସନ ବିଭାଗର ଏକ ଛୋଟ ବନ୍ଧ ନିର୍ମାଣ କାର୍ଯ୍ୟର ନିମ୍ନମାନ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଏହି ଅଭିଯୋଗର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସରକାରୀ ଅର୍ଥର ବିନିଯୋଗ ଏବଂ ରାସ୍ତା କ୍ଷତି ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁଯାୟୀ ପଦକ୍ଷେପ ନେବାକୁ ମଞ୍ଚ ଦାବି କରିଛି।
ଆନ୍ଦୋଳନ ଚାଲିଥିବା ସମୟରେ ଅପରାହ୍ନ ପ୍ରାୟ ୧ଟାରେ ଜିଲ୍ଲା ପ୍ରଶାସନର ଏକ ପ୍ରତିନିଧି ଦଳ ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ବିଭିନ୍ନ ଅଂଶର ସ୍ଥିତି ଅନୁଧ୍ୟାନ କରିଥିଲେ। ରାସ୍ତା ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ।
ଏହି ଆନ୍ଦୋଳନରେ ମଞ୍ଚର ଉପସଭାପତି ରଞ୍ଜନ ଦାସ, ବରିଷ୍ଠ ସମାଜସେବୀ ରବୀନ୍ଦ୍ର ମହାନ୍ତି, ସୁଦର୍ଶନ ସ୍ୱାଇଁ, ଜିତେନ୍ଦ୍ର ରାଉତ, ନିରଞ୍ଜନ ଦାସ, ନାରାୟଣ ପଣ୍ଡା, ଗିରିଧାରୀ ଖିଲାର, ସନ୍ନ୍ୟାସୀ ପାତ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ତ୍ରିଲୋଚନ ବେହେରା, ଯୁଗେଶ୍ୱର ପାତ୍ର, ହରେନ୍ଦ୍ର ମହାଳିକ, ଅଶୋକ କୁମାର ପାତ୍ର, ସମାଜସେବୀ କଟ ପରିଡ଼ା ଓ ଜୟନ୍ତ କୁମାର ଆଚାର୍ଯ୍ୟଙ୍କ ସମେତ ବହୁ ସାମାଜିକ କର୍ମୀ ଓ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।