ତପସ୍ୱିନୀ ବନ ମାଳତୀ

ଅର୍ଜୁନୀ ଚରଣ ବେହେରା

ଶ୍ରୀ ମହାଦେବ ଦାସ କୃତ ଶ୍ରୀପଦ୍ମପୁରାଣ ଅନ୍ତର୍ଗତ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚଦଶ ଅଧ୍ୟାୟର ଏକ ସୁନ୍ଦର ଉପାଖ୍ୟାନ l ଏଥିରେ କୁହା ଯାଇଛି :-
ଧାତ୍ରୀ ତୁଳସୀ ବୃକ୍ଷ ବେନି l
ତାହାଙ୍କୁ ସଙ୍ଗତରେ ଘେନି ll
ବୈକୁଣ୍ଠେ ବିଜେ ଲକ୍ଷ୍ମୀପତି l
ଅରଣ୍ୟେ ରହିଲେ ମାଳତୀ ll
ବିଷ୍ଣୁ ଆଗମ ଅନୁସରି l
ମାଳତୀ ବନେ ବାସ କରି ll
ଏ ପଦ୍ୟାଂଶରେ ଯେଉଁ ବନ ବାସିନୀ ତପସ୍ୱିନୀଙ୍କ ବିଷୟରେ କୁହା ଯାଇଛି ସେ ହେଉଛନ୍ତି ସୁଗନ୍ଧିତ ପୁଷ୍ପ ମାଳତୀ l ବନ ମାଳତୀ ଦେବୀ ଦୁର୍ଗା, କାଳି, ସରସ୍ୱତୀ, ବଗଳାମୁଖୀ ଓ ଚାମୁଣ୍ଡାଙ୍କ ସହ ସ୍ୱୟଂ ବିଷ୍ଣୁଙ୍କର ମଧ୍ୟ ଅତିପ୍ରିୟ l ବର୍ଷରେ ମାତ୍ର ଦୁଇତିନି ମାସ ଏହି ଫୁଲ ଫୁଟିଥାଏ l କିନ୍ତୁ ବର୍ଷ ସାରା ଏହି ଫୁଲର ଶୁଖିଲା ମାଳା ଶ୍ରୀବିଷ୍ଣୁଙ୍କୁ ଦେବାର ବିଧାନ ରହିଛି l ଶୁଖିଲା ବନ ମାଳତୀ ମାଳରେ ମଧ୍ୟ ବିଷ୍ଣୁ ତୃପ୍ତ ହୁଅନ୍ତି l ନବରାତ୍ର ସମୟରେ ମାଆ ଦୁର୍ଗା ଓ କାଳୀ ଆଦିଙ୍କୁ ଶୁଖିଲା ମାଳତୀ ମାଳା ପରିଧାନ କରାଇବାର ପରମ୍ପରା ରହିଛି l
ବନ ମାଳତୀ ଫୁଲର ଜନ୍ମ ଏବଂ ଜୀବନ ବିଷୟ କାର୍ତ୍ତିକ ମାହାତ୍ମ୍ୟରେ ଅତି ଚମତ୍କାରଭାବେ ବର୍ଣ୍ଣିତ ହୋଇଛି l ଏହି ଆଖ୍ୟାନ ଅନୁସାରେ, ଗୋଲୋକ ନିବାସୀ ବୃନ୍ଦା, ଦେବୀ ଶ୍ରୀରାଧାଙ୍କ ଅଭିଶାପ ପାଇ ଏ ମର୍ତ୍ତ୍ୟରେ ଜନ୍ମ ଗ୍ରହଣ କରି, ଦୈତ୍ୟ ଜଳନ୍ଧରକୁ ବିବାହ କରିଥିଲେ l ମା’ ବୃନ୍ଦାଙ୍କ ସତୀତ୍ୱ ପ୍ରଭାବରୁ ଜଳନ୍ଧର ଅପରାଜେୟ ଏବଂ ଅତୀବ ପରାକ୍ରମୀ ହୋଇ ଉଠିଥିଲା l ସେ କ୍ରମେ ଅତ୍ୟାଚାରୀ ହୋଇ ବହୁ ଉତ୍ପାତ ସୃଷ୍ଟି କଲା l ତାର ଉତ୍ପାତରୁ ଧରାକୁ ରକ୍ଷା କରିବା ନିମନ୍ତେ ଗୋଲକବିହାରୀ ବିଷ୍ଣୁ ମହା ସତୀ ବୃନ୍ଦାବତୀଙ୍କ ସତୀତ୍ୱ ହରଣ କରି ତାକୁ ବଧ କରିଥିଲେ l ବୃନ୍ଦାବତୀ ଏ କଥା ଜାଣି ଅତିଦୁଃଖରେ ମ୍ରିୟମାଣ ହୋଇ ସ୍ୱାମୀ ଜଳନ୍ଧରର ଚିତାଗ୍ନିରେ ଝାସ ଦେଇ ମୃତ୍ୟୁବରଣ କଲେ l ମୃତ୍ୟୁ ପରେ ବୃନ୍ଦାଙ୍କର ଆତ୍ମା ଯାଇ, ମାଆ ସରସ୍ୱତୀ, ଗୌରୀ ଓ ଲକ୍ଷ୍ମୀଙ୍କ ଶରୀରରେ ଲୀନହେଲା l ବିଷ୍ଣୁ ନିଜ କୃତକର୍ମ ପାଇଁ ମର୍ମାହତ ଓ ବିଷାଦ ଗ୍ରସ୍ତ ହୋଇ ଯାଇ ବଦରି ବନ ବଦ୍ରିକାରେ ବାସକଲେ l ବିଷ୍ଣୁଙ୍କର ବିଷାଦ ମୋଚନ ପାଇଁ ମାଆ ଯୋଗମାୟା ଭୂ ଗର୍ଭରେ ପ୍ରବେଶ କରି ଶୁକ୍ଳ, କୃଷ୍ଣ ଓ ସ୍ୱର୍ଣ୍ଣ ତିନୋଟି ମୂର୍ତ୍ତି ହୋଇ ଦେବତା ମାନଙ୍କୁ ତିନି ଗୋଟି ବୀଜ ପ୍ରଦାନ କଲେ ଓ ସେହି ବୀଜରୁ ଜାତ ଉଦ୍ଭିଦ ଶ୍ରୀବିଷ୍ଣୁଙ୍କୁ ସନ୍ତୋଷ ପ୍ରଦାନ କରିବ ବୋଲି କହିଲେ l
ସେହି ବୀଜରୁ ଶ୍ରୀସରସ୍ୱତୀଙ୍କ ସତ୍ତ୍ୱଗୁଣ ଅଂଶରେ ଅଁଳା, ରଜଗୁଣ ଶ୍ରୀଗୌରୀଙ୍କ ଅଂଶରେ ତୁଳସୀ ଓ ମହାଲକ୍ଷ୍ମୀଙ୍କ ତମଗୁଣ ଅଂଶରେ ମାଳତୀର ଉଦ୍ଭବ ହେଲା l ଶ୍ରୀଲକ୍ଷ୍ମୀଙ୍କ ତମ ଅଂଶରେ ମାଳତୀ ପୁଷ୍ପର ଉତ୍ପତ୍ତି ବିଷୟରେ କାର୍ତ୍ତିକ ମହାତ୍ମ୍ୟରେ ବର୍ଣ୍ଣିତ ହୋଇଛି :-
ଦେଖିଣ ଲକ୍ଷ୍ମୀ ତମ ଅଂଶେ l
ମାଳତୀ ଫୁଲ ରୂପେ ବାସେ ll
ତିନି ପୁଷ୍ପର ଉତ୍ପତ୍ତି ପରେ, ଶ୍ରୀବିଷ୍ଣୁ ପ୍ରସନ୍ନ ହୋଇ ଅଅଁଳା ଓ ତୁଳସୀଙ୍କୁ ନେଇ ବୈକୁଣ୍ଠ ଗମନକଲେ l କିନ୍ତୁ ତମଗୁଣା ମାଳତୀଙ୍କୁ ସେ ମର୍ତ୍ତ୍ୟରେ ଛାଡ଼ିଦେଇ ଗଲେ l ଗଲା ବେଳେ ପ୍ରତିଶ୍ରୁତି ଦେଇ ଗଲେ, ସେ ଦ୍ୱାପର ଯୁଗରେ କୃଷ୍ଣ ଅବତାର ଗ୍ରହଣ କରିବେ ଓ ବନ ମାଳତୀକୁ ଶିରରେ ଓ ହୃଦ ଦେଶରେ ଧାରଣ କରିବେ l କାର୍ତ୍ତିକ ମାହାତ୍ମ୍ୟର ବର୍ଣ୍ଣନାନୁଯାୟୀ :-
ଶିରେ ହୃଦରେ ମାଳ କରି l
ମାଳତୀ ପୁଷ୍ପ ଥିବି ଧରି ll
ଯେ ମୋତେ ଦେବ ସେ କୁସୁମ l
ମାଳା ଗୋଟିକେ ଯଜ୍ଞ କର୍ମ ll
ଅବଶ୍ୟ ଲଭିବ ସେ ଜନ l
ବିଶେଷେ ଏକାଦଶୀ ଦିନ ll
ସେବେ ଠାରୁ ବନ ମାଳତୀ ଶ୍ରୀବିଷ୍ଣୁଙ୍କ ସେବାରେ ନିୟୋଜିତ ରହିଛି l ସ୍ୱୟଂ ଦେବୀ ଯୋଗମାୟା ଏହାର ବୀଜ ବପନ କରି ଥିବାରୁ,ଏହା ମହକାଳି, ଶ୍ରୀଦୁର୍ଗା ଓ ଗୌରୀଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ l
🙏🙏🙏
ଅର୍ଜୁନୀ
——————-
ଅର୍ଜୁନୀ ଚରଣ ବେହେରା
ମୋ – 7693091971

Comments are closed.