ବଗ ପଞ୍ଚକ କଥା

ଧୋବ ଫରଫର ସୁଧାର ପକ୍ଷୀଟିଏ ବଗ l ବଗକୁ ଆମିଷଭୋଜି ପ୍ରାଣୀଟିଏ ବୋଲି ସଭିଏଁ ଜାଣନ୍ତି l ମାଛ ତାହାର ମୁଖ୍ୟ ଆହାର l ମୁଣ୍ଡରେ ବାବାଜୀ ଭଳି ଚୁରକି l ମାଛ ଖାଇ ବାବାଜୀ l ଏଣୁ ଆମିଷ ଭୋଜି ଭଣ୍ଡ ସାଧୁ ସନ୍ନ୍ୟାସୀ ମାନଙ୍କୁ ଆମେ କହି ଥାଉ ବଗୁଲା ଭଗତ l ଆମ ପୁରାଣ ସାହିତ୍ୟରେ କିନ୍ତୁ ଏହି ବକପକ୍ଷୀ କଥାର ସୁନ୍ଦର ଅବତାରଣା ରହିଛି l ସେହି କାହାଣୀ ଗୁଡ଼ିକରେ ବକପକ୍ଷୀର ଧାର୍ମିକ ମହତ୍ୱ ପ୍ରତିପାଦିତ ହୋଇଛି l
ପ୍ରଥମଟି ମହାଭାରତରେ l ଧର୍ମରାଜ ଯୁଧିଷ୍ଠିରଙ୍କୁ ପରୀକ୍ଷା କରିବା ପାଇଁ ଧର୍ମ ବକ ତାଙ୍କୁ ଚାରୋଟି ପ୍ରଶ୍ନ ପଚାରିଥିଲା l ଧର୍ମ ବକର ପ୍ରଥମପ୍ରଶ୍ନ ଥିଲା କଃ ପନ୍ଥା ? ଅର୍ଥାତ ଏହି ସଂସାରରେ ଠିକ୍ ବାଟ କଅଣ? ଯୁଧିଷ୍ଠିର ଉତ୍ତର ଦେଲେ, ବେଦ,ସ୍ମୃତି ଓ ପୁରାଣରେ ବିଭିନ୍ନ ପନ୍ଥାର ଉଲ୍ଲେଖ ରହିଛି, କିନ୍ତୁ ମହାଜନମାନେ ଯେଉଁ ବାଟେ ଯାଇଛନ୍ତି ତାହାହିଁ ପ୍ରକୃତ ପନ୍ଥା l ଧର୍ମ ବକର ଦ୍ୱିତୀୟ ପ୍ରଶ୍ନଟି ଥିଲା, କୀମାଶ୍ଚର୍ଯ୍ୟମ୍? ଅର୍ଥାତ ଏ ସଂସାରରେ ସବୁଠାରୁ ଆଶ୍ଚର୍ଯ୍ୟ କଅଣ? ଯୁଧିଷ୍ଠିର ଉତ୍ତର ଦେଲେ,ନିତ୍ୟ ପ୍ରତ୍ୟ ମନୁଷ୍ୟ ସହସ୍ର ସହସ୍ର ଲୋକ ମରୁଥିବାର ଦେଖି ସୁଦ୍ଧା ଭାବେ, ମୁଁ ଚିରଞ୍ଜିବି ରହିବି l ମୃତ୍ୟୁ ଭଳି ସତ୍ୟକୁ ଦେଖି ମଧ୍ୟ ମନୁଷ୍ୟର ଏହି ବିଚାର, ଏହାହିଁ ଅତି ଆଶ୍ଚର୍ଯ୍ୟ l ପୁଣି ଧର୍ମବକ ପ୍ରଶ୍ନକଲେ, କଃ ମୋଦତେ? ଅର୍ଥାତ ସଂସାରରେ କିଏ ସୁଖି l ଯୁଧିଷ୍ଠିର ଉତ୍ତର ଦେଲେ,ଋଣ ନ କରି, ପ୍ରବାସକୁ ନଯାଇ,ଘରେ ବସି ଯେଉଁ ଲୋକ ମୁଠିଏ ଶାକାନ୍ନ ଦିନାନ୍ତେ ଖାଇବାକୁପାଏ ସେ ହିଁ ଏହି ସଂସାରରେ ପ୍ରକୃତ ସୁଖୀ l ଧର୍ମବକ ପୁଣି ପ୍ରଶ୍ନ କଲେ,”କା ଚ ବାର୍ତ୍ତା” l ଅର୍ଥାତ,ଏହି ସଂସାରର ଖବର କଅଣ?ଯୁଧିଷ୍ଠିର କହିଲେ,” ସଂସାରରେ କାଳ, ବା ମୃତ୍ୟୁ ସମସ୍ତଙ୍କୁ ଶାସନ କରୁଛି, ଏହା ହିଁ ଏ ସଂସାରର ବାର୍ତ୍ତା “l ଯୁଧିଷ୍ଠିରଙ୍କ ଯଥାଯଥ ଉତ୍ତର ଶୁଣି ଧର୍ମ ବକ ସନ୍ତୁଷ୍ଟ ହେଲେ ଏବଂ ନିଜ ସ୍ୱରୂପରେ ପ୍ରକଟ ହୋଇ ଯୁଧିଷ୍ଠିରଙ୍କୁ କହିଲେ,ମୁଁ ହେଉଛି ଧର୍ମ l ମୁଁ ତୁମର ପରୀକ୍ଷା ନେଉଥିଲି l ସମସ୍ତ ପରୀକ୍ଷାରେ ତୁମେ ଉତ୍ତୀର୍ଣ ହୋଇଛ l ଏହା ପରେ ଧର୍ମରାଜ ଯକ୍ଷ ସରୋବରକୁ ପାଣି ଆଣିବା ପାଇଁ ଯାଇ ମୃତ ହୋଇ ପଡ଼ି ଥିବା ଭାଇ ମାନଙ୍କୁ ଜୀବିତ କରାଇ ଫେରି ଆସିଲେ l
ମାସାନାଂ କାର୍ତ୍ତିକ ଶ୍ରେଷ୍ଠ, ଧର୍ମମାସ କାର୍ତ୍ତିକ l ଏହି ମାସର ଶେଷ ପାଞ୍ଚ ଦିନ, ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ଯାଏ ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟ କରା ଯାଏ l ଏହି ପାଞ୍ଚଟି ଦିନକୁ ପଞ୍ଚୁକ ଭାବେ ପାଳନ କରା ଯାଏ l କଥିତ ହୁଏ ଏହି ପାଞ୍ଚ ଦିନ ଆମିଷ ଭୋଜି ବକ ମଧ୍ୟ ମାଛ ଆହାର ଛାଡ଼ି ପଞ୍ଚୁକ ବ୍ରତ ପାଳନ କରେ l
ପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟରେ ବେଦ ଉଦ୍ଧାରଣ ପ୍ରସଙ୍ଗରେ କୁହାଯାଇଛି ଯେ ଶଙ୍ଖାସୁର ବେଦ ଚୋରାଇ ନେଇ ସମୁଦ୍ରରେ ଆତ୍ମ ଗୋପନ କରିଥିଲା l ଭଗବାନ ବିଷ୍ଣୁ, ମତ୍ସ୍ୟ ଅବତାର ଧରି ଶଙ୍ଖାସୁରକୁ ବଧ କରି ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କସହ ଅନ୍ୟ ଦେବତାମାନେ ସେତେବେଳେ ଜଳରେ ପ୍ରବେଶ କରି ଥିବାରୁ କାର୍ତ୍ତିକ ମାସରେ ମାଛ ଖାଇବାକୁ ପୁରାଣ ଓ ବ୍ରତକଥାରେ ବାରଣ କରାଯାଇଛି l ପଦ୍ମପୁରାଣରେ ପାଞ୍ଚଟି ଉପାଖ୍ୟାନ ମାଧ୍ୟମରେ ବିଷ୍ଣୁଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି l ଏହା ବିଷ୍ଣୁପଞ୍ଚକ ଭାବେ ଖ୍ୟାତ l ପଞ୍ଚୁକ ପାଞ୍ଚଦିନ ମଧ୍ୟ ଭୀଷ୍ମପଞ୍ଚକ ଏବଂ ବକପଞ୍ଚକ ଭାବେ ଖ୍ୟାତ l ଏହାକୁ ବକ-ପଞ୍ଚକ କହିବା ସମ୍ବଧରେ, ଭକ୍ତକବି ବଳାରାମ ଦାସଙ୍କ ଦାଣ୍ଡୀ ରାମାୟଣର କିସ୍କିନ୍ଧ୍ୟା କାଣ୍ଡରେ ଏକ ସୁନ୍ଦର ଉପାଖ୍ୟାନ ରହିଛି l
ପଞ୍ଚବଟୀରୁ ମାଆ ଜାନକୀଙ୍କୁ ରାବଣ ଚୋରାଇ ନେଇ ଯାଇଥାଏ l ବିକଳ ହୋଇ, ପ୍ରଭୁ ଶ୍ରୀରାମ ଭାଇ ଲକ୍ଷ୍ମଣଙ୍କ ସହ ଅରଣ୍ୟରେ ସୀତାଙ୍କୁ ଖୋଜି ବୁଲୁଥାନ୍ତି l ଏହିସମୟରେ ତାଙ୍କର ଗୋଟିଏ ବଗ ସହ ଭେଟ ହେଲା l ରାବଣ ଜାନକୀଙ୍କୁ ଚୋରାଇ ନେଇଛି,ଏହା ବଗଠାରୁ ପ୍ରଭୁ ଶ୍ରୀରାମ ଜାଣିବାକୁ ପାଇଲେ l ଶ୍ରୀରାମ ଅତୀବ ଆନନ୍ଦ ହୋଇ ତାକୁ ବର ଯାଚିବାରୁ ବଗ କହିଲା, ପ୍ରଭୁ ମୋତେ ଏହି ବର ଦିଅନ୍ତୁ, ମୋତେ ବର୍ଷା ଚାରିମାସ ଘରେ ବସି ଆହାର ମିଳୁ l ଶ୍ରୀରାମ ତାକୁ ବରଦେଇ କହିଲେ “ବର୍ଷା ଚାରି ମାସ ତୋ ସ୍ତ୍ରୀ ତୋତେ ଖାଦ୍ୟ ଆଣି ଯୋଗାଇବ ଓ ତୁ ତାହା ସୁଖରେ ଖାଇବୁ”l ଏହା ଶୁଣି ବଗ କହିଲା,” ପ୍ରଭୁ ମୁଁ ସ୍ତ୍ରୀର ଉଚ୍ଛିଷ୍ଟ କିପରି ଭୋଜନ କରିବି?” ଉତ୍ତରରେ ଶ୍ରୀରାମ କହିଲେ, “ପତି ପତ୍ନୀ ଏକ ଆତ୍ମା l ତେଣୁ ଏଥିରେ ଉଚ୍ଛିଷ୍ଟ ଦୋଷ ଲାଗିବ ନାହିଁ l” ବଗକୁ ଏହି ବର ଦେବା ପରେ ଶ୍ରୀରାମ କହିଲେ,”କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ଯିଏ ଆମିଷ ଗ୍ରାସ କରିବ ତାକୁ ଦୋଷ ଲାଗିବ l ନାନା ରୋଗରେ ପଡ଼ି ତାର ପ୍ରାଣ ଯିବ l ତୋ ନାମରେ ଏହି ପାଞ୍ଚଦିନ ବକପଞ୍ଚକ ରୂପେ ବିଖ୍ୟାତ ହେବ l ବକପଞ୍ଚକ ପାଞ୍ଚଦିନ ଯେଉଁ ପ୍ରାଣୀ ଆମିଷଭକ୍ଷଣ ନ କରିବ ତାକୁ ଚାତୁର୍ମାସ୍ୟ ବ୍ରତର ସମସ୍ତ ପୁଣ୍ୟ ଫଳ ପ୍ରାପ୍ତହେବ l”
ଏହାହିଁ ବକପଞ୍ଚକ ପଛର ପୌରାଣିକ କାହାଣୀ l ବଗମାନେ ଚତୁର୍ମାସ୍ୟାରେ କୁଆଡ଼େ ନଯାଇ ଦଳ ବଦ୍ଧ ହୋଇ ବଗଗହନରେ ବସିଥିବା ଦେଖାଯାଇ ଥାଏ ଏବଂ କାର୍ତ୍ତିକ ଶେଷ ଆଡ଼କୁ ଆମିଷ ଖାଦ୍ୟ ପରିତ୍ୟାଗ କରିଥାନ୍ତି l
🙏🙏🙏
ଅର୍ଜୁନୀ
———–
ଅର୍ଜୁନୀ ଚରଣ ବେହେରା
ମୋ -7693091971

Comments are closed.