୫ଜି ପାଇଁ ସ୍ମାର୍ଟଫୋନ୍ ନାହିଁ: ସଫ୍ଟଓୟାର ଅପ୍‌ଡେଟ୍ କରିବାକୁ କଂପାନିଙ୍କୁ କହିଲେ ସରକାର

ନୂଆଦିଲ୍ଲୀ: ଦେଶରେ ୫ଜି ସେବାକୁ ନେଇ ଉତ୍ସାହ ଚରମ ସୀମାରେ ଥିବା ବେଳେ ଏକ ବଡ଼ ସମସ୍ୟା ଏବେ ସାମ୍ନାକୁ ଆସିଛି। ଏହି ନୂତନ ହାଇସ୍ପିଡ୍ ଡାଟା ସେବା ହାସଲ କରିବା ଲାଗି ଦେଶରେ ଆବଶ୍ୟକ ସଂଖ୍ୟକ ୫ଜି ସ୍ମାର୍ଟଫୋନ୍ ନାହିଁ। ଏହାକୁ ନେଇ ସରକାର ଚିନ୍ତା ପ୍ରକଟ କରିବା ସହ ଶୀଘ୍ର ଫୋନ୍‌ଗୁଡ଼ିକର ସଫ୍ଟଓୟାରକୁ ଅପ୍‌ଡେଟ୍ କରିବା ଲାଗି କଂପାନିଗୁଡ଼ିକୁ କହିଛନ୍ତି। ବିଶେଷଜ୍ଞମାନଙ୍କ ମତରେ ସଫ୍ଟଓୟାର ଅପ୍‌ଡେଟ୍‌ ଏତେ ଶୀଘ୍ର ହୋଇପାରିବନି। ସେଥିପାଇଁ ଯଥେଷ୍ଟ ସମୟ ଦରକାର। ୫ଜି ସ୍ମାର୍ଟଫୋନ୍ ସମସ୍ୟାକୁ ଦୂର କରିବା ଲାଗି କିଛି ଟେଲିକମ୍ ଅପରେଟର ଓ ଫୋନ୍ ନିର୍ମାତା ପରସ୍ପର ସହ ମିଶି କାମ କରୁଛନ୍ତି। ନିର୍ଦିଷ୍ଟ କଂପାନିର ସେବା ଲାଗି ସ୍ବତନ୍ତ୍ର ଫୋନ୍ ତିଆରି କରିବା ପାଇଁ ସେମାନେ ଆଲୋଚନା ଜାରି ରଖିଛନ୍ତି। ବର୍ତ୍ତମାନ ଦେଶରେ ଉପଲବ୍ଧ ଥିବା ଅଧିକାଂଶ ଫୋନ୍ ୪ଜି ସେବା ପାଇଁ ଉଦ୍ଦିଷ୍ଟ। କିଛି ହାତଗଣତି କଂପାନି ୫ଜି ମଡେଲ୍‌ ବିକ୍ରି କରୁଛନ୍ତି।

ସେମାନଙ୍କ ଅଧିକାଂଶ ମଡେଲ୍‌ ୫ଜି ସେବା ପାଇଁ ପ୍ରସ୍ତୁତ ହୋଇପାରିନାହିଁ। ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଜି ସେବା ଆରମ୍ଭ କରିଥିଲେ। ‌ଦେଶର ଦୁଇ ପ୍ରମୁଖ ଟେଲିକମ୍ କଂପାନି ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍‌ କେତେକ ନିର୍ଦିଷ୍ଟ ସହରରେ ୫ଜି ସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଜିଓ ୪ଟି ଏବଂ ଏୟାରଟେଲ୍‌ ୮ଟି ସହରରେ ଏହି ସେବା ଆରମ୍ଭ କରିବେ। ଆଶ୍ଚର୍ଯ୍ୟର ବିଷୟ ହେଉଛି ନିକଟରେ ଉନ୍ମୋଚନ ହୋଇଥିବା ଆପଲ୍‌ର ଆ‌ଇଫୋନ୍ ୧୪ ଏବଂ ସାମସଙ୍ଗ୍‌ର ଦାମୀ ଫୋନ୍‌ ମଧ୍ୟ ୫ଜି ସେବା ପାଇଁ ପ୍ରସ୍ତୁତ ହୋଇନାହିଁ। ୫ଜି ‌ପାଇଁ ସେଥିରେ ସଫ୍ଟଓୟାର ଅପ୍‌ଡେଟ୍ କରିବାକୁ ହେବ। ୫ଜି ସ୍ମାର୍ଟଫୋନ୍‌ର ଅଭାବକୁ ନେଇ ଟେଲିକମ୍ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଏକ ବୈଠକରେ ଚିନ୍ତା ପ୍ରକଟ କରାଯାଇଥିଲା। ସେହି ବୈଠକରେ ଆପଲ୍, ସାମସଙ୍ଗ୍‌, ଭିଭୋ, ଶାଓମି ଭଳି ଫୋନ୍ ନିର୍ମାତା, ରିଲାଏନ୍ସ, ଏୟାରଟେଲ୍‌ ଏବଂ ଭୋଡାଫୋନ୍ ଆଇଡିଆର ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.