ନୂଆଦିଲ୍ଲୀ ତା ୨୯.୧୧. ରିଖ ; ବିଶିଷ୍ଟ ସାମାଜିକ ଉଦ୍ୟୋଗୀ, ସୁଶ୍ରୁତ ସୁପର ସ୍ପେସିଆଲିଟି ହସ୍ପିଟାଲ ଏଣ୍ଡ୍ ଟ୍ରମା ସେଣ୍ଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ୱାର୍ଲଡ୍ ଓଡିଶା ସୋସାଇଟିର ମହିଳା ଶାଖାର ସାଧାରଣ ସମ୍ପାଦକ ଡକ୍ଟର ଚିଦାତ୍ମିକା ଖଟୁଆଙ୍କୁ “ଇନ୍ସ୍ପାୟାରିଂ ଇଣ୍ଡିଆନ ଅଫ ଦି ଇଅର୍ ୨୦୨୬” ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସମ୍ମାନିତ ୧୦୦ ଜଣ ପ୍ରେରଣାଦାୟୀ ଭାରତୀୟଙ୍କ ତାଲିକାରେ ଡକ୍ଟର ଖଟୁଆଙ୍କ ନାମ ସାମିଲ ହୋଇଛି।ଡକ୍ଟର ତିଲକ ତନ୍ୱାରଙ୍କ ଦ୍ୱାରା ଲିଖିତ “୧୦୦ ଇନ୍ସ୍ପାୟାରିଂ ଇଣ୍ଡିଆନ୍ସ” ପୁସ୍ତକଟି ନୂଆଦିଲ୍ଲୀରେ ଗୋଲ୍ଡେନ୍ ସ୍ପାରୋଜ୍ ଦ୍ୱାରା ଆୟୋଜିତ ଏକ ଭବ୍ୟ ଉତ୍ସବରେ ସମ୍ପ୍ରତି ଉନ୍ମୋଚନ କରାଯାଇଛି। ଏହି ଅବସରରେ ପଦ୍ମଶ୍ରୀ ପୁରସ୍କୃତ ପ୍ରଖ୍ୟାତ କ୍ରୀଡ଼ାବିଦ୍ ଅଞ୍ଜୁ ବବି ଜର୍ଜ ଏବଂ ଲେଖକ ଡକ୍ଟର ତନ୍ୱାର ଡକ୍ଟର ଖଟୁଆଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ। ସମାବେଶରେ ଶ୍ରୀମତୀ ଜର୍ଜ ଡକ୍ଟର ଖଟୁଆଙ୍କ ଉପରେ ଏକ ବ୍ୟକ୍ତିଗତ ଡାକଟିକଟ ମଧ୍ୟ ଉନ୍ମୋଚନ କରି ତାଙ୍କ ପ୍ରତି ବିରଳ ସମ୍ମାନ ଜଣାଇଥିଲେ।”୧୦୦ ଇନ୍ସ୍ପାୟାରିଂ ଇଣ୍ଡିଆନ୍ସ” ପୁସ୍ତକଟିରେ ଦେଶର ଶହେ ଜଣ ଉତ୍କୃଷ୍ଟ ବ୍ୟକ୍ତିଙ୍କର ଅସାଧାରଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯେଉଁମାନଙ୍କର ସଫଳତା ଓ ଅବଦାନ ସମାଜ ଉପରେ ଗଭୀର ପ୍ରଭାବ ପକାଇଛି।



ଏହି ବହୁପ୍ରଶଂସିତ ପୁସ୍ତକରେ ଗତ ୩୦ ବର୍ଷ ଧରି ଡକ୍ଟର ଚିଦାତ୍ମିକା ଖଟୁଆଙ୍କର ଅନନ୍ୟ ସାଧନା ଓ ଅସାମାନ୍ୟ ସିଦ୍ଧି ଉପରେ ଆଲୋକପାତ କରାଯାଇଛି। ଡକ୍ଟର ଖଟୁଆ ଭାରତର ଆଦିବାସୀ ମହିଳାମାନଙ୍କର ମର୍ଯ୍ୟାଦା, ପରିଚୟ ଓ ସୁଯୋଗ ପୁନଃସ୍ଥାପନ ପାଇଁ ନିଜ ଜୀବନ ଉତ୍ସର୍ଗ କରିବା ସହିତ ସେମାନଙ୍କର ସଶକ୍ତିକରଣର ଅନ୍ୟତମ ପ୍ରଭାବଶାଳୀ ସ୍ୱର ଭାବେ ଉଭା ହୋଇଥିବା ଏହି ବହିରେ ଦର୍ଶାଯାଇଛି । ଯେତେବେଳେ ଆଦିବାସୀ ମହିଳାମାନେ ନିଜର ଅସାଧାରଣ ପ୍ରତିଭା, ସମୁନ୍ନତ ସଂସ୍କୃତି ଓ ସ୍ୱାଭାବିକ ଶକ୍ତି ଥିବା ସତ୍ତ୍ୱେ ଅଦୃଶ୍ୟତାରେ ରହୁଥିଲେ, ସେତେବେଳେ ସେ ଏକ ଐତିହାସିକ ପଦକ୍ଷେପ ନେଇ ସେମାନଙ୍କୁ ଗର୍ବ ଓ ଗାରିମାର ସହିତ ଜାତୀୟ ଦରବାରକୁ ଆଣିବାରେ ସକ୍ଷମ ହୋଇ ପାରିଥିଲେ। ତାଙ୍କ ଦ୍ୱାରା ପରିକଳ୍ପିତ ଓ ପ୍ରତିଷ୍ଠିତ ଭାରତର ପ୍ରଥମ ଟ୍ରାଇବାଲ୍ କୁଇନ୍ ପ୍ରତିଯୋଗିତା “ଆଦି ରାଣୀ” ମାଧ୍ୟମରେ ସେ ଆଦିବାସୀ ପ୍ରତିନିଧିତ୍ୱକୁ ଆତ୍ମବିଶ୍ୱାସ, ସାମର୍ଥ୍ୟ ଓ ପୁନରୁତ୍ଥାନର ଏକ ମହାନ ଅଭିଯାନରେ ରୂପାନ୍ତରିତ କରିଛନ୍ତି।



ଡକ୍ଟର ଖଟୁଆଙ୍କର ପ୍ରୟାସ ଫଳରେ ଭାରତରେ ୨,୦୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ପରିଚୟ ନିର୍ମାଣ ଉଦ୍ୟମ, ପ୍ରଦର୍ଶନୀ, ସାଂସ୍କୃତିକ ମଞ୍ଚ, ନେତୃତ୍ୱ କାର୍ଯ୍ୟକ୍ରମ ଓ ଜୀବିକା ସୁଯୋଗ ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ପ୍ରେରଣା ମିଳିବା ସାଙ୍ଗକୁ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଇଛି। ତାଙ୍କ ମାର୍ଗଦର୍ଶନରେ ଆଦିବାସୀ ସମୁଦାୟ ୧୫ଟି ପ୍ରଦର୍ଶନୀରେ ୬୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରିଛନ୍ତି, ଯାହା ଦ୍ୱାରା ଆଦିବାସୀ କାରିଗର ଓ ମହିଳାମାନେ ଆର୍ଥିକ ସମୃଦ୍ଧି ଓ ସାମାଜିକ ମାନ୍ୟତା ଲାଭ କରିଛନ୍ତି। ତାଙ୍କର ଶିକ୍ଷା ପ୍ରୋତ୍ସାହନ କାର୍ଯ୍ୟକ୍ରମ ମାଧ୍ୟମରେ ୫,୦୦୦ରୁ ଅଧିକ ଶିକ୍ଷକଙ୍କୁ ଦକ୍ଷତାପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଇଛି, ଯାହା ଭବିଷ୍ୟତ ପିଢ଼ି ପାଇଁ ଗୁଣାତ୍ମକ ଶିକ୍ଷା ସୁଯୋଗ ସୁନିଶ୍ଚିତ କରିଛି। ସେ ଜଣେ ଯୁଗାନ୍ତକାରୀ ପଥପ୍ରଦର୍ଶକର ମାନ୍ୟତା ହାସଲ କରିଛନ୍ତି ଯିଏକି ଆଦିବାସୀ ମହିଳାମାନଙ୍କୁ କେବଳ ଏକ ମଞ୍ଚ ନୁହେଁ, ବରଂ ଏକ ସ୍ୱର, ପରିଚୟ, ମର୍ଯ୍ୟାଦା ଏବଂ ଜାତୀୟ ସାମାଜିକ ଚେତନାରେ ସେମାନଙ୍କର ଯଥାର୍ଥ ସ୍ଥାନ ପ୍ରଦାନ କରିଛନ୍ତି।
୧୯୯୬ ମସିହାରୁ ତାଙ୍କର ମାନବିୟ ଉଦ୍ୟମ ସ୍ୱାସ୍ଥ୍ୟସେବା, ଶିଶୁ କଲ୍ୟାଣ, ଦକ୍ଷତା ବିକାଶ ଓ କ୍ଷୁଧା ନିବାରଣ କ୍ଷେତ୍ରକୁ ମଧ୍ୟ ସମ୍ପ୍ରସାରିତ ହୋଇଛି। ତାଙ୍କର ଦାତବ୍ୟ କାର୍ଯ୍ୟାବଳୀ ମଧ୍ୟରେ ଭୁବନେଶ୍ୱରସ୍ଥିତ ଏଆଇଆଇଏମଏସ୍ ଠାରେ ସୋ ଆମ ଆଇ ଫାଉଣ୍ଡେସନର ସହଯୋଗରେ ପ୍ରତିଦିନ ପ୍ରାୟ ୬୦୦ ଅସହାୟ ଜନସାଧାରଣଙ୍କୁ ମାଗଣାରେ ଭୋଜନ ଯୋଗାଇ ଦିଆଯିବା ଅନ୍ତର୍ଭୁକ୍ତ ଅଛି। ବର୍ଷ ବର୍ଷ ଧରି ଖାଦ୍ୟ ସହାୟତା, କଲ୍ୟାଣ ସମର୍ଥନ ଓ ଶୁଖିଲା ରାସନ ବଣ୍ଟନ ଭଳି ତାଙ୍କର ବିବିଧ ମାନବ ସେବା ବ୍ୟାପକ ଭାବେ ଆଦୃତ ହେବା ସାଙ୍ଗକୁ ୫୦,୦୦୦ରୁ ଅଧିକ ମୂଲ୍ୟବାନ ଜୀବନକୁ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ସକ୍ଷମ ହୋଇପାରିଥିବା ଦର୍ଶାଯାଉଛି।
ବିଶ୍ୱର ୨୩ ଜଣ ସକାରାତ୍ମକ ପରିବର୍ତ୍ତନ ସୃଷ୍ଟିକାରୀଙ୍କ ମଧ୍ୟରୁ ଅନ୍ୟତମ ଭାବେ ସ୍ୱୀକୃତି ଲାଭ କରି ଡକ୍ଟର ଚିଦାତ୍ମିକା ଖଟୁଆ ଲଣ୍ଡନ ଠାରେ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡସ ହାସଲ କରିବା ଭଳି ଅନେକ ଆନ୍ତର୍ଜାତିକ ସ୍ୱୀକୃତି ମଧ୍ୟ ଅର୍ଜନ କରିଛନ୍ତି ।