ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ରେ ଆସିବାକୁ ଯାଉଛି ଏକ ବଡ଼ ପରିବର୍ତ୍ତନ। ବିସିସିଆଇର ସେଣ୍ଟର ଅଫ୍ ଏକ୍ସିଲେନ୍ସ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣଙ୍କୁ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ଭାବେ ନୂଆ ଦାୟିତ୍ୱ ଦେବାକୁ ବୋର୍ଡ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି। ଏଥିସହ ଲକ୍ଷ୍ମଣଙ୍କ ଚୁକ୍ତିକୁ ଆଉ ଦୁଇ ବର୍ଷ ବଢ଼ାଯିବା ସହ ତାଙ୍କୁ ଏକ ବଡ଼ ଭୂମିକା ଦିଆଯିବ ବୋଲି ଜଣାପଡ଼ିଛି।
ନୂଆ ଦାୟିତ୍ୱରେ ଲକ୍ଷ୍ମଣ ଜୁନିୟର ଟିମ୍, ଖେଳାଳିଙ୍କ ରିହାବିଲିଟେସନ୍, ଯୁବ ପ୍ରତିଭା ବିକାଶ ଏବଂ ଷ୍ଟାଫ୍ ନିଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟର ଦାୟିତ୍ୱ ନେବେ। ଯୁବ କ୍ରିକେଟ୍ରୁ ସିନିୟର ଟିମ୍ ପର୍ଯ୍ୟନ୍ତ ଏକ ସମନ୍ୱିତ ବ୍ୟବସ୍ଥା ଗଢ଼ିବା ଏହି ନୂଆ ପଦବୀର ପ୍ରମୁଖ ଉଦ୍ଦେଶ୍ୟ ରହିବ।
ସୂଚନା ଅନୁଯାୟୀ,ଏହି ପରିବର୍ତ୍ତନ ଯୋଗୁଁ ଗମ୍ଭୀର କିମ୍ବା ଅଗରକରଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଯିବ ନାହିଁ। ଉଭୟେ ୨୦୨୭ ୱାର୍ଲ୍ଡ କପ୍ ପର୍ଯ୍ୟନ୍ତ ନିଜ ନିଜ ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି।ଅନ୍ୟପଟେ, ଅଜିତ ଅଗରକରଙ୍କ ବର୍ତ୍ତମାନର କାର୍ଯ୍ୟକାଳ ସେପ୍ଟେମ୍ବରରେ ଶେଷ ହେବାକୁ ଥିବାରୁ ଆଗାମୀ ଦିନରେ ଚୟନ କମିଟିକୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିବା ସମ୍ଭାବନା ରହିଛି। ଭାରତୀୟ କ୍ରିକେଟ୍ରେ ଲକ୍ଷ୍ମଣଙ୍କ ଦୀର୍ଘ ଅଭିଜ୍ଞତାକୁ ଏବେ ଆହୁରି ବଡ଼ ଦାୟିତ୍ୱରେ ବ୍ୟବହାର କରିବାକୁ ବିସିସିଆଇ ଯୋଜନା କରୁଥିବା କୁହାଯାଉଛି। ଯୁବ ପ୍ରତିଭା ଚିହ୍ନଟରୁ ଆରମ୍ଭ କରି ଭବିଷ୍ୟତର ଟିମ୍ ଇଣ୍ଡିଆ ଗଠନ ପର୍ଯ୍ୟନ୍ତ ଏହି ନୂଆ ବ୍ୟବସ୍ଥା କେତେ ପ୍ରଭାବଶାଳୀ ହେବ, ତାହା ଉପରେ ଏବେ କ୍ରିକେଟ୍ ମହଲର ନଜର ରହିଛି।
Comments are closed.