ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗ ଗିରଫ ମାମଲା: ବରବାଦ୍‌ ହୋଇଯିବ ନେତାଙ୍କ ଭବିଷ୍ୟତ

ପୁଲିସ ବଡ଼ବାବୁଙ୍କ ମୁଣ୍ଡରେ ଡେମୋକ୍ଲିସ୍ ଖଣ୍ଡା

ଭୁବନେଶ୍ବର: ନଗ୍ନ ଭିଡିଓ ଭାଇରାଲ୍‌ କରିବାର ଧମକରେ ବଡ଼ବଡ଼ିଆଙ୍କୁ ବ୍ଲାକ୍‌ମେଲିଂ କରିଥିବା ଅର୍ଚ୍ଚନା ନାଗ୍‌ ଗିରଫ ମାମଲା ଏବେ ରାଜ୍ୟ ରାଜନୀତିକୁ ହଲ୍‌ଚଲ୍‌ କରିରଖିଛି। ବିଭିନ୍ନ ରାଜନୈତିକ ଦଳର ନେତାମାନେ ଅର୍ଚ୍ଚନା ଅଳିନ୍ଦରେ ଅତିଥି ହୋଇଥିବାର ଫଟୋ ଓ ଭିଡିଓ ଏବେ ସମଗ୍ର ରାଜ୍ୟରେ ଭାଇରାଲ୍ ହେବାରେ ଲାଗିଛି। ଏହି ଯୌନ ବ୍ୟଭିଚାର ପ୍ରସଙ୍ଗକୁ ନେଇ ରାଜନୈତିକ ଦଳଗୁଡ଼ିକ ଭିତରେ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି। ଦଳର ଭାବମୂର୍ତ୍ତିରେ ଆଞ୍ଚ ଆଣିଥିବା ନେତାମାନଙ୍କ ଭବିଷ୍ୟତକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି। ସେମିତି ପୁଲିସ ବିଭାଗରେ ମଧ୍ୟ ଆଲୋଡନ ସୃଷ୍ଟି ହୋଇଛି। ଅର୍ଚ୍ଚନାଙ୍କ ସହ ଯୋଗାଯୋଗରେ ଥିବା ପୁଲିସ ଅଧିକାରୀମାନେ ପ୍ରମାଦ ଗଣିଲେଣି। ସେମାନଙ୍କ ମୁଣ୍ଡରେ ଝୁଲୁଛି ଡେମୋକ୍ଲିସ୍‌ ଖଣ୍ଡା। ଦଣ୍ଡସ୍ବରୂପ ସେମାନଙ୍କୁ ପ୍ରଥମତଃ ଅପହଞ୍ଚ ଅଞ୍ଚଳକୁ ବଦଳି କରାଯିବ ବୋଲି ଚର୍ଚ୍ଚା ହେଲାଣି।

ଖବର ଅନୁସାରେ ଏବେ ବିଭିନ୍ନ ରାଜ‌ନୈତିକ ଦଳର ସ୍ବତନ୍ତ୍ର ୱିଙ୍ଗ୍ କମିସନରେଟ ପୁଲିସର ବରିଷ୍ଠ ଅଧିକାରୀମାନଙ୍କୁ ଗୁପ୍ତରେ ଭେଟୁଛନ୍ତି। ପୁଲିସ ଅର୍ଚ୍ଚନାଙ୍କ ମୋବାଇଲ୍‌, ଲାପଟପ୍‌ ଓ ସିସିଟିଭି ହାର୍ଡଡିସ୍କ ଜବତ କରିଛି। ସେସବୁରେ ନେତାମାନଙ୍କ ନଗ୍ନ ଭିଡିଓ ରହିଛି। ସେହି ନେତାମାନଙ୍କ ତାଲିକା ସଂଗ୍ରହ କରିବାକୁ ରାଜନୈତିକ ଦଳର ସ୍ବତନ୍ତ୍ର ୱିଙ୍ଗ୍‌ ପୁଲିସ ପଦାଧିକାରୀଙ୍କୁ ଅନୁରୋଧ କରିଛନ୍ତି। ଏମିତିକି ଯେଉଁ ନେତାମାନଙ୍କର ଅର୍ଚ୍ଚନା ସହିତ ସମ୍ପର୍କ ରହିଛି, ସେମାନଙ୍କ ତାଲିକା ମାଗୁଛି ସ୍ବତନ୍ତ୍ର ୱିଙ୍ଗ୍‌। ବିଶେଷକରି ଅର୍ଚ୍ଚନାଙ୍କ ରଙ୍ଗମହଲକୁ ଯାଇଥିବା ନେତାଙ୍କ ତାଲିକାକୁ ଗୁରୁତ୍ବ ଦିଆଯାଉଛି।

ଏଥିରୁ ଅନୁମାନ କରାଯାଉଛି ଯେ ଏବେ ରାଜନୈତିକ ଦଳମାନେ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି। ଚାରିତ୍ରିକ ଦୃଷ୍ଟିରୁ ଜନମାନସରେ ବଦନାମ୍‌ ହୋଇଥିବା ନେତାଙ୍କୁ ଆଉ ଦଳରେ ସ୍ଥାନ ମିଳିବ ନାହିଁ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେମାନଙ୍କ ରାଜନୈତିକ କ୍ୟାରିଅର ବରବାଦ୍‌ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ଏମିତିକି ଆଗାମୀ ନିର୍ବାଚନରେ ସେମାନଙ୍କ ଟିକେଟ୍ କଟିଯିବ ବୋଲି କୁହାଯାଉଛି। ଏହାକୁ ନେଇ ଏବେ ନେତାମାନେ ଚିନ୍ତାରେ। ବଡ଼ ରୋଚକ କଥା ହେଉଛି ଏହି ମାମଲାରେ କୌଣସି ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଉନାହାନ୍ତି। ସେହିଭଳି ଅର୍ଚ୍ଚନାଙ୍କ ମାୟାଜାଲରେ ଫସିଥିବା ପୁଲିସ ବିଭାଗର ବଡ଼ବାବୁମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଅର୍ଚ୍ଚନାଙ୍କ ସହିତ ଥିବା କିଛି ପୁଲିସ ଅଧିକାରୀଙ୍କ ଫଟୋ ମଧ୍ୟ ଭାଇରାଲ୍ ହେଉଛି। କେଉଁ ପୁଲିସ ଅଧିକାରୀ ଅର୍ଚ୍ଚନାଙ୍କ ରଙ୍ଗମହଲକୁ ଯାଉଥିଲେ, ସେନେଇ ଅନୁସନ୍ଧାନ ଆରମ୍ଭ କରିଛି ରାଜ୍ୟ ଗୁଇନ୍ଦା ବିଭାଗ। ବଡ଼ କଥା ହେଉଛି, ଗୁଇନ୍ଦା ବିଭାଗ ସିଧାସଳଖ କମିସନରେଟ୍‌ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ ନକରି ଗଣମାଧ୍ୟମର ସହଯୋଗ ନେଇଛି। ଗଣମାଧ୍ୟମରୁ ପୁଲିସ ବାବୁମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି। ତେଣୁ ଏବେ ସେମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି।

ବଢ଼ିଲା ଅଭିଯୋଗ ସଂଖ୍ୟା

ଅର୍ଚ୍ଚନା ଗୋଟିଏ ମାମଲାରେ ଗିରଫ ହୋଇଛନ୍ତି। ଶ୍ରଦ୍ଧାଞ୍ଜଳିଙ୍କୁ ସେ ଦେହ ବ୍ୟବସାୟରେ ନିୟୋଜିତ କରିବା ଓ ନଗ୍ନ ଭିଡିଓ ସୁଟ୍‌ କରି ବ୍ଲାକ୍‌ମେଲ୍ କରିବାକୁ ମାଧ୍ୟମ ସଜାଇବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଏବେ ତାଙ୍କ ନାଁରେ ଅନୁରୂପ ବ୍ଲାକ୍‌ମେଲ୍‌ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ତାଙ୍କ ନାମରେ ୫ ମାମଲା ରୁଜୁ ହେଲାଣି ବୋଲି ଜଣାପଡ଼ିଛି। ଇ-ମେଲ୍ ଯୋଗେ ଦୁଇଟି ଅଭିଯୋଗ ଆସିଛି। ଜଣେ କେସିଙ୍ଗାରୁ ଓ ଅନ୍ୟ ଜଣକ କେନ୍ଦ୍ରାପଡ଼ାରୁ ବୋଲି ସୂଚନା ମିଳିଛି। ଡିସିପି ପ୍ରତୀକ ସିଂଙ୍କ ପରାମର୍ଶ ଅନୁସାରେ ସେମାନେ ଅଭିଯୋଗ କରିଛନ୍ତି। ଖୁବ୍ ଶୀଘ୍ର ଏହାକୁ ଏତଲା ଭାବେ ଗ୍ରହଣ କରିବାକୁ କେସିଙ୍ଗା ଓ କେନ୍ଦ୍ରାପଡ଼ା ଥାନାକୁ ପଠାଇବା ସହ ନିର୍ଦ୍ଦେଶ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏଣେ ଅର୍ଚ୍ଚନାଙ୍କ ବିରୋଧରେ ଆଜି ଆଉ ୩ଟି ଥାନାରେ ପୃଥକ ପୃଥକ ପୁରୁଣା ମାମଲା ପୁଣି ଖୋଲିଛି। ମହିଳା ଥାନା, ମଞ୍ଚେଶ୍ବର ଥାନା ଓ କ୍ୟାପିଟାଲ ଥାନା‌ରେ ଏହି ମାମଲା ହୋଇଥିଲା ଓ ବିଭିନ୍ନ କାରଣରୁ ଦବି ରହିଥିଲା।

Comments are closed.