ଚା’ ଓ ଆମର ସ୍ୱାସ୍ଥ୍ୟ

ଆମ ଶରୀର ପାଇଁ ଜଳ ଅତ୍ୟାବଶ୍ୟକ। ସେଥିପାଇଁ ଜଳର ଅନ୍ୟନାମ ଜୀବନ। କିନ୍ତୁ ପାନୀୟ ଦୃଷ୍ଟିରୁ ଜଳ ପରେ ଯେ ଚା’ର ସ୍ଥାନ, ଏହା ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ୍ୟ।
ଚା’ର ବ୍ୟବହାର ପ୍ରଥମେ ଚୀନ୍ ଦେଶରେ ହୋଇଥିଲା। ସାଧାରଣ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଏବଂ ଅତିଶୟ ନିଦ୍ରାର ଔଷଧ ରୂପେ ଏହାର ପ୍ରୟୋଗ କରାଯାଉଥିଲା। କାଳକ୍ରମେ ଏହା ବିଶ୍ୱର ଅଧିକାଂଶ ଅଞ୍ଚଳକୁ ବ୍ୟାପିଲା।
ଚା’-ପତିର ରଙ୍ଗ ଅନୁସାରେ, ଆମେ ବିଭିନ୍ନ ପ୍ରକାରର ଚା’ ବ୍ୟବହାର କରୁ। ସେଥି ମଧ୍ୟରେ ରହିଛି- ଲାଲ୍‌, କଳା, ସବୁଜ ଓ ହଳଦିଆ ଚା’। କିନ୍ତୁ ଆମେ ସବୁଠାରୁ ଅଧିକ ବ୍ୟବହାର କରୁଥିବା ଚା’ ଲାଲ୍ କିମ୍ବା କଳା ଚା’-ପତିରେ ପ୍ରସ୍ତୁତ। ଏଥିରେ ପ୍ରସ୍ତୁତ ଚା’ ପିଇବା ଦ୍ୱାରା ମନର ଏକାଗ୍ରତା ବୃଦ୍ଧି ପାଇଥାଏ। ଏହା ଶରୀରରେ ‘ଷ୍ଟ୍ରେସ୍ ହରମୋନ୍‌’ ପରିମାଣକୁ ଖୁବ୍ ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ନେଇଆସିବା ଫଳରେ ଆମେ ମାନସିକ ଚାପରୁ ମୁକ୍ତ ହୋଇଥାଉ।

ନିୟମିତ ଚା’ ପାନ କରିବା ଦ୍ୱାରା ଆମ ହାଡ଼ ମଜବୁତ୍ ହୋଇଥାଏ। ଏହା ‘ଟାଇପ୍‌-୨’ ଡାଇବେଟିସ୍ ବା ମଧୁମେହର ଆଶଙ୍କାକୁ କମ୍ କରେ। ଉଚ୍ଚ ରକ୍ତଚାପ ଓ କୋଲେଷ୍ଟେରଲର ଉଚ୍ଚସ୍ତରକୁ ମଧ୍ୟ ଏହା କମ୍ କରିବାରେ ସାହାଯ୍ୟ କରେ। ପାର୍କିନ୍‌ସନ୍ ବ୍ୟାଧି ବା କମ୍ପବାତର ଆଶଙ୍କା ମଧ୍ୟ ହ୍ରାସ କରିଥାଏ।

ନିୟମିତ ଚା’ ପାନ, ମୁଖର ଦୁର୍ଗନ୍ଧ, ଦାନ୍ତର ଗର୍ତ୍ତ ଓ ଦନ୍ତକ୍ଷୟ ସମସ୍ୟାରୁ ରକ୍ଷା କରିବା ସହିତ ଶରୀରର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଆମର ତ୍ୱକ୍ ଉଜ୍ଜ୍ୱଳ, ଦୃଢ଼ ଓ ତରୁଣ ରହିଥାଏ। ଚା’ରେ ପ୍ରଚୁର ପରିମାଣରେ ‘ଆଣ୍ଟି ଅକ୍ସିଡାଣ୍ଟ’ ଉପାଦାନ ରହିଥିବାରୁ, ଏହା ପାନ କରିବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଥଣ୍ଡା ହେଲେ ଲେମ୍ବୁରସଯୁକ୍ତ ଚା’ ପାନ କରିବା ଦ୍ୱାରା ଉପଶମ ମିଳିଥାଏ।
ଆୟୁର୍ବେଦ ଶାସ୍ତ୍ରରେ ଚା’କୁ କୁହାଯାଇଛି ‘ଶ୍ୟାମାପର୍ଣ୍ଣି’। ଏହା ବାତ ଓ ପିତ୍ତ ପ୍ରଶମିତ କରେ ଏବଂ ଅର୍ଶ, ମୂତ୍ରଅବରୋଧ, କ୍ଳାନ୍ତି, ଜ୍ୱର, ଅଧାକପାଳୀ ମୁଣ୍ଡବିନ୍ଧା ଇତ୍ୟାଦିରେ ହିତକାରୀ ସାବ୍ୟସ୍ତ ହୋଇଥାଏ।

ଆମେ ଦୁଇଗୋଟି ଭୋଜନର ମଧ୍ୟବର୍ତ୍ତୀ ସମୟରେ, ଦିନକୁ ସର୍ବାଧିକ ୨ରୁ ୩ଥର ଚା’ ପାନ କରିବା ଉଚିତ୍। ଏହା ଠାରୁ ଅଧିକ ପରିମାଣରେ ଚା’ ପାନ କଲେ ବିଭିନ୍ନ ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା, ଯଥା- ଅନିଦ୍ରା, ବାନ୍ତି, ହୃଦୟ ସ୍ପନ୍ଦନରେ ଅନିୟମିତତା, କମ୍ପ, ମୁଣ୍ଡ ବୁଲାଇବା, ଛାତି ଜଳାପୋଡ଼ା ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ। ଚା’କୁ ଅତ୍ୟନ୍ତ ଗରମ ଅବସ୍ଥାରେ ପାନ ନକରି ଏହାକୁ ଅଳ୍ପ ଉଷୁମ ଥିବା ଅବସ୍ଥାରେ ପାନ କରିବା ଉଚିତ୍। ଅତି ଗରମ ଚା’ ବାରମ୍ବାର ପାନ କଲେ ଏହାଦ୍ୱାରା ଆମାଶୟ ଓ ଖାଦ୍ୟନଳୀ ସମ୍ବନ୍ଧିତ ରୋଗର ଆଶଙ୍କା ବୃଦ୍ଧି ପାଏ।

Comments are closed.