ଭୁବନେଶ୍ବରରେ ଫିଫା ଯୁୁବା ବିଶ୍ବକପ୍‌ ଉଦ୍‌ଘାଟିତ: ବ୍ରାଜିଲ୍ ବିଜୟରୁ କଳିଙ୍ଗ ଅଭିଯାନ

ଭୁବନେଶ୍ବର: ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଆଜିଠାରୁ ଆରମ୍ଭ ହୋଇଛି ସୁନ୍ଦରତମ ଖେଳର ସୁନ୍ଦରୀ ଯୁବାଙ୍କ ଫିଫା ବିଶ୍ବକପ୍‌। ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ୍‌ର ସପ୍ତମ ସଂସ୍କରଣ ପ୍ରଥମ ଥର ଭାରତରେ ଖେଳାଯାଉଥିବା ବେଳେ ଓଡ଼ିଶା ହୋଇଛି ଅନ୍ୟତମ ଆୟୋଜକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୪ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (କ୍ରୀଡ଼ା ଓ ଯୁବବ୍ୟାପାର), ଧର୍ମେନ୍ଦ୍ର ପ୍ରଧାନ (ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା), କିରଣ ରିଜିଜୁ (ଆଇନ୍‌), ନୀଶିଥ ପରମାଣିକ (କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ)ଙ୍କ ଉପସ୍ଥିତିରେ ଏହି ବିଶ୍ବକପ୍ ଉଦ୍‌ଘାଟିତ ହୋଇଛି। ଅପରାହ୍ଣରେ ବ୍ରାଜିଲ୍‌-ମରୋକ୍କୋ ମ୍ୟାଚ୍‌ ଖେଳାଯାଇଥିବା ବେଳେ ରାତି ଆଠଟାରେ ଭାରତ-ଆମେରିକା ମ୍ୟାଚ୍‌ ପୂର୍ବରୁ ଏହି ଅତିଥିମାନେ ସଂକ୍ଷିପ୍ତ ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ। ୨ ମିନିଟିଆ ଆତସବାଜି କାର୍ଯ୍ୟକ୍ରମ ପରେ ପରେ ଉଭୟ ଭାରତ ଓ ଆମେରିକା ଖେଳାଳିମାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତ ମିଳାଇଥିଲେ। ଫଟୋ ପୋଜ୍‌ ବେଳକୁ ଧର୍ମେନ୍ଦ୍ର ଓ ଅନୁରାଗ ଯୋଡ଼ି ହୋଇଥିଲେ। ଫିଫା ମହାସଚିବ ଫତେମା ‌ସମୌରା, ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ୍‌) ସଭାପତି କଲ୍ୟାଣ ଚୌବେ, ଗୋଆ କ୍ରୀଡ଼ାମନ୍ତ୍ରୀ ଗୋବିନ୍ଦ ଗୌଡ଼େ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭିକେ ପାଣ୍ଡିଆନ୍‌, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ବ୍ରାଜିଲ୍ ବିଜୟରୁ କଳିଙ୍ଗ ଅଭିଯାନ

ଭୁବନେଶ୍ବର: ଫୁଟ୍‌ବଲ୍ ପାଇଁ ବିଶେଷ ପରିଚିତ ବ୍ରାଜିଲ୍‌ର ବିଜୟରୁ ହିଁ କଳିଙ୍ଗ ଷ୍ଟାଡିୟମ୍‌ରେ ଫିଫା ଯୁବା ବିଶ୍ବକପ୍‌ (୧୭ ବର୍ଷରୁ କମ୍) ଆରମ୍ଭ ହୋଇଛି। ପୁରୁଷ ଫିଫା ବିଶ୍ବକପ୍‌ରେ ରେକର୍ଡ ୫ ଥର ବିଜେତା ଏହି ଦେଶ ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ୍‌ରେ ସଫଳ ଦେଶ ନଥିଲେ ମଧ୍ୟ ମଙ୍ଗଳବାର ପଦାର୍ପଣକାରୀ ମରୋକ୍କୋକୁ ୧-୦ ଗୋଲ୍‌ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ଏଥି ସହ ଅନ୍ୟତମ ଦାବିଦାର ଭାବେ ଭାରତ ଆସିଥିବା ବ୍ରାଜିଲ୍‌ ଏହି ଦ୍ବିବାର୍ଷିକ ପ୍ରତିଯୋଗିତାକୁ ଷ୍ଟାଇଲ୍‌ରେ ଆରମ୍ଭ କରିଛି। ଆଫ୍ରିକୀୟ ଦେଶ ମରୋକ୍କୋ ପଦାର୍ପଣରେ ପରାଜୟ ବରଣ କରିଥିଲେ ମଧ୍ୟ ଦ୍ବିତୀୟାର୍ଦ୍ଧରେ ବଢ଼ିଆ ଖେଳି ଦମ୍ ଦେଖାଇଥିଲା।

ମ୍ୟାଚ୍‌ ଆରମ୍ଭରୁ ହିଁ ବ୍ରାଜିଲ୍‌ ଖେଳାଳି ବଲ୍‌କୁ ଅଧିକ ସମୟ ନିଜ ନିୟନ୍ତ୍ରଣରେ ରଖିଥିଲେ। ଫଳ ସ୍ବରୂପ ପଞ୍ଚମ ମିନିଟରେ ହିଁ ଶାମ୍ଭା ଦଳକୁ ଗୋଲ୍ ମିଳିଯାଇଥିଲା। ମରୋକ୍କୋ ରକ୍ଷଣଭାଗର ଦୁର୍ବଳତାରୁ ଫାଇଦା ଉଠାଇ ବ୍ରାଜିଲ୍‌ ପାଇଁ ଗୋଲ୍ ଦେଇଥିଲେ ଜନ୍‌ସନ୍‌। ୨୬ତମ ମିନିଟରେ ଲାରାଙ୍କ ଚମତ୍କାର ପ୍ରୟାସ ଗୋଲ୍‌ ପୋଷ୍ଟ୍‌ ଭେଦ କରିପାରିନଥିଲା। ପ୍ରଥମାର୍ଦ୍ଧର ଇନ୍‌ଜ୍ୟୁରି ସମୟରେ ବ୍ରାଜିଲ୍‌ ଘନ ଘନ ଆକ୍ରମଣ କରିଥିଲା। କାରୋଲ୍‌ ଓ ଜନ୍‌ସନ୍‌ ପୁଣି ଥରେ ଗୋଲ୍‌ ପ୍ରୟାସ କରି ନିଷ୍ଫଳ ରହିଥିଲେ। କେଡିମାଙ୍କ ଫାଉଲ୍‌ ସହିତ ପ୍ରଥମାର୍ଦ୍ଧ ବ୍ରାଜିଲ୍ ସପକ୍ଷରେ ରହିଥିଲା। ଦ୍ବିତୀୟାର୍ଦ୍ଧ ଅଧିକ ଘଟଣାବହୁଳ ଥିଲା। ଏକାଧିକ ଫାଉଲ୍‌ ସହିତ ବ୍ରାଜିଲର ମିକା ୟେଲୋ କାର୍ଡ ପାଇଥିଲେ ୭୭ତମ ମିନିଟରେ। ମରୋକ୍କୋ ଦ୍ବିତୀୟାର୍ଦ୍ଧରେ ଅପେକ୍ଷାକୃତ ଭଲ ଖେଳିଥିଲା। କିନ୍ତୁ ଗୋଲ୍ କରିବାରେ ବିଫଳ ହୋଇଥିଲା।

ବଲ୍ ନିୟନ୍ତ୍ରଣରେ ବ୍ରାଜିଲ୍‌ ୬୭-୩୩ ପ୍ରତିଶତରେ ଆଗୁଆ ରହିବା ସବୁକିଛି ଦର୍ଶାଇଥିଲା। ଗୋଲ୍‌ ଟାର୍ଗେଟ୍‌ରେ ଏହି ଶାମ୍ଭା ଦେଶ ୧୮-୪ ଓ କର୍ଣ୍ଣରରେ ୮-୨ରେ ଆଗୁଆ ରହିଥିଲା। ଫାଉଲ୍‌ରେ କିନ୍ତୁ ମରୋକ୍କୋ ୧୨-୯ରେ ଆଗୁଆ ରହି ଦୁର୍ବଳତାକୁ ପଦାରେ ପକାଇଥିଲା। ଅନ୍ୟପକ୍ଷରେ ଗୋଆର ମାରଗାଓଁରେ ଖେଳାଯାଇଥିବା ଗ୍ରୁପ୍‌ ‘ବି’ର ପ୍ରଥମ ମ୍ୟାଚ୍‌ରେ ଚିଲି ୩-୧ ଗୋଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରି ପୂରା ପଏଣ୍ଟରୁ ଆଭିଯାନ ଆରମ୍ଭ କରିଛି। ଚିଲି ପାଇଁ ଫିଗୁଏରୋ (୧୨ ମିନିଟ୍‌), ଟି ରନ୍‌ଭର୍ (୨୨ ମିନିଟ୍‌) ଓ ଏ ସିଫୁଣ୍ଟସ୍ (୬୬ ମିନିଟ୍‌) ଗୋଲ୍ ଦେଇଥିଲେ। ନ୍ୟୁଜିଲାଣ୍ଡ୍‌ ପାଇଁ ଏକମାତ୍ର ଗୋଲ୍‌ କ୍ଲେଗ୍‌ (୫୨ତମ ମିନିଟ୍‌) ଦେବାରୁ ଚିଲି କ୍ଲିନ୍‌ ସିଟ୍‌ ରଖିବାରୁ ବଞ୍ଚିତ ହୋଇଥିଲା।

Comments are closed.