ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ବନ୍ୟା ଅଞ୍ଚଳ ପରିଦର୍ଶନ

କେନ୍ଦ୍ରପଡ଼ା(୧୮/୮): କେନ୍ଦ୍ରପଡ଼ା ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରପଡ଼ାରେ ପହଞ୍ଚି ପାଟକୁରା ଓ ମହାକାଳପଡ଼ାର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପିଡ଼ିତଙ୍କୁ ଭେଟିବା ସହ ସମସ୍ୟା ବିଷୟରେ ଆଲୋଚନା କରିଥିବା ଜଣାପଡ଼ିଛି । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ, ବିଜେପି ରାଜ୍ୟ ସମ୍ପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ ସଞ୍ଜଯୋଗ ମହେଶ୍ୱର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ଦାସ, ଭୂବନ ମୋହନ ଜେନା, ଦୁର୍ଯ୍ୟୋଧନ ସାହୁ, ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା, ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଚ୍ଛାୟତ ପ୍ରମୁଖ କରିଲୋପାଟଣା, ଆୟତିପୁର, ଜଳପୋକ, ରାଘବପୁର, ପରକୂଳା, ବଟିରା, ଦିଖିରି, ଧନିଆପଡ଼ା ଆଦି ଅଞ୍ଚଳ ପରିଦର୍ଶନ କରି ବନ୍ୟା ପ୍ରପୀଡ଼ିତ ସାଧାରଣ ଜନତାଙ୍କୁ ଭେଟି ସେମାନଙ୍କ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଅପାରଗତ ପଣିଆର ପରିଚୟ ଓ ସଂପୂର୍ଣ୍ଣ ମନୁଷ୍ୟକୃତ ତ୍ରୁଟିପୂର୍ଣ୍ଣ ପରିଚାଳନା ଓ ନଦୀବନ୍ଧର ମରାମତି ଅଭାବ କାରଣରୁ ଆଜି ହଜାର ହଜାର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥି ସହିତ ହଜାର ହଜାର ଏକର ଚାଷଜମିରେ ବନ୍ୟାଜଳ ଜମି ରହିଥିବାରୁ ଫସଲ ନଷ୍ଟ ହୋଇଛି । ଚଳିତବର୍ଷ ରାଜ୍ୟ ସ୍ତରରେ ବନ୍ୟା ପରିଚାଳନା ବୈଠକ ମଧ୍ୟ ହୋଇପାରିଲା ନାହିଁ । ୩ଦିନ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ରନ୍ଧାଖାଦ୍ୟ, ଔଷଧ ଜଳ ବିଶୋଧନ ସାମଗ୍ରୀ ଗୋ-ଖାଦ୍ୟ ଆଦି ପହଞ୍ଚାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।

Comments are closed.