ଅନୁଗୁଳ ଡାକଘରେ ସିବିଆଇ ଚଢ଼ଉ: ଲାଞ୍ଚନେଲା ବେଳେ ଧରାପଡ଼ିଲେ ସହକାରୀ ଅଧୀକ୍ଷକ

ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଗାଏବ‌, ପରଲୋକରେ ପୋଷ୍ଟମାଷ୍ଟର୍‌, ପତ୍ନୀଙ୍କ ପାଲଟା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକଘରେ ଆଜି ସିବିଆଇର ୯ ଜଣିଆ ଟିମ୍‌ ଚଢ଼ଉ କରିଛନ୍ତି। ବଅଁରପାଳ ବ୍ଲକ୍ କୁରୁଡ଼ୋଲ୍‌ ପୋଷ୍ଟ ଅଫିସ୍‌ର ଏବିପିଏମ୍‌ ଶୁଭ୍ରାଂଶୁ ପ୍ରଧାନଠାରୁ ନଗଦ ୧୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଅନୁଗୁଳ ଡାକ ବିଭାଗର ସହକାରୀ ଡାକ ଅଧୀକ୍ଷକ ଟିକନ ଦେବତାଙ୍କୁ ସିବିଆଇ ଅଧିକାରୀ ଧରିଛନ୍ତି।

ସୂଚନା ମୁତାବକ, ଏ ଲାଞ୍ଚ କାରବାରର ଅଭିଯୋଗ ଆଣିଥିଲେ କୁରୁଡ଼ୋଲ ଡାକଘରେ ନୂତନ ଭାବେ ନିଯୁକ୍ତି ପାଇଥିବା ଏବିପିଏମ୍‌ ଶ୍ରୀ ପ୍ରଧାନ। ପୂର୍ବରୁ ଶୁଭ୍ରାଂଶୁଙ୍କ ବାପା ଡାକ ବିଭାଗରେ ଚାକିରି କରିଥିଲେ। ହୃଦ୍‌ଘାତରେ କିଛିଦିନ ତଳେ ବାପାଙ୍କର ମୃତ୍ୟୁ ହୋଇଥିଲା। ବାପାଙ୍କ ଚିକିତ୍ସାରେ ଶୁଭ୍ରାଂଶୁ ବେଶ୍‌ ଖର୍ଚ୍ଚାନ୍ତ ହୋଇଥିଲେ। ପରେ ବାପାଙ୍କ ଚାକିରି ପୁଅ ଶୁଭ୍ରାଂଶୁଙ୍କୁ ମିଳିଥିଲା। ଗତ ଅକ୍ଟୋବର ୬ ତାରିଖରେ ସେ କୁରୁଡ଼ୋଲ୍‌ ଡାକଘରେ ଚାକିରି ଆରମ୍ଭ କରିଥିଲେ। ଶୁଭ୍ରାଂଶୁ ଚାକିରି କରିବା ପରେ ସହକାରୀ ଡାକ ଅଧୀକ୍ଷକ ଶ୍ରୀ ଦେବତା ତାଙ୍କୁ ହଇରାଣ କରିଥିଲେ। ଏପରିକି ଲକ୍ଷେ ଟଙ୍କା ନ ଦେଲେ ୫୦ କିଲୋମିଟର ଦୂରକୁ ବଦଳି କରିଦେବି ବୋଲି ଧମକ ଦେଇଥିଲେ। ବାପାଙ୍କ ଚିକିତ୍ସାରେ ଖର୍ଚ୍ଚାନ୍ତ ହୋଇଥିବା ଶୁଭ୍ରାଂଶୁ ଏତେ ଟଙ୍କା ଦେବାକୁ ନିଜର ଅସମର୍ଥ ପ୍ରକାଶ କରିବା ପରେ ଲକ୍ଷେ ବଦଳରେ ୪୦ହଜାର ଟଙ୍କା ଦେବାକୁ ଶ୍ରୀ ଦେବତା ଛିଣ୍ଡେଇଥିଲେ। ଏବିପିଏମ୍‌ ଚାକିରିରେ ୧୨ହଜାର ଟଙ୍କା ଦରମା ମିଳୁଥିବାରୁ ଏତେ ଟଙ୍କାର ଲାଞ୍ଚ କେଉଁଠୁ ଦେବି ବୋଲି ଶୁଭ୍ରାଂଶୁ କହିଥିଲେ। ପରେ ଏଥିନେଇ ସିବିଆଇକୁ ଇ-ମେଲ୍ ଯୋଗେ ଅଭିଯୋଗ କରିଥିଲେ। ସିବିଆଇ ଶୁଭ୍ରାଂଶୁଙ୍କ ଅଭିଯୋଗକୁ ବେଶ୍ ଗୁରୁତ୍ବର ସହିତ ଗ୍ରହଣ କରିଥିଲା। ଏନେଇ ତନାଘନା ହେବାସହିତ ପୂର୍ବ ପ୍ରସ୍ତୁତି ମୁତାବକ ସିବିଆଇ ପକ୍ଷରୁ ଶୁଭ୍ରାଂଶୁଙ୍କୁ କେମିକାଲ୍ ବୋଳା ୧୦ହଜାର ଟଙ୍କା ଦିଆଯାଇଥିଲା। ଏବେ ୧୦ହଜାର ଟଙ୍କା ନେଇ ପରେ ଦରମା ପାଇଲେ ଅବଶିଷ୍ଟ ଟଙ୍କା ଦିଆଯିବ ବୋଲି ଶୁଭ୍ରାଂଶୁ ସହକାରୀ ଡାକ ଅଧୀକ୍ଷକ ଶ୍ରୀ ଦେବତାଙ୍କୁ କହିଥିଲେ। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଶ୍ରୀ ଦେବତାଙ୍କୁ ଶୁଭ୍ରାଂଶୁ ୧୦ହଜାର ଟଙ୍କାର ଦେବା ବେଳେ ସିବିଆଇ ଇନ୍‌ସ୍ପେକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ବରେ ୯ଜଣିଆ ଟିମ୍‌ ଧରପଗଡ଼ କରି ଶ୍ରୀ ଦେବତାଙ୍କୁ ଗିରଫ କରିଛନ୍ତି। ଖବର ଲେଖାହେବା ସୁଦ୍ଧା ତାଙ୍କର ଅମଲାପଡ଼ା ଏବଂ ପ୍ରଗତିନଗର ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି।

ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଗାଏବ‌

ହାଟଡ଼ିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକ୍‌ ଅନ୍ତର୍ଗତ ଗେଡ଼ମା ପୋଷ୍ଟ ଅଫିସ୍‌ରେ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷଲକ୍ଷ ଟଙ୍କା ଗାଏବ‌ ହୋଇଛି। ଏହିଭଳି ଅଭିଯୋଗ ସହିତ ଜମାକାରୀମାନେ ପୋଷ୍ଟ୍‌ ଅଫିସ୍ ସାମ୍ନାରେ ହୋ’ହଲ୍ଲା କରିଛନ୍ତି। ସାହାପୁର ଗ୍ରାମର ରୀନାରାଣୀ ଦାସଙ୍କ ଅଭିଯୋଗ ହେଉଛି, ସେ ୮ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜମା ରଖିଥିଲେ। ଏବେ ଆସି ବହି ଯାଞ୍ଚ୍‌ କରିବା ପରେ ରୀନାରାଣୀଙ୍କ ଆକାଉଣ୍ଟରେ ମାତ୍ର ୨୯ହଜାର ଟଙ୍କା ଥିବା ସେ ଅଭିଯୋଗ କରିଛନ୍ତି। ଗେଡମା ଗ୍ରାମର ସରସ୍ୱତୀ ଦାସଙ୍କ ଅଭିଯୋଗ, ସେ ୬୦ହଜାର ଟଙ୍କା ଫିକ୍ସ ଡିପୋଜିଟ୍‌ ବା ସ୍ଥାୟୀଜମା କରିଥିଲେ । ସେ ଟଙ୍କା ଉଠାଇ ନଥିବା ବେ‌ଳେ ତାଙ୍କ ଆକାଉଣ୍ଟରୁ କିଏ ଟଙ୍କା ଉଠାଇଲା ବୋ‌ଲି ସେ ପ୍ରଶ୍ନ କରିଥିଲେ। ସାହାପୁର ଗ୍ରାମର ସୁବାସିନୀ ପଣ୍ଡାଙ୍କ ତିନୋଟି ଆକାଉଣ୍ଟରେ ଟଙ୍କା ଜମା କରିଥିବା ବେଳେ ଏବେ ଗୋଟିଏ ଆକାଉଣ୍ଟରୁ ୨୫ହଜାରରୁ ଊର୍ଦ୍ଧ୍ବ ଟଙ୍କା ଗାଏବ ହୋଇଯାଇଛି।

ଗ୍ରାମର ରମ୍ଭା ଦାସ ନାମକ ଜଣେ ମହିଳା କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ଏହି ପୋଷ୍ଟଅଫିସ୍‌ରେ ତିନୋଟି ସ୍ଥାୟୀ ଜମାବହି ଖୋଲି ଦେଢ଼ ଲକ୍ଷ ଟଙ୍କା ରଖିଥିଲେ। ସୁକନ୍ୟା ଆକାଉଣ୍ଟ ଖୋଲି ୨୦ହଜାର ଓ ଅନ୍ୟ ଏକ ଜମା ଖାତାରେ ୪୬ ହଜାର ଜମା କରିଥିଲେ। ଜମା ବହିରୁ ୪୦ ହଜାର ଟଙ୍କା ଉଠାଇ ନିଆଯାଇଥିବାବେଳେ ଆଉ ମାତ୍ର ତିନି ହଜାର ଟଙ୍କା ଅଛି। ସେହିଭଳି, ଗେଡ଼ମା ଗ୍ରାମର ଭରତ ବାରିକ ଆକାଉଣ୍ଟ ନମ୍ବର ୯୬୯୮୬୫୨୭୦୪ରେ ୫୦ହଜାର ୫୦ଟଙ୍କା ଜମା ରଖିଥିବାବେଳେ ତାଙ୍କ ଜମା ବହିରେ ଏବେ ମାତ୍ର ୧୦, ୮୩୧ଟଙ୍କା ଜମା ଅଛି । ଅବଶିଷ୍ଟ ଟଙ୍କା ହଡପ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଗେଡମା ଗ୍ରାମର ମହେଶ୍ୱର ଜେନା ଜମାଖାତାରେ ୫୨ ହଜାର ଟଙ୍କା ବଦଳରେ ରହିଛି ମାତ୍ର ୧୨ହଜାର ଟଙ୍କା। ଏହିଭଳି ଭାବେ ଆହୁରି ଜମାକାରୀଙ୍କ ଟଙ୍କ ହଡ଼ପ ହୋିଥିବା ଅଭିଯୋଗ ହୋଇଛି। ‌ଅନ୍ୟପଟେ ଗେଡ଼ମା ପୋଷ୍ଟ ଅଫିସ୍‌ରେ ସାମ୍ନାରେ ଜମାକାରୀ ହୋ’ହଲ୍ଲା କରୁଥିବା ବେଳେ ମୃତ ପୋଷ୍ଟମାଷ୍ଟର ଗୋଲକ ବିହାରୀ ଦାସଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ଦାସ ତିନିଜଣ ଜମାକାରୀ ଏବଂ କିଛି ଗଣମାଧ୍ୟମର ପ୍ରତିନିଧିଙ୍କ ନାମରେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି।

Comments are closed.