ଡାକନ୍ତି ଡାମରା ଏବେ ରାତି ପାହିଲା

ଅର୍ଜୁନୀ ଚରଣ ବେହେରା

ଚମକି ଡାକନ୍ତି ଡାମରା ଏବେ ରାତି ପାହିଲା l
ଉଠଉଠ ସର୍ବେ ଜଗତବାସୀ ନକରି ହେଳା ll
ପ୍ରାଚୀ ଗଗନରେ ପ୍ରଭାତୀ ତାରା ଝଟକ ମଣି l
ମଥାମଣି ଯଥା ଶିନ୍ଥିର ଶୋଭା ଉଷାତରୁଣୀ ll
କମ୍ବୁ ନାଦ ଶୁଣି ଜମ୍ବୁକେ ଗଲେ ବଣରେ ଲୁଚି l
ହରେ କୃଷ୍ଣ ହରି କୀର୍ତ୍ତନ ଦେବାଳୟୁ ଶୁଭୁଛି ll
ମଙ୍ଗଳଆଳୟା ମଙ୍ଗଳା ମାଆ ସାରି ସ୍ନାହାନ l
ଭକ୍ତଗଣ ଡାକି ଯାଚନ୍ତି ମାଆ ଶୁଭ କଲ୍ୟାଣ ll
ସରସୀରେ ଅବ୍ଜ ଫୁଟିଲେ ଚାହିଁ ଅବ୍ଜରମଣ l
ମଧୁପେ ମଧୁରେ ଭ୍ରମନ୍ତି କରି ମଧୁ ଗୁଞ୍ଜନ ll
ଜୁଇ,ଜାଇ,ମଲ୍ଲି,ମାଳତି,ଚମ୍ପା କାନନେ ଫୁଟି l
ମନ୍ଦ ମନ୍ଦ ଗନ୍ଧ ବହରେ ଆସେ ବାସ ଚହଟି ll
ଉଠଉଠ ସର୍ବେ ବାଳକେ ଏବେ ପଖାଳ ମୁଖ l
ଶ୍ରୀ ଗଣନାଥଙ୍କୁ ସୁମରି ସର୍ବେ ଅକ୍ଷର ଲେଖ ll
ମାଆ ବୀଣାପାଣି ବୁଲନ୍ତି କରି ବୀଣା ବାଦନ l
ବିଦ୍ୟାରମ୍ଭ କର ବାଳକେ ତାଙ୍କ ପୁଜି ଚରଣ ll
କୁକ୍କୁଟେ ଡାକନ୍ତି ମୁକୁଟ ଟେକି ହେ ଚକ୍ରଧର l
ହୀନ ଏହି ଦ୍ଵିଜ ଜନ୍ମରୁ ପ୍ରଭୋ ଉଦ୍ଧାର କର ll
ନମଃ ଚକାଡୋଳା ମଣିମା ପ୍ରଭୁ ପଙ୍କଜ ମୁଖ l
ଶିରିମନ୍ଦିରରେ ଖୁଣ୍ଟିଆ ଦେଲେ ମଣିମା ଡାକ ll
ନମଃ ନମଃ ଦେବ ସବିତା ପ୍ରଭୁ ଛାୟାରମଣ l
ପ୍ରଭାତପ୍ରଣତି ଘେନହେ ପ୍ରଭୋ ସୃଷ୍ଟି କାରଣ ll

ଅର୍ଜୁନୀ
ମୋ -7693091971

Comments are closed.