ଅନ୍ୟକୁ ବାଛୁଥିଲେ, ନିଜେ ବଛାହେଲେ

ପରଦା ପଛରେ ଥାଇ କୌଣସି ଚଳଚ୍ଚିତ୍ର ପାଇଁ ନାୟିକା ପସନ୍ଦ କରିବା ଅବସରରେ ନିଜେ ସେହି କାହାଣୀର ନାୟିକା ଭାବେ ମନୋନୀତ ହେବାଠାରୁ ବଳି ଆନନ୍ଦ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି କ୍ରମରେ ଅଭିନେତ୍ରୀ ଭୂମି ପେଡ଼ନେକରଙ୍କ ଜୟଯାତ୍ରା ବେଶ୍ ରୋଚକ। ମୁମ୍ବାଇରେ ୧୯୮୯ ଜୁଲାଇ ୧୮ରେ ଏକ ମରାଠୀ ପରିବାରରେ ପୂର୍ବତନ ମନ୍ତ୍ରୀ ସତୀଶ ପେଡ଼ନେକର ଓ ନିଶା ନିବାରଣ କର୍ମୀ ସୁମିତ୍ରା ପେଡ଼ନେକରଙ୍କ କୋଳମଣ୍ଡନ କରିଥିବା ଭୂମି ସ୍ଥାନୀୟ ବିଦ୍ୟାଳୟରେ ମାଟ୍ରିକ୍ ଶିକ୍ଷା ସାରିଥିଲେ। ଭବିଷ୍ୟତରେ ସେ ଜଣେ ପ୍ରାଶାସନିକ ଅଧିକାରୀ ହେବେ ବୋଲି ପରିବାର ଲୋକେ ସ୍ବପ୍ନ ଦେଖୁଥିବା ବେଳେ ଅଭିନୟ କଳା ପ୍ରତି ତାଙ୍କର ରୁଚି ତାଙ୍କୁ ଭିନ୍ନ କରି ଗଢ଼ି ତୋଳିଥିଲା। ତାଙ୍କୁ ୧୫ ବର୍ଷ ବେଳେ ତାଙ୍କ ପିତା ଏକ ଶିକ୍ଷାଋଣ ଯୋଗାଡ଼ କରି ତାଙ୍କୁ ହ୍ବିସଲିଂ ଉଡ୍‌ସ ଇଣ୍ଟନାସନାଲ୍‌ ପରି ଖ୍ୟାତନାମା ଅନୁଷ୍ଠାନରେ ଅଭିନୟ ଶିକ୍ଷା ପାଇଁ ଭର୍ତ୍ତି କରାଇଥିଲେ।

ମାତ୍ର ପରେ ଉପସ୍ଥାନ ଅଭାବରୁ ସେ କୌଣସି ଅଭିନୟ ଡିଗ୍ରି ପ୍ରମାଣପତ୍ର ହାସଲ ନକରି ସେଠାରୁ ବିଦା ହୋଇଥିଲେ। ଏହାର ପ୍ରାୟ ଦେଢ଼ ବର୍ଷ ପରେ ଭୂମି ଖ୍ୟାତନାମା ପ୍ରଯୋଜନା ସଂସ୍ଥା ଯଶରାଜ ଫିଲ୍ମସ୍‌ରେ ଜଣେ ସହନିର୍ଦ୍ଦେଶିକା ଭାବେ ଦୀର୍ଘ ୬ ବର୍ଷ ଯାଏ ବିଭିନ୍ନ ଚଳଚ୍ଚିତ୍ର ପାଇଁ ଚରିତ୍ର ଚୟନ କରି ଚାଲିଥିଲେ। ସେ ରଣବୀର ସିଂହ, ପରିଣୀତି ଚୋପ୍ରା ଓ ସୁଶାନ୍ତ ସିଂହ ରାଜପୁତଙ୍କ ଭଳି ନାମୀ କଳାକାରଙ୍କର ମଧ୍ୟ ପରୀକ୍ଷା ନେଇଛନ୍ତି। ଯଶରାଜ ଫିଲ୍ମସ୍‌ର ପ୍ରାୟ ୧୫ରୁ ୧୬ ଚଳଚ୍ଚିତ୍ର ଓ ଟିଭି ସୋ’ ପାଇଁ ଭୂମିଙ୍କୁ ପାଖାପାଖି ୮୦୦ କଳାକାରଙ୍କୁ ପରଖିବାକୁ ପଡ଼ିଥିଲା। ଏପରିକି ବେଳେ ବେଳେ ସେମାନଙ୍କର ସଂଳାପ ପଢ଼ି ପଢ଼ି ସେ ବିରକ୍ତ ମଧ୍ୟ ହୋଇଯାଉଥିଲେ। ସୌଭାଗ୍ୟକୁ ସଂସ୍ଥାର ପରବର୍ତ୍ତୀ ହାସ୍ୟରସାତ୍ମକ ସିନେମା ‘ଦମ୍ ଲଗା କେ ହୈସା’ର ଜଣେ ମୋଟୀ ନାୟିକା ପାଇଁ ଭୂମିଙ୍କ ନାଁ ଉଠିଥିଲା। ଅଡିସନରେ ସେ ସେତେଟା ଉତ୍କର୍ଷ ଦେଖାଇ ପାରିନଥିଲେ ହେଁ ତାଙ୍କୁ ସେଥିରେ ଅଭିନୟ ପାଇଁ ମଉକା ମିଳିଥିଲା।

ତେବେ ପୂର୍ବରୁ ବିଭିନ୍ନ କଳାକାରଙ୍କ ଅଡିସନ୍ ନେଇ ନେଇ ଅଭିନୟରେ ଏକରକମ ପୋଖତ ହୋଇଯାଇଥିବା ଭୂମି ତାଙ୍କର ଏହି ପ୍ରଥମ ପଦାର୍ପଣରେ ବାଜି ମାରିନେଇଥିଲେ। ୨୦୧୫ ମସିହାର ଏହି ସିନେମାରେ ତାଙ୍କୁ ଶ୍ରେଷ୍ଠ ନବାଗତା ନାୟିକା ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ଯଦିଓ ସେଥିରେ ନାୟିକା ସାଜିବା ପାଇଁ ତାଙ୍କୁ ନିଜର ଓଜନ ୨୦ କେଜି ଯାଏ ବଢ଼ାଇବାର କଷ୍ଟସାଧ୍ୟ ଅଭ୍ୟାସ କରିବାକୁ ପଡ଼ିଥିଲା, ତେବେ ପ୍ରଥମ ସିନେମାରୁ ମିଳିଥିବା ଦର୍ଶକୀୟ ସ୍ବୀକୃତି ଓ ଜାତୀୟ ପୁରସ୍କାର ତାଙ୍କୁ ଅଧିକ ଉତ୍ସାହିତ କରିଥିଲା। ଏହି ସଫଳତା ପରେ ସେ ଓଜନ କମାଇବା ସହ ଯଶରାଜ ଫିଲ୍ମସର ଅନ୍ୟ ସିନେମା ପାଇଁ ନିଜକୁ ପ୍ରସ୍ତୁତ କରି ରଖିଲେ। ପରେ ପରେ କ୍ଷୁଦ୍ର ୱେବ୍ ଧାରାବାହିକ ‘ମ୍ୟାନ୍ସ ଵାର୍ଲ୍ଡ’ରେ ସେ ଦେଖାଦେଇଥିଲେ। ଏହାପରେ ନେଟ୍‌ଫ୍ଳିକ୍ସର ‘ଲଷ୍ଟ୍ ଷ୍ଟୋରିଜ୍’ (୨୦୧୮)ରେ ଭୂମିଙ୍କ ଅଭିନୟ ସମାଲୋଚକମାନଙ୍କ ମୁହଁ ବନ୍ଦ କରିଦେଇଥିଲା। ତାଙ୍କ ଅଭିନୀତ ଅନ୍ୟତମ ହାସ୍ୟ ରସାତ୍ମକ ସିନେମା ‘ଟୟଲେଟ୍: ଏକ୍ ପ୍ରେମ୍ କଥା’ (୨୦୧୭), , ‘ସୋନ୍‌ଚିଡ଼ିଆ’ (୨୦୧୯), ‘ଡଲି କିଟ୍ଟି ଔର ଵ ଚମକତେ ସିତାରେ’ (୨୦୨୦) ଓ ‘ରକ୍ଷାବନ୍ଧନ’ (୨୦୨୨)ଆଦି ସିନେମା ମାଧ୍ୟମରେ ସେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଚଳିତବର୍ଷ ତାଙ୍କର ଆଉ ତିନିଟି ଫିଲ୍ମ ମୁକ୍ତିଲାଭ କରିବାକୁ ଥିବା ବେଳେ ଆଗାମୀ ବର୍ଷ ପାଇଁ ମଧ୍ୟ ଚାରିଟି ସିନେମାର ସୁଟିଂରେ ସେ ଏବେ ବ୍ୟସ୍ତ ଅଛନ୍ତି।

Comments are closed.