ଜାତୀୟ ସ୍ୱଚ୍ଛତା ପୁରସ୍କାରରେ ଓଡ଼ିଶାର ଦବଦବା;୩ ସହରକୁ ମିଳିଲା ସମ୍ମାନ

0

ଭୁବନେଶ୍ୱର: ଜାତୀୟ ସ୍ତରରେ ଚମକିଲା ଓଡ଼ିଶା। ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୫-୨୬ରେ ରାଜ୍ୟର ୩ଟି ସହର ହାସଲ କରିଛନ୍ତି ଉଲ୍ଲେଖନୀୟ ସଫଳତା। ସ୍ୱଚ୍ଛତା ଓ ପରିମଳ କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପୁରୀ, ଭୁବନେଶ୍ୱର ଓ ଆସ୍କାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନିତ କରିଛନ୍ତି। ଏହି ସଫଳତା ଓଡ଼ିଶାର ସ୍ୱଚ୍ଛତା ଅଭିଯାନକୁ ଜାତୀୟ ସ୍ତରରେ ନୂଆ ପରିଚୟ ଦେଇଛି।ଭୁବନେଶ୍ୱର ଓଡ଼ିଶାର ପ୍ରଥମ ‘ରାଜ୍ୟ ସ୍ୱଚ୍ଛ ସହର’ ଭାବେ ମାନ୍ୟତା ହାସଲ କରିଛି। ଏଥିସହ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଦେଶରେ ପଞ୍ଚମ ସ୍ଥାନ ଅଧିକାର କରିଛି। ସେହିପରି ପୁରୀ ଦେଶର ଶ୍ରେଷ୍ଠ ସ୍ୱଚ୍ଛ ଉପକୂଳବର୍ତ୍ତୀ ସହର ଭାବେ ପ୍ରଥମ ସ୍ଥାନ ହାସଲ କରିଛି। ଅନ୍ୟପଟେ ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ଏଥର ସ୍ୱଚ୍ଛ ସର୍ବେକ୍ଷଣରେ ଦେଶର ସବୁଠାରୁ ସ୍ୱଚ୍ଛ ସହର ତାଲିକାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ଦୀର୍ଘ ୮ ବର୍ଷ ଧରି ଶୀର୍ଷ ସ୍ଥାନରେ ରହିଆସିଥିବା ମଧ୍ୟପ୍ରଦେଶର ଇନ୍ଦୋରକୁ ପଛରେ ପକାଇ ମହାରାଷ୍ଟ୍ରର ନଭି ମୁମ୍ବାଇ ଦେଶର ସବୁଠାରୁ ସ୍ୱଚ୍ଛ ସହର ମାନ୍ୟତା ପାଇଛି। ଏହି ତାଲିକାରେ ଗୁଜରାଟର ସୁରଟ ଦ୍ୱିତୀୟ ଓ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ତୃତୀୟ ସ୍ଥାନରେ ରହିଛନ୍ତି।ବିଭିନ୍ନ ବର୍ଗରେ ମଧ୍ୟ ସହରଗୁଡ଼ିକ ନିଜର ସ୍ଥାନ ସୁଦୃଢ଼ କରିଛନ୍ତି। ସବୁଠାରୁ ସ୍ୱଚ୍ଛ ନଦୀକୂଳ ସହର ବର୍ଗରେ ମଧ୍ୟପ୍ରଦେଶର ରେୱା ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ହିମାଳୟ ସହର ବର୍ଗରେ ରୁଦ୍ରପୁର ଶୀର୍ଷରେ ରହିଛି। ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ବର୍ଗରେ ଗ୍ରେଟର ବିଶାଖାପାଟଣା ପ୍ରଥମ ହୋଇଛି। ସେହିପରି ୩ ଲକ୍ଷରୁ ୧୦ ଲକ୍ଷ ଜନସଂଖ୍ୟା ବର୍ଗରେ ଉଜ୍ଜୟିନୀ ଦେଶର ସବୁଠାରୁ ସ୍ୱଚ୍ଛ ସହର ହୋଇଛି।

ଅନ୍ୟପଟେ ଇନ୍ଦୋର ଏଥର ପାରମ୍ପରିକ ସ୍ୱଚ୍ଛ ସହର ବର୍ଗ ପରିବର୍ତ୍ତେ ନୂଆ ମେଣ୍ଟର ସିଟି ବର୍ଗରେ ସ୍ଥାନ ପାଇଛି। ଏହି ବର୍ଗରେ ଇନ୍ଦୋର ଓ ଏହାର ସହଯୋଗୀ ସହର ଦେପାଲପୁର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ଏହି ନୂଆ ବର୍ଗରେ ଅହମଦାବାଦ-ସାନନ୍ଦ ଯୋଡ଼ି ଦ୍ୱିତୀୟ ଏବଂ ତିରୁପତି-କୁପ୍ପାମ ଯୋଡ଼ି ତୃତୀୟ ସ୍ଥାନରେ ରହିଛନ୍ତି।୫୦ ହଜାରରୁ ୩ ଲକ୍ଷ ଜନସଂଖ୍ୟା ବର୍ଗରେ ମଧ୍ୟପ୍ରଦେଶର ଦେୱା ପ୍ରଥମ ଓ ସାଗର ତୃତୀୟ ସ୍ଥାନରେ ରହିଛି। ଏହି ବର୍ଗରେ ନୂଆଦିଲ୍ଲୀ ମ୍ୟୁନିସିପାଲ କାଉନସିଲ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏହାବ୍ୟତୀତ ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବର୍ଗରେ ମହାରାଷ୍ଟ୍ରର ଭିଟା ପ୍ରଥମ, ଓଡ଼ିଶାର ଆସ୍କା ଦ୍ୱିତୀୟ ଓ ଗୋଆର ପାଣାଜୀ ତୃତୀୟ ସ୍ଥାନରେ ରହିଛି।
Leave A Reply

Your email address will not be published.