ବିକଶିତ ଓଡ଼ିଶା ଗଠନ ପାଇଁ ଅସୀମ ଓଡ଼ିଶାର ବଜ୍ର ଶପଥ

ବେଙ୍ଗାଲୁରୁ : ୩୧ା୮ : ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ପ୍ରଦେଶ ଭାବରେ ଗଢ଼ିତୋଳିବା ପାଇଁ ଅସୀମ ଓଡ଼ିଶା ଏହାର ବଜ୍ର ଶପଥ ଘୋଷଣା କରିଛି । ଓଡ଼ିଶା ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କର ଏହି ଶୀର୍ଷ ସଂଗଠନ ରାଜ୍ୟର ସର୍ବାଙ୍ଗୀନ ଉନ୍ନୟନ ସକାସେ ପ୍ରବାସୀ ଓଡ଼ିଆମାନଙ୍କୁ ଏକଜୁଟ୍‍ କରିବାର ପ୍ରୟାସ ଲଗାତରଭାବେ ଜାରି ରଖିଥିବା ଜଣାଯାଇଛି । ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଅସୀମ ଓଡ଼ିଶାର ମାନସମନ୍ଥନ ବୈଠକରେ ଆମର ମାତୃପ୍ରଦେଶ ଆଉ ମାତ୍ର ୧୪ବର୍ଷ ପରେ ଏହାର ୧୦୦ତମ ପ୍ରତିଷ୍ଠା ବର୍ଷ ପାଳନ କରିବାକୁ ଯାଉଥିବା ସମୟରେ, ଏହାକୁ ପୁନର୍ବାର ସୁଜଳା, ସୁଫଳା ଓ ଶସ୍ୟ ଶ୍ୟାମଳାର ସ୍ୱରୂପ ପ୍ରଦାନ ପାଇଁ ସଂସ୍ଥା ଏହାର ପ୍ରତିବଦ୍ଧତା ପ୍ରକାଶ କରିଛି । ଅଧୀବେଶନରେ ସାରା ଦେଶରୁ ଆସିଥିବା ଓଡ଼ିଆ ସମ୍ପ୍ରଦାୟର ତୁଙ୍ଗ ନେତା ଏବଂ ବିଶିଷ୍ଟ ପ୍ରବାସୀ ଓଡ଼ିଆମାନେ ଯୋଗଦେଇଥିଲେ । ଆରମ୍ଭରେ ସ୍ୱର୍ଗତଃ ଇଞ୍ଜିନିୟର ଅମୂଲ୍ୟ ପାତ୍ରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା ।
ଦୀର୍ଘ ତିନି ଘଣ୍ଟା ଧରି ଚାଲିଥିବା ଏହି ଘମାଘୋଟ ବୈଠକକୁ ସମ୍ବୋଧନ କରି ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ଓଡ଼ିଶାରେ ଅସୀମ ଓଡ଼ିଶାର କାର୍ଯ୍ୟକ୍ଷେତ୍ରକୁ ବ୍ୟାପକ ଭାବେ ବିସ୍ତାର କରାଯିବା ଉପରେ ଜୋର୍‍ ଦେଇଥିଲେ । ବିଶେଷକରି କୋଭିଡ୍‍ ମହାମାରୀର ପରବର୍ତ୍ତୀ କାଳରେ ରାଜ୍ୟର କୋଣ ଅନୁକୋଣରେ ଜନସମ୍ପର୍କ ଏବଂ ସମାଜ ସେବା କରିବା ନେଇ ଅସୀମ ଓଡ଼ିଶା ସାମ୍‍ନାରେ ଭରପୂର ସୁଯୋଗ ରହିଥିବା ଶ୍ରୀ ଜେନା ଦର୍ଶାଇଥିଲେ । ଓଡ଼ିଶାର ପୁନଃନିର୍ମାଣ ପାଇଁ ବିଶ୍ୱର ସମସ୍ତ ଓଡ଼ିଆ, ଅସୀମ ଓଡ଼ିଶାକୁ ସାହାଯ୍ୟ, ସମର୍ଥନ ଓ ସହଯୋଗ ପ୍ରଦାନ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଜଣାଇଥିଲେ । ଅସୀମ ଓଡ଼ିଶାର ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରା ସଂଗଠନର ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ଓଡ଼ିଶାର ନବନିର୍ମାଣ ଏବଂ ନୂଆ ଓଡ଼ିଶା ଗଠନ ନେଇ ତନ, ମନ ଓ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ ।
ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ଅସୀମ ଓଡ଼ିଶାର ସଭାପତି କ୍ଷୀରୋଦ କୁମାର ଜେନା, ମୁଖ୍ୟ ପ୍ରୋତ୍ସାହକ ନୀହାର ସାମନ୍ତରା, ସମ୍ପାଦକ ନିରଞ୍ଜନ ମିଶ୍ର, ସ୍ୱେତାଙ୍କ ରାଜଗୁରୁ, ମନୋଜ ପାତ୍ର, ବସନ୍ତ ରାଉଳ, ମଞ୍ଜୁ ରାଉଳ ଏବଂ ଟି.ଏମ୍‍. ସୁନ୍ଦରେଶନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଅସୀମ ଓଡ଼ିଶାର ପରିଚାଳନା ଟ୍ରଷ୍ଟି ବିଚାରପତି ଜଗନ୍ନାଥ ପ୍ରସାଦ ଉଦ୍‍ଗାତା, ମୁଖ୍ୟ ସଂଯୋଜକ କିଶୋର ଦ୍ୱିବେଦୀ, କାର୍ଯ୍ୟନିର୍ବାହୀ ସମ୍ପାଦକ ହରପ୍ରସାଦ ମହାପାତ୍ର ଓ ଟ୍ରଷ୍ଟି କାମାକ୍ଷା ପଣ୍ଡା ପ୍ରମୁଖ ଅନ୍‍ଲାଇନ୍‍ ଜରିଆରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.