ଅମୃତ ମହୋତ୍ସବ

ଭାରତୀ ରଥ(ଶିକ୍ଷୟିତ୍ରୀ)

ପଞ୍ଚସ୍ତରୀ ବର୍ଷ ପୁରିଗଲା ପରେ
କେତେ ସ୍ୱାଧୀନ ଭାରତ ?
ଗୋଟି ଗୋଟି କରି ହିସାବ କରିଲେ
ଲାଗଇ ସତେ ଲଜ୍ଜିତ ।

ଉଡ଼େ ଫର ଫର ତ୍ରିରଙ୍ଗା ଆମର
ସଭିଏଁ ହୁଅନ୍ତି ଖୁସି
କେତେ କଷ୍ଟ ସହି ଗଢ଼ିଲେ ପୂର୍ବଜ
ଭାବେନାହିଁ କେହି ବସି।

ମହୋତ୍ସବ ପରି ପାଳନ କରନ୍ତି
ସତେକି ଝରେ ଅମୃତ
ଦୁଇ ଦିନ ଗଲେ ଫୋପାଡ଼ି ତ୍ରିରଙ୍ଗା
ବିଷରେ ଭରିବେ ହାତ ।

ସ୍ୱାର୍ଥ ପାଇଁ ଆଜି ନେତାଏ ଲଢନ୍ତି
କେତେ ଅଭିନୟ କରି
ମାନବିକତା ତ ତାଙ୍କ ହୃଦୟରୁ
ଯାଇଅଛି ଅବା ମରି ।

ଯେ ଦେଶ ଜନତା ଲଢ଼ୁଥିଲା ଦିନେ
ଦେଶ ସ୍ୱାଧୀନତା ପାଇଁ
ବୁଝେନାହିଁ ଆଜି ଦେଶର ପ୍ରଗତି
କୁଆଡେ ଯାଉଛି ଧାଇଁ ।

ଲୋକ ଦେଖାଣିଆ ଦେଶପ୍ରେମ ଆଜି
ପ୍ରହସନ ପରି ଲାଗେ
ଛଳନାର ରଙ୍ଗ ଭରିଛି ମନରେ
ଦେଶପ୍ରେମ କିବା ଜାଗେ ?

ଲୋମ ଟାଙ୍କୁରା ସେ ପରାଧୀନତାକୁ
ମନେ ପକାଇଲେ ବସି
କଷ୍ଟଲବ୍ଧ ଏଇ ସ୍ୱାଧୀନତା ମୂଲ୍ୟ
ବୁଝିବ ହେ ଦେଶବାସୀ ।

ସଚେତନ ଯେବେ ହୋଇବା ସଭିଏଁ
ବହିବ ଅମୃତ ଝର
ପ୍ରତି ଘରେ ଘରେ ତ୍ରିରଙ୍ଗା ପତାକା
ଉଡିବ ଯେ ଫରଫର।

ରଗଡ଼ି, ବାଙ୍କୀ, କଟକ
ତା-୧୪.୦୮.୨୦୨୨

Comments are closed.