ରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ
ଆଜି, ନଭେମ୍ବର ୮ ତାରିଖରେ ଲାଲକୃଷ୍ଣ ଆଡଭାଣୀ ଜୀ ନିଜ ଜୀବନର ଶହେତମ ବର୍ଷରେ ପଦାର୍ପଣ କରୁଛନ୍ତି। ଚଳିତ ବର୍ଷ ତାଙ୍କ ଜନ୍ମଦିନ ଦୀପାବଳି ସହିତ ଏକ ସୁନ୍ଦର ସଂଯୋଗ ସୃଷ୍ଟି କରିଛି। ଏହି ପର୍ବ ପ୍ରଭୁ ଶ୍ରୀ ରାମ ଏବଂ ଦୀପ ସହ ଜଡ଼ିତ। ଏଥିସହିତ ବର୍ତ୍ତମାନ ଆମେ ଜନସଂଘ ପ୍ରତିଷ୍ଠାର ୭୫ ବର୍ଷ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜୟନ୍ତୀ ସହ ନିକଟରେ ଆରଏସ୍ଏସ୍ର ଶତବାର୍ଷିକୀ ସମାରୋହ ପାଳନ କରିଛୁ।
ଏପରି ବ୍ୟକ୍ତି ବହୁତ କମ୍ ଅଛନ୍ତି, ଯେଉଁମାନଙ୍କ ଜୀବନ ଆଧୁନିକ ଭାରତର ଅନେକ ଭିନ୍ନ ଭିନ୍ନ ଅଧ୍ୟାୟ ସହ ଜଡ଼ିତ ରହିଛି । ଆଡଭାଣୀ ଜୀ ୧୯୨୭ ମସିହା ନଭେମ୍ବର ୮ ତାରିଖରେ, ଅର୍ଥାତ୍ ‘ଦେବ ଦୀପାବଳି’ ଦିନ ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ, ଯୁବାବସ୍ଥାରେ ଥିବା ସମୟରେ, ତାଙ୍କୁ ସିନ୍ଧୁ ପ୍ରଦେଶରେ ଥିବା ନିଜର ପରିଚିତ ଦୁନିଆକୁ ପଛରେ ଛାଡ଼ି ଆସିବାର ଯନ୍ତ୍ରଣା ସହିବାକୁ ପଡ଼ିଥିଲା। ସେ କୌଣସି ପ୍ରକାରର କ୍ଷୋଭ କିମ୍ବା ତିକ୍ତତା ନ ରଖି, ପୁନର୍ବାର ଶୂନ୍ୟରୁ ନିଜ ଜୀବନ ଗଢ଼ି ତୋଳିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଶୂନ୍ୟରୁ ନିଜକୁ ଗଢ଼ି ତୋଳିବାର ଏହି ଗୁଣ ଜୀବନସାରା ତାଙ୍କ ସହ ରହିଆସିଛି । ଜନସଂଘକୁ ସୁଦୃଢ଼ କରିବା ଏବଂ ପରବର୍ତ୍ତୀ ସମୟରେ ବିଜେପି ଗଠନ କରିବା ସମୟରେ ଏହା ଦେଖିବାକୁ ମିଳିଥିଲା। ତାଙ୍କର ବିଜେପି ଅଧ୍ୟକ୍ଷ କାର୍ଯ୍ୟକାଳ ମଧ୍ୟରେ, ୧୯୮୯ ମସିହାରେ କଂଗ୍ରେସର ସ୍ଥିତି ୪୦୦ ଆସନରୁ ଖସି ୨୦୦ରୁ କମ୍କୁ ଚାଲିଆସିଥିଲା ଏବଂ ୧୯୯୬ ମସିହାରେ ବିଜେପି ପ୍ରଥମ ଥର ପାଇଁ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଆଡଭାଣୀ ଜୀ ଏକାଧିକ ପିଢ଼ିର କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରସ୍ତୁତ କରିଥିଲେ ଏବଂ ଦଳକୁ ‘ରାଷ୍ଟ୍ର ପ୍ରଥମ’ ନୀତି ଉପରେ ଆଧାରିତ ଏକ ସୁଦୃଢ଼ ଭିତ୍ତିଭୂମି ପ୍ରଦାନ କରିଥିଲେ।
ଦୁଇଟି ଗୁଣ ଆଡଭାଣୀ ଜୀଙ୍କୁ ଜଣେ ନେତା ଭାବରେ ସର୍ବଦା ଅନ୍ୟମାନଙ୍କଠାରୁ ଭିନ୍ନ କରି ରଖିଛି। ପ୍ରଥମଟି ହେଉଛି, ତାଙ୍କର ଆଦର୍ଶଗତ ସ୍ପଷ୍ଟତା ଏବଂ ବୌଦ୍ଧିକ ବିଚକ୍ଷଣତା । ଏହା ତାଙ୍କର ଭାଷଣ ଓ ଲେଖାରେ ପ୍ରତିଫଳିତ ହେଉଥିଲା। ଜନସଂଘ ଏବଂ ବିଜେପି ପାଇଁ ସେ ପ୍ରସ୍ତୁତ କରିଥିବା ପ୍ରସ୍ତାବଗୁଡ଼ିକ ଆଜି ମଧ୍ୟ ପଢ଼ିବା ଯୋଗ୍ୟ; ସେହିପରି ତାଙ୍କର ସାକ୍ଷାତକାରଗୁଡ଼ିକ ସର୍ବଦା ତୀକ୍ଷ୍ଣ ଏବଂ ସଠିକ୍ ଥିଲା। ଦ୍ୱିତୀୟଟି ହେଉଛି, ଭାରତୀୟ ରାଜନୀତିର ଏକ ବଡ଼ ଗୋଷ୍ଠୀ ଦ୍ୱାରା ବହୁ ବର୍ଷ ଧରି ପ୍ରଚାରିତ ‘ଛଦ୍ମ-ଧର୍ମନିରପେକ୍ଷତା’କୁ ସେ ଯେଉଁ ଢଙ୍ଗରେ ପଦାରେ ପକାଇଥିଲେ ତାହା ପ୍ରଶଂସନୀୟ ଥିଲା ।
ଆଡଭାଣୀ ଜୀ ଅତ୍ୟନ୍ତ ନିଷ୍ଠାର ସହ ପ୍ରତ୍ୟେକ ଦାୟିତ୍ୱ ତୁଲାଇଥିଲେ। ଜଣେ ଆରଏସ୍ଏସ୍ ପ୍ରଚାରକ ଭାବରେ, ଆଡଭାଣୀ ଜୀ ପ୍ରଥମେ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟ କରିଥିଲେ। ସେଠାରୁ ସେ ଦେଶର ରାଜଧାନୀକୁ ଗଲେ, ଯେଉଁଠାରେ ସେ ଅଟଳ ଜୀଙ୍କ ସହ ଘନିଷ୍ଠ ଭାବରେ କାମ କରିବା ଆରମ୍ଭ କଲେ। ଇତିହାସ ସାକ୍ଷୀ ରହିଛି, ଏହି ଦୁଇଜଣ ବିଶିଷ୍ଟ ରାଜନୈତିକ ନେତା ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନ ହୋଇ, ବରଂ ପରସ୍ପରକୁ ସହଯୋଗ କରି ଦୀର୍ଘ ଦଶନ୍ଧି ଧରି ଏକାଠି କାମ କରିବା ଏକ ବିରଳ ଘଟଣା। ଆଡଭାଣୀ ଜୀ ଏବଂ ଅଟଳ ଜୀ ଏକ ଉଲ୍ଲେଖନୀୟ ଉଦାହରଣ ସୃଷ୍ଟି କରିଥିଲେ। ଉଭୟେ ମିଶି ଭାରତୀୟ ରାଜନୀତିର ଗତିପଥ ବଦଳାଇ ଦେଇଥିଲେ।
ଆଡଭାଣୀ ଜୀ ଯେଉଁ ଦିଲ୍ଲୀକୁ ଆସିଥିଲେ, ସେହି ସହର ସେତେବେଳେ ବିଭାଜନର ଭୟାବହତା ସହ ମୁକାବିଲା କରୁଥିଲା। ସେ ‘ଜନସଂଘ’କୁ ଅଧିକ ଶକ୍ତିଶାଳୀ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କଲେ। ୧୯୬୭ ମସିହାରେ, ଆଡଭାଣୀ ଜୀ ଦିଲ୍ଲୀ ମେଟ୍ରୋପଲିଟାନ୍ କାଉନସିଲର ଅଧ୍ୟକ୍ଷ ହେଲେ; ସେଠାରେ ସେ ସ୍ୱର୍ଗତ ବିଜୟ କୁମାର ମଲହୋତ୍ରା ଜୀ (ଯିଏ ମୁଖ୍ୟ କାର୍ଯ୍ୟକାରୀ କାଉନସିଲର ହୋଇଥିଲେ)ଙ୍କ ସହ ମିଶି କାର୍ଯ୍ୟ କରିଥିଲେ ।
୧୯୭୦ ମସିହାରେ ଆଡଭାଣୀ ଜୀଙ୍କ ସଂସଦୀୟ ଯାତ୍ରା ଆରମ୍ଭ ହୋଇଥିଲା। ସଂସଦରେ ତାଙ୍କର ମତାମତ ସମସ୍ତ ରାଜନୈତିକ ଦଳର ପ୍ରଶଂସା ଲାଭ କରିଥିଲା। ଜଣେ ସାଂସଦ ଭାବରେ, ପରବର୍ତ୍ତୀ ସମୟରେ ଉଭୟ ସଦନରେ ବିରୋଧୀ ଦଳର ନେତା ଭାବରେ ଏବଂ ଶାସକ ଦଳର ସଦସ୍ୟ ଭାବରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି । ସଂସଦୀୟ ଦାୟିତ୍ୱରେ ବ୍ୟସ୍ତ ରହିବା ସତ୍ତ୍ୱେ, ସେ ନିୟମିତ ଭାବେ ସାରା ଭାରତ ଭ୍ରମଣ କରି ଲୋକମାନଙ୍କୁ ଭେଟୁଥିଲେ।
‘ଜରୁରୀକାଳୀନ ପରିସ୍ଥିତି’ ଆଡଭାଣୀ ଜୀଙ୍କ ଜୀବନରେ ଏକ ନିର୍ଣ୍ଣାୟକ ମୋଡ଼ ଥିଲା। ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ସମ୍ବିଧାନର ସୁରକ୍ଷା କରିବା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି ଅନୁଭୂତିଗୁଡ଼ିକ ତାଙ୍କ ପୁସ୍ତକ ‘ଏ ପ୍ରିଜନର୍ସ ସ୍କ୍ରାପ୍-ବୁକ୍’ରେ ସ୍ଥାନ ପାଇଛି। ଏହି ପୁସ୍ତକର ‘ଏ ଟେଲ୍ ଅଫ୍ ଟୁ ଏମର୍ଜେନ୍ସିଜ୍’ ଶୀର୍ଷକ ଅଂଶରେ ୧୯୭୫ ମସିହା ଜୁନ୍ ମାସରୁ ଭାରତରେ ଘଟିଥିବା ଘଟଣାବଳୀ ଏବଂ ୧୯୩୩ ମସିହାର ନାଜି ଜର୍ମାନୀରେ ଘଟିଥିବା ଘଟଣାବଳୀ ମଧ୍ୟରେ ଥିବା ଆଶ୍ଚର୍ଯ୍ୟଜନକ ସାମଞ୍ଜସ୍ୟକୁ ବେଶ୍ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ଆଡଭାଣୀ ଜୀ ଜଣେ ପ୍ରଖର ବିରୋଧୀ ଦଳ ନେତା ଥିଲେ କିନ୍ତୁ ସମାନ ଭାବରେ ଜଣେ ଉତ୍କୃଷ୍ଟ ପ୍ରଶାସକ ମଧ୍ୟ ଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ସରକାର କ୍ଷମତାକୁ ଆସିବା ପରେ, ଆଡଭାଣୀ ଜୀ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ଏହି ବିଭାଗରେ ତାଙ୍କର କାର୍ଯ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା, ଯାହା ସାଧାରଣରେ ଗ୍ରହଣୀୟ ହୋଇଥିଲା । ଉପପ୍ରଧାନମନ୍ତ୍ରୀ ଏବଂ ଭାରତର ସବୁଠାରୁ ଦୀର୍ଘ ସମୟ ଧରି ଗୃହମନ୍ତ୍ରୀ ଭାବରେ, ସେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଆମର ସୁରକ୍ଷା ବାହିନୀର ସ୍ଥିତିକୁ ଉନ୍ନତ କରିବାରେ ତାଙ୍କର କାର୍ଯ୍ୟ ସ୍ମରଣୀୟ ହୋଇ ରହିଛି । ଆତଙ୍କବାଦ ବିରୁଦ୍ଧରେ ତାଙ୍କର ସ୍ପଷ୍ଟ ଦୃଷ୍ଟିକୋଣ ରହିଥିଲା । ଫଳରେ ଭାରତକୁ ଏକ କଠୋର ଆତଙ୍କବାଦ ବିରୋଧୀ ଆଇନ ମିଳିଥିଲା ।
ଆଡଭାଣୀ ଜୀଙ୍କ ଜୀବନର ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା। ଏହା ଭାରତୀୟ ସମାଜର ଗତିପଥକୁ ଉନ୍ନତ କରିଥିଲା। ପରିକଳ୍ପନା ପର୍ଯ୍ୟାୟରୁ କାର୍ଯ୍ୟକାରିତା ପର୍ଯ୍ୟନ୍ତ ଏହି ଯାତ୍ରାରେ ସାମିଲ ହେବା ଲାଗି ସୁଯୋଗ ପାଇବା ଥିଲା ମୋ ପାଇଁ ସୌଭାଗ୍ୟର ବିଷୟ। ଯାତ୍ରା ଆରମ୍ଭ ହେବା ସମୟରେ ସୋମନାଥରେ ଉପସ୍ଥିତ ରହିବା ବିଶେଷ ଭାବରେ ସ୍ୱତନ୍ତ୍ର ଥିଲା। ଏକ ଯାତ୍ରା ବହୁତ କଷ୍ଟକର ହୋଇପାରେ, ଏଥିପାଇଁ ଦୀର୍ଘ ସମୟ, ନିରନ୍ତର ଯାତ୍ରା, ଶାରୀରିକ ସହନଶୀଳତା ଏବଂ କ୍ଳାନ୍ତି ସତ୍ତ୍ୱେ ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତା ଆବଶ୍ୟକ ହୁଏ। ଆଡଭାଣୀ ଜୀ ଏହି ସହନଶୀଳତାକୁ ମୂର୍ତ୍ତିମନ୍ତ କରିଥିଲେ ।
ବିହାରରେ ଆଡଭାଣୀ ଜୀଙ୍କୁ ଗିରଫ କରାଯିବାର ଦୁଃଖଦାୟକ ମୁହୂର୍ତ୍ତଗୁଡ଼ିକ ଏବେ ମଧ୍ୟ ମୋର ମନେ ଅଛି। ତତ୍କାଳୀନ ସମୟରେ ଗୁଜରାଟରେ, ବିଜେପି ଚିମନଭାଇ ପଟେଲଙ୍କ ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଥିଲା। ଏହା ମାଧ୍ୟମରେ ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଇଥିଲା ଯେ, ଆମର ବିଚାରଧାରା ଏବଂ ରାମ ମନ୍ଦିର ପ୍ରସଙ୍ଗରେ କେବେବି କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ। ପରିସ୍ଥିତି ଯାହା ହେଉନା କାହିଁକି, ରାମ ମନ୍ଦିର ନିଶ୍ଚିତ ଭାବରେ ନିର୍ମାଣ କରାଯିବ ବୋଲି ଆମର ଅନେକ ବରିଷ୍ଠ ନେତା ଏବଂ କାର୍ଯ୍ୟକର୍ତ୍ତା ଶପଥ ନେଇଥିଲେ । ଆଉ ବର୍ଷ ବର୍ଷ ପରେ, ଭାରତର ଜନସାଧାରଣଙ୍କ ଆଶୀର୍ବାଦରୁ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ ହେବା ସତ୍ୟରେ ପରିଣତ ହେଲା ।
ଆଡଭାଣୀ ଜୀଙ୍କ ବ୍ୟକ୍ତିତ୍ୱରେ ଆହୁରି ଅନେକ ଉଲ୍ଲେଖନୀୟ ଦିଗ ରହିଛି। ଉଦାହରଣ ସ୍ୱରୂପ, ତାଙ୍କର ସରଳତା। ‘ନବନିର୍ମାଣ ଆନ୍ଦୋଳନ’ ପରେ, ଆଡଭାଣୀ ଜୀ ଜୁନାଗଡ଼ ଆସିଥିଲେ ଏବଂ ସେଠାରେ ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ଭାବରେ ଏକ ମାସ ରହିଥିଲେ। ସେଠାରେ ରହି ସେ ବିଧାନସଭା ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିଥିଲେ । ସେହି ନିର୍ବାଚନରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ସାର୍ବଜନୀନ ଜୀବନରେ ନୈତିକତା ଓ ସଚ୍ଚୋଟତା କ’ଣ, ତାହା ସେ ସର୍ବଦା ପ୍ରଦର୍ଶିତ କରିଆସିଛନ୍ତି। ସେ ଜଣେ ଅତ୍ୟନ୍ତ ପଠନପ୍ରିୟ ବ୍ୟକ୍ତି। ଯେଉଁମାନେ ତାଙ୍କ ସହିତ ସମୟ ବିତାଇଛନ୍ତି, ସେମାନେ ଜାଣନ୍ତି ଯେ ସେ କେତେ ଯତ୍ନର ସହ ଖବରକାଗଜ ପଢ଼ନ୍ତି। ସେ ଚଳଚ୍ଚିତ୍ର ଏବଂ ନାଟକର ବହୁତ ବଡ଼ ପ୍ରଶଂସକ। ସେ ମଧ୍ୟ ଜଣେ ଉତ୍ସାହୀ ଚଳଚ୍ଚିତ୍ର ସମୀକ୍ଷକ। ଇତିହାସ ପ୍ରତି ତାଙ୍କର ଗଭୀର ଦୃଷ୍ଟିକୋଣ ଏବଂ ଏହାକୁ ସଂରକ୍ଷଣ କରିବାର ଆବଶ୍ୟକତା ତାଙ୍କ ପୁସ୍ତକ ‘ମାଇଁ କଣ୍ଟ୍ରି ମାଇଁ ଲାଇଫ୍’ରେ ସ୍ପଷ୍ଟ ଭାବରେ ପରିଲକ୍ଷିତ ହୁଏ।
ଆଡଭାଣୀ ଜୀ ସର୍ବଦା ସିନ୍ଧୀ ସଂସ୍କୃତି ସହ ଯୋଡ଼ି ହୋଇ ରହିଛନ୍ତି । ତାଙ୍କର ଆଉ ଗୋଟିଏ ପ୍ରୟାସ ଥିଲା- ଲେହ ନିକଟରେ ‘ସିନ୍ଧୁ ଦର୍ଶନ ପୂଜା’କୁ ଲୋକପ୍ରିୟ କରିବା। ମୁଁ ନିଜେ ଆଡଭାଣୀ ଜୀ ଏବଂ ଜର୍ଜ ଫର୍ଣ୍ଣାଣ୍ଡିସ୍ ଜୀଙ୍କ ସହିତ ଏପରି ଏକ ପୂଜାରେ ଯାଇଥିଲି।
କମଲା ଆଡଭାଣୀ ଜୀଙ୍କ ଉଲ୍ଲେଖ ବିନା ଆଡଭାଣୀ ଜୀଙ୍କ ଅସାଧାରଣ ଯାତ୍ରା ବିଷୟରେ କୌଣସି ବର୍ଣ୍ଣନା ଅସମ୍ପୂର୍ଣ୍ଣ ରହିବ। ତାଙ୍କର ସାର୍ବଜନୀନ ଜୀବନରେ ଶ୍ରୀମତୀ ଆଡ଼ଭାଣୀ ସର୍ବଦା ଶକ୍ତି ଓ ସମର୍ଥନର ଏକ ଉତ୍ସ ହୋଇ ରହିଥିଲେ।
କରାଚୀରେ ବଢ଼ିବା ସମୟରେ, ଆଡଭାଣୀ ଜୀ ବୋଧହୁଏ କଳ୍ପନା ମଧ୍ୟ କରିନଥିବେ ଯେ ତାଙ୍କ ଜୀବନ କେଉଁ ମୋଡ଼ ନେବ। କୃତଜ୍ଞତା ସ୍ୱରୂପ, ଭାରତର ଜନସାଧାରଣ ୨୦୨୪ ମସିହାରେ ତାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ଭୂଷିତ କରିଛନ୍ତି। ଆଡଭାଣୀ ଜୀ ନିଜ ଜୀବନର ଶହେତମ ବର୍ଷରେ ପଦାର୍ପଣ କରୁଥିବା ବେଳେ ସେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରନ୍ତୁ ଏବଂ ପୂର୍ବଭଳି ଆମ ସମସ୍ତଙ୍କୁ ଅନୁପ୍ରାଣିତ କରିଚାଲନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।