ଜଙ୍ଗଲରେ କଙ୍କଡ଼ା ଧରୁଥିଲେ; ମାଡ଼ି ବସିଲା କୁମ୍ଭୀର
ରାଜନଗର:ଜଙ୍ଗଲ ଭିତରେ କଙ୍କଡ଼ା ଧରୁଥିବା ବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ବ୍ୟକ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି,କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଭିତରକନିକା ଜଙ୍ଗଲରେ। ଆହତ ବ୍ୟକ୍ତି ହେଉଛନ୍ତି ବାଙ୍କୁଆଳ ଗାଁର ମଦନ ବେହେରା।
ସୂଚନା ଅନୁସାରେ,ମଦନ ଜଙ୍ଗଲ ଭିତରେ କଙ୍କଡ଼ା ଧରୁଥିବା ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କ ଉପରେ ଆକ୍ରମଣ କରିଥିଲା। କୁମ୍ଭୀର କବଳରେ ପଡ଼ି ମଦନ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ।ସେହି ସମୟରେ ରାସ୍ତା ଦେଇ ଯାଉଥିବା ବନ କର୍ମଚାରୀମାନେ ମଦନଙ୍କ ଚିତ୍କାର ଶୁଣି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ତୁରନ୍ତ ୧୦ରୁ ଊର୍ଦ୍ଧ୍ୱ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
କୁମ୍ଭୀରକୁ ଘଉଡ଼ାଇବା ପାଇଁ ବନ କର୍ମଚାରୀମାନେ ପାଣିରେ ବାଉଁଶ ବାଡ଼େଇଥିଲେ। ଏହାପରେ କୁମ୍ଭୀରଟି ସେଠାରୁ ଘୁଞ୍ଚିଯିବା ପରେ ମଦନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।ତେବେ କୁମ୍ଭୀର ଆକ୍ରମଣରେ ମଦନଙ୍କ ଡାହାଣ ଗୋଡ଼ରେ ଗୁରୁତର ଆଘାତ ଲାଗିବା ସହ ଗୋଡ଼ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ରାଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି।ବନ କର୍ମଚାରୀଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ମଦନଙ୍କ ଜୀବନ ରକ୍ଷା ପାଇଥିବା ବେଳେ ଘଟଣାକୁ ନେଇ ଭିତରକନିକା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।