ଅଷ୍ଟମ କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ସମାରୋହ; ଯୀଶୁକ୍ରୀଷ୍ଣ ଦାସଙ୍କୁ ‘ଚନ୍ଦ୍ର କୁମାର କବିତା ସମ୍ମାନ-୨୦୨୬’

ମଣିଷର ଛାତି ଭିତରେ ରହିଛି ସବୁଠାରୁ ବଡ଼ ଶ୍ମଶାନ: ଡକ୍ଟର ଗୌରହରି ଦାସ ଦ୍ୟୁତି ମହାନ୍ତିଙ୍କ ପ୍ରଥମ ଇଂରାଜୀ କବିତା ସଂକଳନ ‘ଦ ସ୍ମାଇଲିଂ ପେନ୍’ ଉନ୍ମୋଚିତ

0
ବାଲେଶ୍ୱର, ୧ ନଭେମ୍ବର (କୃଷ୍ଣ କୁମାର ମହାନ୍ତି): “ପୃଥିବୀର ସବୁଠାରୁ ବଡ଼ ଶ୍ମଶାନ ପୁରୀର ସ୍ୱର୍ଗଦ୍ୱାର କିମ୍ବା ବାରାଣସୀର ହରିଶ୍ଚନ୍ଦ୍ର ଘାଟରେ ନାହିଁ, ତାହା ମଣିଷର ଛାତି ଭିତରେ ରହିଛି, ଯେଉଁଠି ପ୍ରତି ମୁହୂର୍ତ୍ତରେ ଅସଂଖ୍ୟ ସ୍ୱପ୍ନ ଓ ଆଶାର ଶବଦାହ ହୋଇଥାଏ।” ବିଶିଷ୍ଟ କଥାକାର ତଥା ସାହିତ୍ୟ ଏକାଡେମୀର ଆବାହକ ଡକ୍ଟର ଗୌରହରି ଦାସ ଏଭଳି ଏକ ଦାର୍ଶନିକ ଅଭିବ୍ୟକ୍ତି ରଖି ସାହିତ୍ୟର ମାନବୀୟ ଓ ସମ୍ବେଦନଶୀଳ ଦିଗ ଉପରେ ଆଲୋକପାତ କରିଛନ୍ତି। ଗତ ୩୧ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଆତିଥ୍ୟ ଭବନଠାରେ ଆୟୋଜିତ ଅଷ୍ଟମ କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହି ମତ ରଖିଥିଲେ।
ସେ ଆହୁରି କହିଥିଲେ ଯେ, ପ୍ରତ୍ୟେକ ମଣିଷ ମନରେ ଲୋଡ଼ା ହେବାର ଏକ ଅନ୍ତର୍ନିହିତ ଆକାଂକ୍ଷା ରହିଥାଏ, ଯାହା ତାକୁ ଆନନ୍ଦ ଦିଏ। ଅନ୍ୟପକ୍ଷରେ ଅଲୋଡ଼ା ହୋଇଯିବାର ବେଦନା ତାକୁ ଗଭୀର ଭାବେ ମର୍ମାହତ କରେ। ଲୋଡ଼ା ଓ ଅଲୋଡ଼ା ହେବାର ଏହି ଦ୍ୱନ୍ଦ୍ୱ ମଧ୍ୟରେ ମଣିଷ ଜୀବନ ଅତିବାହିତ କରୁଥିବାବେଳେ କବି ମଧ୍ୟ ଏହି ମାନବୀୟ ଅନୁଭବରୁ ଊର୍ଦ୍ଧ୍ୱରେ ନୁହନ୍ତି। କବି ଚନ୍ଦ୍ର କୁମାର ମହାନ୍ତିଙ୍କ କବିତାରେ ମଧ୍ୟ ଅଲୋଡ଼ା ହୋଇଯିବାର କ୍ଷୋଭ ଓ ମାନସିକ ବେଦନାର ଅଭିବ୍ୟକ୍ତି ଦେଖିବାକୁ ମିଳେ ବୋଲି ଡକ୍ଟର ଦାସ ମତ ଦେଇଥିଲେ।
ନିଜ ବକ୍ତବ୍ୟରେ ସେ ଏକ ହୃଦୟସ୍ପର୍ଶୀ କାଶ୍ମୀରୀ କାହାଣୀର ଅବତାରଣା କରିଥିଲେ। ଜଣେ ନବବଧୂ ଶୋଷରେ ମୃତ୍ୟୁମୁଖରେ ପଡ଼ିବାକୁ ଯାଉଥିବାବେଳେ ଜଣେ କିଶୋର ମେଷପାଳକ ନିଜ ଜୀବନକୁ ବାଜି ଲଗାଇ ତା’ ପାଇଁ ପାଣି ଆଣିଥିଲା। ନବବଧୂର ଜୀବନ ରକ୍ଷା ହୋଇଥିଲା, କିନ୍ତୁ ନିଜର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ମେଷପାଳକର ମୃତ୍ୟୁ ହୋଇଥିଲା। ଏହାପରେ ନବବଧୂ ନିଜ ବରକୁ ଛାଡ଼ି ମେଷପାଳକର ମାଆ ପାଖକୁ ଯାଇ ତା’ର ଅନ୍ତିମ ସଂସ୍କାର କରିବାକୁ ନିଷ୍ପତ୍ତି ନେଇଥିଲା। ଏହି କାହାଣୀ ମାଧ୍ୟମରେ ଜଣେ ଲେଖକ ମଣିଷ ଭିତରେ ଥିବା ଅସାଧାରଣ ମାନବିକତା ଓ ମହତ୍ତ୍ୱକୁ କିପରି ଆବିଷ୍କାର କରିପାରେ, ତାହା ଡକ୍ଟର ଦାସ ବୁଝାଇଥିଲେ। କଳ୍ପନା ଓ ବାସ୍ତବତାର ସମନ୍ୱୟରେ ସାହିତ୍ୟ ପାଠକଙ୍କୁ ଉଚ୍ଚତର ମାନବୀୟ ଚେତନା ଆଡ଼କୁ ନେଇଯାଏ ବୋଲି ସେ ମତ ରଖିଥିଲେ।
ସମ୍ମାନିତ ଅତିଥି ବିଶିଷ୍ଟ କବି ତଥା ପ୍ରଶାସକ ଧନଞ୍ଜୟ ସ୍ୱାଇଁ ସାହିତ୍ୟରେ ପ୍ରଚାର ଓ ପ୍ରସାରର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। କେବଳ ଭଲ ଲେଖିଲେ ଜଣେ ଭଲ ଲେଖକ ହୋଇଯାଏ ନାହିଁ; ନିଜ ସୃଷ୍ଟିକୁ ପାଠକ ଓ ସମାଲୋଚକଙ୍କ ନିକଟରେ ପହଞ୍ଚାଇବା ମଧ୍ୟ ଜରୁରୀ। ଶିଳ୍ପ ଜଗତରେ ଉତ୍ପାଦର ବିକ୍ରୟ ବୃଦ୍ଧି ପାଇଁ ଯେପରି ପ୍ରଚାର ଓ ବଜାର ସୃଷ୍ଟିର ଆବଶ୍ୟକତା ରହିଛି, ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେହିପରି ପ୍ରସାର ଓ ପ୍ରଚାର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।
ଏହି ସମାରୋହରେ ଯୁବକବି ଯୀଶୁକ୍ରୀଷ୍ଣ ଦାସଙ୍କୁ ୨୦୨୬ ବର୍ଷ ପାଇଁ ‘ଚନ୍ଦ୍ର କୁମାର କବିତା ସମ୍ମାନ’ ପ୍ରଦାନ କରାଯାଇଥିଲା। ସମ୍ମାନ ଗ୍ରହଣ କରି ଯୀଶୁକ୍ରୀଷ୍ଣ ଏହାକୁ ନିଜ ସାହିତ୍ୟିକ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେରଣା ବୋଲି ଅଭିହିତ କରିଥିଲେ। ଜଣେ ବରିଷ୍ଠ କବିଙ୍କ ସ୍ମୃତି ସହ ଜଣେ ଯୁବକବିଙ୍କୁ ଯୋଡ଼ିବାର ଏହି ପରମ୍ପରା ତାଙ୍କୁ ଆଗାମୀ ଦିନରେ ଅଧିକ ଦାୟିତ୍ୱଶୀଳ ଓ ସୃଜନଶୀଳ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ମାନପତ୍ର ପାଠ କରିଥିଲେ କମଳିନୀ କାସ୍ତ।
ଏହି ଅବସରରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ନାତୁଣୀ ତଥା ତୃତୀୟ ପିଢ଼ିର ସୃଜନଶୀଳ ପ୍ରତିନିଧି ଦ୍ୟୁତି ମହାନ୍ତିଙ୍କ ପ୍ରଥମ ଇଂରାଜୀ କବିତା ସଂକଳନ ‘ଦ ସ୍ମାଇଲିଂ ପେନ୍’ ଉନ୍ମୋଚିତ ହୋଇଥିଲା। ନିଜର କବିତା ଯାତ୍ରା ଓ ଲେଖନୀ ପ୍ରତି ପ୍ରେରଣା ସମ୍ପର୍କରେ ଅନୁଭୂତି ବାଣ୍ଟି ଦ୍ୟୁତି କହିଥିଲେ ଯେ, ତାଙ୍କ ପିତା କବି ଉତ୍ପଳ ମହାନ୍ତିଙ୍କ କବିତା ପୁସ୍ତକ ‘ଆଣ୍ଟିବାୟୋଟିକ୍’ର ଉନ୍ମୋଚନ ଉତ୍ସବରୁ ହିଁ ତାଙ୍କ ମନରେ କବିତା ପ୍ରତି ପ୍ରଥମ ଆକର୍ଷଣ ଓ ସୃଜନର ଆହ୍ୱାନ ସୃଷ୍ଟି ହୋଇଥିଲା।
ସମାରୋହରେ ଅଧ୍ୟକ୍ଷତା କରି କବି ଚନ୍ଦ୍ର କୁମାର ମହାନ୍ତି ସ୍ମୃତି ସଂସଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର ସଭାର ମର୍ଯ୍ୟାଦା ରକ୍ଷା ସହ ସାହିତ୍ୟିକ ପରମ୍ପରା ଓ ସ୍ମୃତି ସଂରକ୍ଷଣର ଗୁରୁତ୍ୱ ଉପରେ ମତ ରଖିଥିଲେ। କବି ତଥା ସମ୍ପାଦକ କୃଷ୍ଣ କୁମାର ମହାନ୍ତି କବି ଚନ୍ଦ୍ର କୁମାର ମହାନ୍ତିଙ୍କ କବିତାରେ ପ୍ରତିଫଳିତ ପ୍ରଗତିଶୀଳ ଚେତନା ଓ ସାମାଜିକ ଦୃଷ୍ଟିଭଙ୍ଗୀର ବିଶ୍ଳେଷଣ କରିବା ସହ ଦ୍ୟୁତି ମହାନ୍ତିଙ୍କ କବିତା ସଂକଳନର ଭାବବସ୍ତୁ ଓ କାବ୍ୟିକ ଅଭିବ୍ୟକ୍ତି ଉପରେ ସମୀକ୍ଷାତ୍ମକ ମତ ରଖିଥିଲେ।
ପ୍ରାରମ୍ଭରେ ହାଇଫେନ୍ ପ୍ରକାଶନୀର ସ୍ୱତ୍ୱାଧିକାରୀ କବି ଶୁଭେନ୍ଦୁ ଦାସ ସ୍ୱାଗତ ଭାଷଣ ଦେବା ସହ ପୁସ୍ତକ ସମ୍ପର୍କରେ ପ୍ରକାଶକୀୟ ଅଭିବ୍ୟକ୍ତି ରଖିଥିଲେ। ବିଶିଷ୍ଟ ଗାଳ୍ପିକ ତଥା କବି ଗଙ୍ଗାଧର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ଅବସରରେ କବି ସୁନୀଲ ମିଶ୍ର ଅତିଥିମାନଙ୍କୁ ତୈଳଚିତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସ୍ମୃତି ସଂସଦ ପକ୍ଷରୁ କବି ଶ୍ରୀଦେବ ଓ କବି ପ୍ରଶାନ୍ତ ଦାସ ମୁଖ୍ୟ ଅତିଥି ଡକ୍ଟର ଗୌରହରି ଦାସ ଏବଂ ସମ୍ମାନିତ ଅତିଥି ଧନଞ୍ଜୟ ସ୍ୱାଇଁଙ୍କୁ ଜଉକଣ୍ଢେଇ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ସମାରୋହରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ଅନୁରାଗୀମାନେ ଯୋଗ ଦେଇଥିଲେ। କବିଙ୍କ ବଡ଼ପୁଅ ତଥା ସାମ୍ବାଦିକ ଉବାଚକ ମହାନ୍ତି ଓ ସାନପୁଅ କବି ଉତ୍ପଳ ମହାନ୍ତି ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଶେଷରେ କବି ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply

Your email address will not be published.