ଭାରତୀୟ ପାଇଲଟ୍‌ଙ୍କ ବୀରତ୍ୱରେ ଇସ୍ରାଏଲ ମୁଗ୍ଧ; ମୋଦୀଙ୍କୁ ନେତାନ୍ୟାହୁଙ୍କ ବଡ଼ ନିମନ୍ତ୍ରଣ

ନୂଆଦିଲ୍ଲୀ: ଭାରତ ଓ ଇସ୍ରାଏଲ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇ ଇସ୍ରାଏଲର ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବାକୁ ତାଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସମାରୋହରେ ସାହସିକତା ପ୍ରଦର୍ଶନ କରିଥିବା ଭାରତୀୟ ପାଇଲଟ୍‌ ସ୍ମିତ୍‌ ମାଚ୍ଛରଙ୍କ ସହ ଦୀପଶିଖା ଜାଳିବାକୁ ମଧ୍ୟ ମୋଦୀଙ୍କୁ ଆମନ୍ତ୍ରଣ କରିଛନ୍ତି ନେତାନ୍ୟାହୁ।

ନେତାନ୍ୟାହୁ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‌ କରି ପାଇଲଟ୍‌ ସ୍ମିତ୍‌ ମାଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି। ଦୁବାଇରୁ ତେଲ୍‌ ଆଭିଭ୍‌ ଯାଉଥିବା ଏକ ବିମାନରେ ଘଟିଥିବା ଗୁରୁତର ଘଟଣା ସମୟରେ ମାଚ୍ଛର ଅସାଧାରଣ ସାହସ ଦେଖାଇ ବଡ଼ ଦୁର୍ଘଟଣାକୁ ରୋକିବାରେ ସହାୟତା କରିଥିଲେ। ତାଙ୍କର ଏହି ସାହସିକ ଭୂମିକାକୁ ସମ୍ମାନ ଜଣାଇବାକୁ ନେତାନ୍ୟାହୁ ଆଗ୍ରହ ପ୍ରକାଶ କରିଛନ୍ତି।ନେତାନ୍ୟାହୁଙ୍କ କହିବା ଅନୁଯାୟୀ,ମୋଦୀ ନିମନ୍ତ୍ରଣ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିସହ ଭାରତ ଓ ଇସ୍ରାଏଲ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ଏବଂ ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ମୋଦୀ ଗୁରୁତ୍ୱ ଦେଇଥିବା ସେ ଉଲ୍ଲେଖ କରିଛନ୍ତି।ଅନ୍ୟପକ୍ଷରେ,ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ନେତାନ୍ୟାହୁଙ୍କ ସହ ଆଲୋଚନା ସମ୍ପର୍କରେ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ସହ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ଉଭୟ ନେତା ନିଜର ପ୍ରତିବଦ୍ଧତା ଦୋହରାଇଥିବା ସେ କହିଛନ୍ତି।

Comments are closed.