ଅନୁବାଦ ଯୋଗୁଁ ଭାଷାଗତ ଦୂରତା ଦୂର ହେଇ ପାରିଛି :ଅନୁବାଦ ସାହିତ୍ୟ ଉତ୍ସବ

ଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ଆସାମର ଅନୁବାଦକମାନଙ୍କୁ ନେଇ ଅନୁବାଦ ସାହିତ୍ୟ ଉତ୍ସବ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଆସାମର ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସାମର କଳା, ସାହିତ୍ୟ, ସଂସ୍କୃତି ଭାରତୀୟ ଜନଜୀବନକୁ ଯଥେଷ୍ଟ ପ୍ରଭାବିତ କରିପାରିଛି। ଭାଷାର ବିକାଶ ମାନବ ସଭ୍ୟତା ବିକାଶର ମୁଖ୍ୟ ଆଧାର। ଭାଷା ଦ୍ୱାରା ସଂସ୍କୃତିର ଆଦାନ ପ୍ରଦାନ ହୋଇପାରିଥାଏ। ଗୋଟିଏ ଭାଷାର ଅଭିବ୍ୟକ୍ତିକୁ ଅନ୍ୟ ଭାଷାରେ ଉପସ୍ଥାପିତ କରିବା ପାଇଁ ଅନୁବାଦ ଏକାନ୍ତ ଅପରିହାର୍ଯ୍ୟ। ଅତଏବ ଭାରତ ପରି ବହୁଭାଷୀ ଦେଶରେ ଅନୁବାଦର ପ୍ରମୁଖ ଭୂମିକା ରହିଛି।ଏହା ସାଂସ୍କୃତିକ ଓ ଭୌଗଳିକ ସୀମା ବଂଧନକୁ ଦୂର କରିଥାଏ। ଭାରତ ସମ୍ବିଧାନରେ ମୁଖ୍ୟତଃ ୨୨ ଟି ଭାଷାର ଉଲ୍ଲେଖ ଥିବାବେଳେ ପ୍ରତି ଭାଷାର ସାହିତ୍ୟକୁ ପରସ୍ପର ମଧ୍ୟରେ ପହଞ୍ଚାଇବାର ଏକମାତ୍ର ମାଧ୍ୟମ ହେଉଛି ଅନୁବାଦ। ତେଣୁ ସାହିତ୍ୟରେ ଅନୁବାଦକଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ନିରନ୍ତର ଅଭ୍ୟାସ,ଅନୁଶୀଳନ ଓ ଅଧ୍ୟୟନ ଦ୍ଵାରା ଅନୁବାଦକ ଯଥାର୍ଥ ଅନୁବାଦ କରିବାରେ ସଫଳ ହୋଇଥାଏ।ଏ ଦୃଷ୍ଟିରୁ ଅନୁବାଦ ସାହିତ୍ୟ କ୍ଷେତ୍ରରେ ଆସାମର ସମୃଦ୍ଧ ପରମ୍ପରା ରହିଅଛି। ସାଂପ୍ରତିକ ସମୟରେ ଆସାମର ଅନୁବାଦକମାନେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିପାରିଛନ୍ତି ବୋଲି ଆୟୋଜିତ ଅନୁବାଦ ସମ୍ମିଳନୀର ଆଲୋଚନାଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଅହମିୟା ଭାଷାର ଯୁବ ଅନୁବାଦକ ଉତ୍ପଳ ଡେକା, କୈ।ସ୍ତୁଭମଣୀ ସାଇକିଆ ଦତ୍ତ,ଡ. ବନ୍ଦିତା ମୁଦିଆର ଠାକୁରିଆ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅନୁବାଦିକା, ଭାଷା- ସାହିତ୍ୟର ଗବେଷିକା ପ୍ରଫେସର ଡ. ଜ୍ୟୋସ୍ନା ରାଉତ, ଖ୍ୟାତନାମା ସାହିତ୍ୟିକ ପ୍ରଫେସର ଡ. ହସିନସୁ ସୁଲତାନ୍ , ଅନୁବାଦିକା କବିତା ଦତ୍ତ ଗୋସ୍ୱାମୀ ପ୍ରମୁଖ ଯଥାକ୍ରମେ ଅନୁବାଦ ମୌଳିକ ସୃଜନ ଠାରୁ ଅଧିକ ଶ୍ରମସାଧ୍ୟ ଓ କଠିନ ପ୍ରକ୍ରିୟା, ଅନୁବାଦ କେବଳ ଅନୁକରଣ ନୁହେଁ ପୁନସୃଜନ ଓ ପୁନର୍ଜନ୍ମ, ଆସାମର ଅନୁବାଦ ସାହିତ୍ୟ: ଗତି ଓ ସ୍ଥିତି ବିଷୟରେ ଆଲୋଚନା କରି ଉପରୋକ୍ତ ମନ୍ତବ୍ୟ ଦେବାସହ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ନିରନ୍ତର ଭାବେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଭାରତୀୟ ଅନୁବାଦ ସାହିତ୍ୟର ସଂପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଆସାମ ତଥା ବିଭିନ୍ନ ଭାରତୀୟ ଭାଷାର ଅନୁବାଦକମାନଙ୍କୁ ସ୍ୱାଗତ କରିଥିଲେ। ଏହି ଜାତୀୟସ୍ତରୀୟ ଅନୁବାଦ ସମ୍ମିଳନୀରେ ଆସାମର ପ୍ରତିଷ୍ଠିତ ଅନୁବାଦକ ଅନୁଭବ ତୁଳସୀ,ଶୈଳବାଳା ମହାପାତ୍ର,ଗାୟତ୍ରୀ ଦେବୀ ବୋରଠାକୁର,ଡ. ବିନୋଦ କୁମାର ଗୋଗେଇ, ପ୍ରକଳ୍ପ ରଂଜନ ଭଗବତୀ, ବର୍ଣ୍ଣାଳୀ ଶର୍ମା ଗୈ।ଡ,ଡ. ମୃଦୁଲ ଶର୍ମା,ଡ. ରଂଜିତ ଦତ୍ତ,ରୁକିୟା ବେଗମ,ମିଣ୍ଟୁଲ ହଜାରିକା ପ୍ରମୁଖ ବିଭିନ୍ନ ଭାରତୀୟ ଓ ବୈଦେଶିକ ଭାଷାର ଅନୂଦିତ କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରତିଭା ଦାସ, କ୍ରିଷ୍ଣାଜିନା ଶର୍ମା, ଲକ୍ଷ୍ମୀପ୍ରିୟା ଓଝା,ସ୍ୱପ୍ନା ବେହେରା,ମଂଜୁଳା ଆସ୍ଥାନା ମହାନ୍ତି, ଜୟଶ୍ରୀ ଦୋରା,ଚନ୍ଦମା ମହାପାତ୍ର, ହାଡିବନ୍ଧୁ ମହାକୁଡ଼,ଅର୍ଣିମା ଦତ୍ତ ପ୍ରମୁଖ ୫୦ ରୁ ଉର୍ଦ୍ଧ୍ବ ଅନୁବାଦକ ଉପସ୍ଥିତ ଥିଲେ। ଆସନ୍ତା ସମୟରେ ଅହମିୟା ରୁ ଓଡ଼ିଆ ଏବଂ ଓଡିଆରୁ ଅହମିୟା ଉଭୟ ଭାଷାରେ ଦୁଇଟି କବିତା ସଂକଳନ ଭାରତୀୟ ଅନୁବାଦ ସାହିତ୍ୟ ତରଫରୁ ପ୍ରକାଶିତ ହେବା ପାଇଁ ନିଷ୍ପତ୍ତି ନିଆଗଲା। ଶେଷରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସନାତନ ମହାକୁଡ଼ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.