ବକ୍ରତୁଣ୍ଡଙ୍କ ଅଙ୍ଗ ପ୍ରତ୍ୟଙ୍ଗରୁ ଶିକ୍ଷା

ଅର୍ଜୁନୀ ଚରଣ ବେହେରା

ଗଜାନନ ପାର୍ବତୀନନ୍ଦନ ଗଣେଶଙ୍କ ବିଚିତ୍ର ରୂପ ବୃହତ ଉଦର, କୁଲା ଭଳି କାନ, ଗଜ ବଦନରେ ଛୋଟ ଛୋଟ ଆଖି,ଉନ୍ନତ କପାଳ,ଶୁଣ୍ଢ ନାସିକା କ୍ଷୁଦ୍ର ମୂଷିକ ବାହନ ଇତ୍ୟାଦିରୁ ଆମକୁ ଭିନ୍ନ ଭିନ୍ନ ଶିକ୍ଷା ମିଳିଥାଏ l ସେ ବିଷୟରେ ଗୋଟିଏ ଛୋଟ ଆଲୋଚନା l
ମୁଣ୍ଡ: –
ଗଣେଶଙ୍କ ବିଶାଳ ଗଜ ମୁଣ୍ଡରୁ ଆମେ କଠିନରୁ କଠିନତମ ପରିସ୍ଥିତିକୁ ସାମ୍ନା କରିବା ଓ ନେତୃତ୍ୱ ନେବା ଶିକ୍ଷା କରିଥାଉଁ l ତାଙ୍କର ଉନ୍ନତ କପାଳ ଆମକୁ ଉଦାର ରହିବା ସହିତ ଧନ, ଶକ୍ତି ଆଦିର ଅର୍ଜନ ପାଇଁ, ଅନ୍ୟକୁ ପୀଡ଼ା ଦେବା ଉଚିତ ନୁହଁ ବୋଲି ଶିକ୍ଷା ଦେଇଥାଏ l ଏହା ମଧ୍ୟ ଶିକ୍ଷା ଦେଇ ଥାଏ ସର୍ବଦା ଚିନ୍ତାଶୀଳ ରୁହ l ନୂଆ ନୂଆ ବିଚାର ମାନ ଚିନ୍ତନ ଓ ମନନ କର l
ଆଖି:-
ଗଣେଶଙ୍କ ଛୋଟ ଆଖି ଧ୍ୟାନପୂର୍ବକ ନୀରିକ୍ଷଣ ଓ ଦୂରଦୃଷ୍ଟି ରଖିବାର ଶିକ୍ଷା ପ୍ରଦାନ କରେ l ନିଜକୁ ସର୍ବଦା ଅନ୍ୟଠାରୁ ଛୋଟ ମଣିବା ଅର୍ଥାତ ବିନୟ ଭାବର ଶିକ୍ଷା ମଧ୍ୟ ଏହା ଦେଇଥାଏ l ଏହା କହି ଥାଏ ପ୍ରତ୍ୟେକଟି ଜିନିଷକୁ ଭଲ ଭାବେ ପରଖ, ବୁଝ ଏବଂ ତା’ ପରେ ନିର୍ଣ୍ଣୟ ନିଅ l
କାନ:-
ଗଣେଶଙ୍କ ବଡ଼ ବଡ଼ କାନ ଆମକୁ ଅନ୍ୟ ମାନଙ୍କ କଥାକୁ ଠିକ୍ ଭାବେ ଶୁଣିବାର ବାର୍ତ୍ତା ଦିଏ l ବଡ଼ କାନର ଅର୍ଥ ହେଉଛି ଅଧିକ କଥା ନକହି ଅଧିକ ଶୁଣି ଭଲ କଥା ଗ୍ରହଣ କର l
ଶୁଣ୍ଢ:-
ଵକ୍ରତୁଣ୍ଡଙ୍କ ଲମ୍ବା ଶୁଣ୍ଢ ବା ନାଶିକା ଆମକୁ ଶିକ୍ଷା ଦିଏ ମାନ ସମ୍ମାନ ହାସଲ କରିବା ପାଇଁ ପ୍ରତିଦିନ ସକ୍ରିୟ ରହି ବଡ଼ ବଡ଼ କାର୍ଯ୍ୟ କରିବାକୁ ପଡ଼ିବ l ଏହା ମଧ୍ୟ ଶୁଦ୍ଧଆଘ୍ରାଣ କର ବା ଶୁଦ୍ଧତତ୍ତ୍ୱ ଗୁଡ଼ିକୁ ଗ୍ରହଣ କରିବାର ଶିକ୍ଷା ଦେଇଥାଏ l
ଦାନ୍ତ: –
ହାତୀର ଖାଇବାଦାନ୍ତ ଓ ଦେଖାଇବାଦାନ୍ତ ଅଲଗା ଅଲଗା ଥାଏ l ଗଣେଶଙ୍କ ଦାନ୍ତ ଆମକୁ ଏ ଶିକ୍ଷା ଦେଇଥାଏ ଯେ ଆମେ ଆମ ଆଖ ପାଖରେ ଥିବା ଶତ୍ରୁଙ୍କୁ ଜାଣିବା ପରେ ବି ତାଙ୍କ ସହ ନମ୍ର ଭାବେ ବ୍ୟବହାର କରିବା ଉଚିତ lଶତ୍ରୁତା ଆଚରଣ କରି ଶତ୍ରୁତା ବଢ଼ାଇବା ଅନୁଚିତ l
ପେଟ:-
ଲମ୍ବୋଦରଙ୍କ ଥନ୍ତଲ ପେଟ ଆମକୁ ସବୁ ପ୍ରକାର ଉଚିତ ଏବଂ ଅନୁଚିତ କଥାକୁ ଉଦରସ୍ଥ କରିବାର ସନ୍ଦେଶ ଦେଇଥାଏ l ଯଦି କେହି ଆମ ଉପରେ ବିଶ୍ୱାସ କରି କଛି କହିଛନ୍ତି ତେବେ ତାକୁ ଆମେ ଅନ୍ୟକୁ ନକହି ପେଟ ଭିତରେ ସୀମିତ ରଖିବା l ଏହା ଆହୁରି ଶିକ୍ଷା ଦେଇ ଥାଏ ଅଧିକରୁ ଅଧିକ ଜ୍ଞାନ ହଜମ କର ବା ଉଦରସ୍ଥ କର l
ବାହନ ମୂଷା:-
ଇନ୍ଦୁରବାହନଙ୍କ କ୍ଷୁଦ୍ର ମୂଷିକ ସନ୍ଦେଶ ଦେଇଥାଏ କର୍ତ୍ତବ୍ୟରୂପୀ ଜୀବନରେ ଏ ଛୋଟ ମୂଷା ଆମକୁ ଅନେକ କ୍ଷତି ପହଞ୍ଚାଇ ଥାଏ l ତେଣୁ ସେ କ୍ଷତିକୁ ଦମନ କରିବା ଉଚିତ l କ୍ଷତି କାରକ ଶକ୍ତି ଗୁଡ଼ିକୁ ସର୍ବଦା ତଳେ ରଖ l ଏହା ପୁଣି ଶିକ୍ଷା ଦିଏ ବଡ଼ କାର୍ଯ୍ୟକୁ ଛୋଟ ଛୋଟ କାର୍ଯ୍ୟରୁ ଆରମ୍ଭ କର l
ନମଃ ଗଣେଶ ବିଘ୍ନେଶ୍ୱର l
ଗଜ ବଦନ ଲମ୍ବୋଦର ll

Comments are closed.