ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାର ପୀଡ଼ିତା ଅଞ୍ଜଳି ୬ମାସ ପୂର୍ବରୁ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ, ଅଳ୍ପକେ ବର୍ତ୍ତିଥିଲା ଜୀବନ

ନୂଆଦିଲ୍ଲୀ: ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ ପୀଡ଼ିତା ଅଂଜଳି ସିଂହଙ୍କୁ କାର ଧକ୍କା ଦେବା ପରେ ୧୪କିମି ପର୍ଯ୍ୟନ୍ତ ଘୋଷାରି ହୋଇ ଯାଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଛି।

ଆଜି ଖବର ଆସିଛି କି ୨୦୨୨ ଜୁଲାଇ ୧୬ ତାରିଖ ଦିନ ଅଞ୍ଜଳି ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଥିଲେ। ଅଞ୍ଜଳିଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି ଅଞ୍ଜଳି ଦ୍ରୁତଗତିରେ ସ୍କୁଟି ନେଇଯାଉଛନ୍ତି। ଏହି ସମୟରେ ରାସ୍ତାରେ ରଖାଯାଇଥିବା ଟାୟର ସହିତ ସେ ଧକ୍କା ଖାଇବା ପରେ ସ୍କୁଟିରୁ ଝିଟିକି ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ଶରୀରରେ ଅଲକୋହଲ ଥିବା ସୂଚିତ କରାଯାଇଥିଲା। ଏହି ଦୁର୍ଘଟଣାର ଶିକାର ହେବାପରେ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା।

ଅଞ୍ଜଳିଙ୍କ ସାଙ୍ଗ ନିଧି କହିଛନ୍ତି କି, ନୂଆବର୍ଷ ରାତିରେ ଘରକୁ ଫେରୁଥିବା ସମୟରେ ଅଞ୍ଜଳି ବହୁତ ମଦ ପିଇ ଦେଇଥିଲେ। କିନ୍ତୁ ଶବ ବ୍ୟବ‌ଚ୍ଛେଦ ରିପୋର୍ଟରୁ ଅଞ୍ଜଳିଙ୍କ ପେଟରେ ଆଲକୋହଲ ଥିବା ପୃଷ୍ଟି ହୋଇ ନଥିଲା।

ଅନ୍ୟପକ୍ଷେ ପୀଡ଼ିତା ଅଞ୍ଜଳିଙ୍କ ବନ୍ଧୁ ନିଧିଙ୍କୁ ଗିରଫ କରାଯାଇଛି ବୋଲି ଆଜି କିଛି ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା।କିନ୍ତୁ ପରେ ଏହା ସ୍ପଷ୍ଟ କରାଯାଇଛି ଯେ ନିଧିଙ୍କୁ ପୁଲିସ ଗିରଫ କରିନି। ତାଙ୍କୁ କେବଳ ଜେରା କରାଯାଇଛି। ପୁଲିସ ନିଧିଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଜେରା କରିଥିବା ଜଣାପଡ଼ିଛି।
ପୁଲିସ ମଧ୍ୟ ଅଞ୍ଜଳିଙ୍କ ଫୋନ୍‌ ଏବଂ ସେ ପିନ୍ଧିଥିବା ଗହଣା ଖୋଜୁଛି। ଅଞ୍ଜଳି ଘୋଷାଡ଼ି ହୋଇ ଯାଇଥିବାରୁ ସେ ପିନ୍ଧିଥିବା ଗହଣା ନାହିଁ କି ତାଙ୍କ ଫୋନ୍‌ ମଧ୍ୟ ନାହିଁ।

ପୁଲିସ ଏଦିଗରେ ତଦନ୍ତ କରୁଛି। ଦୁର୍ଘଟଣା ଘଟିବା ଦିନ ଅଞ୍ଜଳି ଏବଂ ନିଧିଙ୍କ ସହ ଅନ୍ୟ ଜଣେ ଯୁବକ ବି ପାର୍ଟିରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ଯୁବକ ଜଣଙ୍କ କହିଛନ୍ତି, ସେ ପାର୍ଟିକୁ ଯାଇ ନଥିଲେ। କିନ୍ତୁ ଅଞ୍ଜଳି ବାଧ୍ୟ କରିବାରୁ ସେ ବିଳମ୍ବରେ ପାର୍ଟିରେ ପହଞ୍ଚିଲେ। ଅଞ୍ଜଳି ଏବଂ ନିଧି ଖୁବ୍‌ ଏନଜୟ କରିଥିଲେ। କିନ୍ତୁ ପରେ ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେମାନେ ହାତାହାତି ମଧ୍ୟ ହୋଇଥିଲେ। ଏହାପରେ ସେମାନେ ‌ହୋଟେଲ୍‌ ରୁମ୍‌ରୁ ବାହାରି ଆସିଥିଲେ।

Comments are closed.