ସାପ କାମୁଡ଼ା: ୭ବର୍ଷରେ ମଲେଣି ୬୩୫୧

ଭୁବନେଶ୍ବର: ରାଜ୍ୟରେ ଯେତିକି ଲୋକଙ୍କର ବିପର୍ଯ୍ୟୟ ଜନିତ ମୃତ୍ୟୁ ହେଉଛି ସେଥିରୁ ୪୦% ଲୋକଙ୍କର କେବଳ ସାପ କାମୁଡ଼ାରେ ମୃତ୍ୟୁ ହେଉଛି। ଦିନକୁ ଦିନ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ବଢ଼ି ଚାଲିଥିବାବେଳେ ଗତ ୭ବର୍ଷରେ ୬୩୫୧ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ସାପ କାମୁଡ଼ିଲେ ଲୋକଙ୍କର ମୃତ୍ୟୁ ହେଉଥିବାରୁ ଲୋକମାନେ ଭୟଭୀତ ହୋଇ ସାପକୁ ମାରି ଦେଉଛନ୍ତି। ତେଣୁ ସାପକୁ ଯେପରି ତୁରନ୍ତ ଉଦ୍ଧାର କରାଯିବ ସେନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ସାପ କାମୁଡ଼ିଲେ କିମ୍ବା ଜନବସତିରେ ସାପ ଦେଖାଦେଲେ ଲୋକ ଯଦି ହେଲ୍‌ପଲାଇନ୍‌ରେ ଫୋନ୍ କରୁଛନ୍ତି ତେବେବି ମାନବସମ୍ବଳ ଅଭାବରୁ ସାପ ଉଦ୍ଧାରକାରୀ ଦଳ ଠିକ୍ ସମୟରେ ପହଞ୍ଚିପାରୁନାହାନ୍ତି। ଉଦ୍ଧାରକାରୀ ଦଳ ପହଞ୍ଚିବାବେଳକୁ ଲୋକ ସାପକୁ ବାଡ଼େଇ ମାରିଦେଉଛନ୍ତି। କେତେକ ସ୍ଥାନରେ ଦେଖାଯାଉଛି ଯେଉଁମାନେ ସାପକୁ ଉଦ୍ଧାର କରୁଛନ୍ତି ସେମାନେ ଆବଶ୍ୟକୀୟ ସରଞ୍ଜାମ ନେଉନଥିବାରୁ କିମ୍ବା ସାପ ଧରିବା ପରେ ଷ୍ଟଣ୍ଟ ଦେଖାଉଥିବାରୁ ସାପ କାମୁଡ଼ିବାରେ ସେମାନଙ୍କର ବି ମୃତ୍ୟୁ ହେଉଛି। ତେଣୁ ଏବେ କେବଳ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ହିଁ ସାପ ଧରିବେ। ‌ଯିଏ ଏହାକୁ ନମାନିବେ ସେମାନଙ୍କ ବିରୋଧରେ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁଠି ଲୋକଙ୍କ ଜୀବନକୁ ସାପର ଭୟ ଥିବ ଯଥା ଘରେ ଭିତରେ ବା ଜନଗହଳି ସ୍ଥାନରେ ସାପ ଦେଖାଗଲେ ତାକୁ ଉଦ୍ଧାର କରାଯିବ। ସାପ ଧରାଳୀମାନେ ଲୋକଙ୍କ ମଧ୍ୟରେ ପରିବେଶରେ ସାପର ଗୁରୁତ୍ବ ନେଇ ସଚେତନତା ସୃଷ୍ଟି କରିବେ, କେହି ସାପ ଧରି ଷ୍ଟଣ୍ଟ ଦେଖାଇବେନି। ଯଦି କେହି ଉଲ୍ଲଂଘନ କରିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ l ସେହିପରି ଯେଉଁଠି ସାପର ଭୟ ଥିବ ସେଠାରେ ଲୋକମାନେ ସାପ ଧରାଳୀଙ୍କୁ ଫୋନ୍‌ କରିବେ। ଏହାସହ ସାପର ଗୋଟିଏ ଫଟୋ ଉଠାଇ ପଠାଇବେ। ସାପ ଧରାଳୀ କେତେ ସମୟ ଭିତରେ ତାଙ୍କ ନିକଟରେ ପହଞ୍ଚିବେ ତାହା ନିଶ୍ଚିତ କରିବେ। ଯଦି କେଉଁଠି ଲୋକଙ୍କୁ ସାପ କାମୁଡ଼ି ଥିବ ତେବେ ସାପ ଧରାଳୀ ଆଶୁ ଚିକିତ୍ସା ଯୋଗାଇବ ସହ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିବେ। ଉଦ୍ଧାର ସାପକୁ ତୁରନ୍ତ ଜଙ୍ଗଲରେ ଛାଡ଼ିବେ। ଯଦି ସାପ ଆହତ ହୋଇଥିବ ତେବେ ତା’ର ଚିକିତ୍ସା କରି ଛାଡ଼ିବେ, ଏକାଧିକ ସାପ ଉଦ୍ଧାର ହୋଇଥିଲେ ଗୋଟିଏ ସ୍ଥାନରେ ଛାଡ଼ିବେନି, ସ୍ଥାନୀୟ ବନ ବିଭାଗ କର୍ତ୍ତୃପକ୍ଷ ସେମାନଙ୍କ ଅଞ୍ଚଳରେ ସାପ କାମୁଡ଼ା ଏବଂ କାମୁଡ଼ା ଜନିତ ମୃତ୍ୟୁର ମାସିକ ରିପୋର୍ଟ ପ୍ରସ୍ତୁତ କରିବେ। ସାପ ଧରାଳୀଙ୍କ ପାଇଁ ବୀମା କରାଯିବ ବୋଲି କୁହାଯାଇଛି। ଏହାସହ ଯେଉଁମାନେ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ହେବାକୁ ଆଗ୍ରହୀ ଅଛନ୍ତି ସେମାନେ ଆବେଦନ କରିବାକୁ କୁହାଯାଇଛି। ୬୫ବର୍ଷରୁ କମ୍‌ ବୟସର ଲୋକ ସ୍ବୀକୃତିପ୍ରାପ୍ତ ସାପ ଧରାଳୀ ପଦବି ପାଇଁ ଆବେଦନ କରିପାରିବେ। ଏସିଏଫ୍‌ଙ୍କ ଦ୍ବାରା ଗଠିତ କମିଟି ଆବେଦନପତ୍ର ଗ୍ରହଣ କରିବା ସହ ତାଲିକା ଚୂଡ଼ାନ୍ତ କରିବେ। ସ୍ବୀକୃତିପ୍ରାପ୍ତ ସାପ ଧରାଳୀଙ୍କ ପାଖରେ ପିଭିସି ପାଇପ୍ ଏବଂ ବ୍ୟାଗ୍, ଫାଷ୍ଟ ଏଡ୍‌ କିଟ୍, ଟର୍ଚ୍ଚ/ହେଡ୍‌ ଲ୍ୟାମ୍ପ, ସାପ କାମୁଡ଼ା ବ୍ୟା‌େଣ୍ଡଜ୍, ସାପ ଧରା ହୁକ୍, ଫ୍ରେମ୍ ଲାଗିଥିବା କପଡ଼ା ବ୍ୟାଗ୍, ସାପ ଧରା ବ୍ୟାଗ୍, ନିଜକୁ ସୁରକ୍ଷିତ ରଖିବା ଭଳି ସାମଗ୍ରୀ ରଖିବାକୁ କୁହାଯାଇଛି।

Comments are closed.