‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ପାଇଁ କ୍ଷମାଭିକ୍ଷା କଲେ ଅଭିନେତା ପରେଶ ରାୱଲ୍‌

ନୂଆଦିଲ୍ଲୀ: ଗୁଜରାଟରେ ‘ବିଜେପି’ ସପକ୍ଷରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ‘ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବ’ ଟିପ୍ପଣୀ ଦେଇ ତୀବ୍ର ସମାଲୋଚିତ ହୋଇଥିବା ଅଭିନେତା ପରେଶ ରାୱଲ୍‌ ଆଜି କ୍ଷମାଭିକ୍ଷା କରିଛନ୍ତି।

ଆଜି ସକାଳେ ଟୁଇଟ୍‌ କରି ସେ କ୍ଷମାଯାଚନା କରିବା ସହ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି: ଗୁଜରାଟୀମାନେ ମାଛ ରାନ୍ଧି ଖାଉ ନ ଥିବାରୁ ମାଛ ଏ କ୍ଷେତ୍ରରେ ମାମଲା ନୁହେଁ। ମୁଁ ବଙ୍ଗାଳୀ କହିବାର ଅର୍ଥ ହେଉଛି ବେଆଇନ୍‌ ଭାବେ ଆସୁଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ। ତା’ ସତ୍ତ୍ବେ ଯଦି ମୁଁ ଆପଣମାନଙ୍କ ଭାବାବେଗକୁ ଆଘାତ ଦେଇଥାଏ, ମୁଁ କ୍ଷମାଯାଚନା କରୁଛି।

ବଲସାଦ୍‌ରେ ପ୍ରଚାର ଅଭିଯାନ ବ‌େ‌ଳେ ଗୋଟାଏ ରାଲିରେ ସେ କହିଥିଲେ, ଗୁଜରାଟବାସୀ ମୁଦ୍ରାସ୍ଫୀତି ସହ୍ୟ କରି ପାରିବେ, କିନ୍ତୁ ପଡ଼ୋଶୀ ଭାବେ ବାଂଲାଦେଶୀ ଓ‌ ରୋହିଙ୍ଗ୍ୟାମାନଙ୍କୁ ସହ୍ୟ କରିପାରିବେ ନାହିଁ।

ସେ କହିଥିଲେ, ଗ୍ୟାସ୍‌ ସିଲିଣ୍ଡର୍‌ ମହଙ୍ଗା, କିନ୍ତୁ ତା’ର ମୂଲ୍ୟ କମିଯିବ। ଲୋକେ ମଧ୍ୟ କର୍ମସଂସ୍ଥାନ ପାଇବେ। କିନ୍ତୁ, ଦିଲ୍ଲୀରେ ରହିବା ପରି ଯଦି ଆପଣମାନଙ୍କ ଚାରିପଟେ ରୋହିଙ୍ଗ୍ୟା ପ୍ରବାସୀ ଓ ବାଂଲାଦେଶୀମାନେ ବସବାସ କଲେ କ’ଣ ହେବ? ଗ୍ୟାସ୍‌ ସିଲିଣ୍ଡର୍‌ ନେଇ ଆପଣମାନେ କ’ଣ କରିବେ? ବଙ୍ଗାଳୀମାନଙ୍କ ପାଇଁ ମାଛ ରାନ୍ଧିବେ?

ଗୁଜରାଟୀମାନେ ଦରଦାମ ବୃଦ୍ଧି ସହ୍ୟ କରିପାରିବେ, କିନ୍ତୁ ରୋହିଙ୍ଗ୍ୟା ଓ ବାଂଲାଦେଶୀ ପ୍ରବାସୀଙ୍କୁ ସହ୍ୟ କରି ପାରିବେ ନାହିଁ। ସେମାନେ ମୁହେଁ ମୁହେଁ ଗାଳିଫଜିତ କରି‌ବେ। ସେମାନେ ମଧ୍ୟରେ ଥିବା ବ୍ୟକ୍ତି ମୁହଁରେ ‘ଡାଇପର୍‌’ ପିନ୍ଧିବା ଆବଶ୍ୟକ ବୋଲି ସେ କହିଥିଲେ।

ଦିଲ୍ଲୀ ଶାସନ କରୁଥିବା ‘ଆପ୍‌’ ମୁଖ୍ୟ କେଜ୍ରିୱାଲ୍‌ଙ୍କୁ ଉଦ୍ଦେଶ୍ୟ କରି ପରେଶ ରାୱଲ୍‌ ଏକଥା କହିଥିବା ପରି ମନେହେଉଥିଲେ ବି, ଅନେକେ ଏହାକୁ ବଙ୍ଗାଳୀମାନଙ୍କ ପ୍ରତି ଅସୂୟା ଭାଷଣ ବୋଲି କହିଥିଲେ।

Comments are closed.