ସଠିକ ତଦନ୍ତ ଓ ଦଣ୍ଡାଦେଶ ବୃଦ୍ଧିକୁ ନେଇ ତାଲିମ ନେଲେ ଆର.ଉଦୟଗିରି ପୋଲିସ ।

0

ଗଜପତି, (ମନୋଜ କୁମାର ପାଢୀଙ୍କ ରିପୋର୍ଟ):-ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ ହେବା ପରେ ଜନସାଧାରଣଙ୍କୁ କିପରି ତ୍ୱରିତ ନ୍ୟାୟ ମିଳିପାରିବ ତଥା ବିଚାର ବ୍ୟବସ୍ଥା ଉପରେ ସମସ୍ତଙ୍କର ଆସ୍ଥା ପ୍ରକଟ ହୋଇପାରିବ, ସେହି କଥାକୁ ଚିନ୍ତା କରି ତଥା ଗଜପତି ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦ୍ଦେଶ ମୁତାବକ ଗତକାଲି ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆର.ଉଦୟଗିରି ଥାନା ପରିସରରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଆର. ଉଦୟଗିରି ଥାନାଧିକାରୀ କଳ୍ପଲତା ପ୍ରଧାନ, ସବ ଇନ୍ସପେକ୍ଟର କୌତୁକ ସେଠୀ, ଲକ୍ଷ୍ମଣ ବେଶ୍ରା, ଗଙ୍ଗାଧର ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ। ଉକ୍ତ ବୈଠକରେ ମୁଖ୍ୟତଃ ବିଭିନ୍ନ ମାମଲାର ତଥ୍ୟାବଳୀ କିପରି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି-ବିଚ୍ୟୁତିକୁ କିପରି ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ସହଯୋଗରେ ଯଥାସମ୍ଭବ ଠିକ କରାଯାଇପାରିବ, ସେ ସମ୍ପର୍କରେ ଏକ ଫଳପ୍ରଦ ଆଲୋଚନା କରାଯାଇଥିଲା। ଏହା ସହିତ ଜନସାଧାରଣଙ୍କ ନିକଟତର ହୋଇ କିପରି ଦୁର୍ଘଟଣା ମାମଲା ତଥା ଅନ୍ୟ ଛୋଟ ଛୋଟ ମାମଲା ତୃଣମୂଳ ସ୍ତରରେ ସମାଧାନ କରାଯାଇ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଯାଇପାରିବ, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏତଦବ୍ୟତୀତ ଏହି ତାଲିମ ଶିବିରରେ ବିଭିନ୍ନ ସଙ୍ଗୀନ ମାମଲାରେ ପୋଲିସ ବିଭାଗର କର୍ମଚାରୀମାନେ ନ୍ୟାୟାଳୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା। ସେହିପରି ଏହି ପ୍ରସଙ୍ଗରେ ବିଶେଷ ଭାବେ ମାନ୍ୟବର ସୁପ୍ରିମକୋର୍ଟଙ୍କର ବିଭିନ୍ନ ଦିଶା ନିର୍ଦ୍ଦେଶ ଉପରେ ମଧ୍ୟ ଆଲୋଚନା କରାଯାଇ କିପରି ଦଣ୍ଡ ହାର ବୃଦ୍ଧି କରାଯାଇପାରିବ ତଥା ମଟର ଯାନ ଅଧିନିୟମର କଡା ପାଳନ କରାଯାଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶୃଙ୍ଖଳାଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ସେ ନେଇ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ସର୍ବଶେଷରେ ଏହି ବୈଠକର ସଫଳ ଆୟୋଜନ ନିମନ୍ତେ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଲୋକଙ୍କ ଆସ୍ଥାଭାଜନ ହୋଇ ଜନହିତରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ।

Leave A Reply

Your email address will not be published.