ବାଲେଶ୍ୱର, ୨୯ ଅକ୍ଟୋବର (କୃଷ୍ଣ କୁମାର ମହାନ୍ତି): ଜଳେଶ୍ୱର ଅଞ୍ଚଳରେ ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଓ ପରବର୍ତ୍ତୀ ହତ୍ୟା ଅଭିଯୋଗ ସମ୍ପର୍କିତ ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ଅଧ୍ୟକ୍ଷା ବବିତା ପାତ୍ର ଓ ସଦସ୍ୟା ସୁଜାତା ନାୟକ ବୁଧବାର ବାଲେଶ୍ୱର ଜିଲ୍ଲା ଗସ୍ତ କରି ମାମଲାର ସମୀକ୍ଷା କରିଛନ୍ତି।
ଉଭୟେ ପୂର୍ବାହ୍ନ ପ୍ରାୟ ୧୧ଟାରେ ବାଲେଶ୍ୱର ସର୍କିଟ୍ ହାଉସ୍ରେ ପହଞ୍ଚି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକରଙ୍କ ସହ ମାମଲା ସମ୍ପର୍କରେ ଆଲୋଚନା କରିଥିଲେ। ତଦନ୍ତର ଅଗ୍ରଗତି, ଗ୍ରହଣ କରାଯାଇଥିବା ଆଇନଗତ ପଦକ୍ଷେପ ଏବଂ ପୀଡ଼ିତାଙ୍କ ପରିବାରକୁ ଦିଆଯାଉଥିବା ସହାୟତା ବିଷୟରେ ସେମାନେ ତଥ୍ୟ ନେଇଥିଲେ।
ପରେ ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହୀର ଏବଂ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ସେମାନଙ୍କ ବର୍ତ୍ତମାନର ସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ।
ଏହାପରେ ଆୟୋଗର ପ୍ରତିନିଧିମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାରେ ଉପସ୍ଥିତ ଅଧିକାରୀଙ୍କଠାରୁ ଘଟଣା ସମ୍ପର୍କିତ ପରିସ୍ଥିତି ଓ ଉପଲବ୍ଧ ତଥ୍ୟ ସଂଗ୍ରହ କରିଥିଲେ।
ଅପରାହ୍ନ ୪ଟାରେ ବାଲେଶ୍ୱର ସର୍କିଟ୍ ହାଉସ୍ରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ସଦସ୍ୟା ସୁଜାତା ନାୟକ, ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଖୁସିରାମ ଗହୀର, SJPO/DSP ନିର୍ମଳା ଭଟ୍ଟାଚାର୍ଯ୍ୟଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଯୋଗ ଦେଇଥିଲେ।
ବୈଠକରେ ମାମଲାର ବିଭିନ୍ନ ଦିଗ, ତଦନ୍ତର ଅଗ୍ରଗତି, ପୀଡ଼ିତାଙ୍କ ପରିବାରକୁ ଆବଶ୍ୟକ ସହାୟତା ଏବଂ ଶିଶୁ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆଇନ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ଶିଶୁର ସର୍ବୋତ୍ତମ ସ୍ୱାର୍ଥ ଓ ପରିବାରକୁ ଆବଶ୍ୟକ ସହଯୋଗ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସମୀକ୍ଷା ବୈଠକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଶେଷ କରି ଆୟୋଗର ଅଧ୍ୟକ୍ଷା ଓ ସଦସ୍ୟା ସନ୍ଧ୍ୟା ପ୍ରାୟ ୬ଟାରେ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ପ୍ରସ୍ଥାନ କରିଥିଲେ।