ଅନ୍ୟ ଚର୍ବି ଜାତୀୟ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟକର ଗାଈଘିଅ, ରଖେ ନିରୋଗ ଓ ଦୀର୍ଘାୟୁ

ଆୟୁର୍ବେଦ ମତରେ, ଗୋଘୃତ ନିତ୍ୟ ସେବନ କରିବା ଦ୍ୱାରା ଆମର ଧାରଣଶକ୍ତି, ସ୍ମୃତିଶକ୍ତି, ମେଧା, ଅଗ୍ନି, ବଳ, ଓଜନ ଓ ଆୟୁ ବୃଦ୍ଧି ହୋଇଥାଏ। ଏହା ଆମର ଶୁକ୍ରଧାତୁ, ସ୍ୱର ତଥା ନେତ୍ର ପାଇଁ ହିତକାରୀ। ଏହା ବାତ ଓ ପିତ୍ତର ବିକାର, ଉନ୍ମାଦ, ଅପସ୍ମାର ଓ ଜ୍ୱର ଜନିତ ପ୍ରଦାହକୁ ମଧ୍ୟ ନଷ୍ଟ କରିଥାଏ। ଶରୀରର ଓଜ ଓ ତେଜ ଏହାଦ୍ୱାରା ବୃଦ୍ଧି ହୋଇଥାଏ। ମୁଖଗହ୍ୱରରେ ଘା’ ହେଲେ ଏବଂ ଶୀତ ଋତୁରେ ଓଠ ଓ ପାଦତଳ ଫାଟିଲେ, ଗୋଘୃତ ଲଗାଇବା ଦ୍ୱାରା ଉପଶମ ମିଳିଥାଏ। ନିୟମିତ ଗୋଦୁଗ୍‌ଧ ଓ ଗୋଘୃତକୁ ଏକତ୍ର ସେବନ କଲେ ଏହା ବାର୍ଦ୍ଧକ୍ୟକୁ ବିଳମ୍ବିତ କରିଥାଏ।

ଗୋଘୃତ ସାଧାରଣତଃ ପ୍ରାତଃଭୋଜନ ପୂର୍ବରୁ କିମ୍ବା ପ୍ରାତଃଭୋଜନ ସହିତ ସେବନୀୟ। ଏହାର ମାତ୍ରା- ଅଗ୍ନିର ବଳ ତଥା କୋଷ୍ଠ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ। ତେବେ ଏହାକୁ ଆମେ ସାଧାରଣତଃ ଅଧଚାମଚ ମାତ୍ରାରେ ସେବନ କରିପାରିବା। ଗୋଘୃତ ସେବନ ପରେ ଉଷୁମପାଣି ପିଇବା ବିଧେୟ। ତେବେ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଏହାର ସେବନ ଅନୁଚିତ। ଏହି ସ୍ୱାସ୍ଥ୍ୟ ସମସ୍ୟା ହେଉଛି- ଉଚ୍ଚ କୋଲେଷ୍ଟରଲ, ଯକୃତ ସମ୍ବନ୍ଧୀୟ ରୋଗ, ଅଜୀର୍ଣ୍ଣ, ଜ୍ୱର, ଝାଡ଼ା ଇତ୍ୟାଦି। ଉଚିତ ମାତ୍ରାରେ ଏବଂ ବିଧିପୂର୍ବକ ଗୋଘୃତ ସେବନ ମନୁଷ୍ୟକୁ ନିରୋଗ ରଖିବା ସହିତ ଦୀର୍ଘାୟୁ କରିଥାଏ।

Comments are closed.