ବାଲେଶ୍ୱର, ୩ ନଭେମ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ରେଳଷ୍ଟେସନରୁ ଜଣେ ୧୨ ବର୍ଷୀୟ ନାବାଳକଙ୍କୁ ଉଦ୍ଧାର କରିଛି ରେଳ ସୁରକ୍ଷା ବଳ (ଆରପିଏଫ୍)। ଗତ ୨ ତାରିଖରେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨ରେ ଏକୁଟିଆ ବସିଥିବା ନାବାଳକଙ୍କୁ ନିୟମିତ ପାଟ୍ରୋଲିଂ ସମୟରେ ଆରପିଏଫ୍ ଯବାନମାନେ ଦେଖିବା ପରେ ତାଙ୍କୁ ଉଦ୍ଧାର କରିଥିଲେ।
ଆରପିଏଫ୍ର ଏଏସ୍ଆଇ ଏ.କେ. ମହାଲିକ ନାବାଳକଙ୍କୁ ପଚରାଉଚରା କରିବାରୁ ସେ ଆସାମର ନ୍ୟୁ ବୋଙ୍ଗାଇଗାଓଁ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଥିଲା। ପାରିବାରିକ ସମସ୍ୟା ଯୋଗୁଁ ସେ ଘର ଛାଡ଼ି ଚାଲିଆସିଥିବା ଏବଂ ଟ୍ରେନ୍ରେ ଯାତ୍ରା କରି ବାଲେଶ୍ୱରରେ ପହଞ୍ଚିଥିବା କହିଥିଲେ। ଏଥିସହ ନିଜ ଘରକୁ ଫେରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଆରପିଏଫ୍ ଯବାନମାନେ ତୁରନ୍ତ ନାବାଳକଙ୍କୁ ଆରପିଏଫ୍ ପୋଷ୍ଟକୁ ନେଇ ତାଙ୍କୁ ବୁଝାଶୁଝା କରିବା ସହ ସାନ୍ତ୍ୱନା ଦେଇଥିଲେ ଏବଂ ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ। ପରେ ଏ ସମ୍ପର୍କରେ ଷ୍ଟେସନ ମ୍ୟାନେଜର ଓ ରେଳ ଚାଇଲ୍ଡ ହେଲ୍ପଲାଇନ୍ ୧୦୯୮କୁ ଅବଗତ କରାଯାଇଥିଲା।
ଚାଇଲ୍ଡ ହେଲ୍ପଲାଇନ୍ ଟିମ୍ର ହସ୍ତକ୍ଷେପ ପରେ ଉଦ୍ଧାର ନାବାଳକଙ୍କୁ ପରବର୍ତ୍ତୀ ଯତ୍ନ, ସୁରକ୍ଷା ଓ ଆବଶ୍ୟକୀୟ ପଦକ୍ଷେପ ପାଇଁ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀଙ୍କ ଜରିଆରେ ବାଲେଶ୍ୱର ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)କୁ ହସ୍ତାନ୍ତର କରାଯାଇଥିଲା।
ରେଳଷ୍ଟେସନ ପରିସରରେ ଶିଶୁ ଓ ଅସୁରକ୍ଷିତ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଖଡ଼ଗପୁର ଡିଭିଜନ୍ ଅଧୀନସ୍ଥ ଆରପିଏଫ୍ର ଏହି ତ୍ୱରିତ ପଦକ୍ଷେପ ତାହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।
ଏଥିସହ ଦକ୍ଷିଣ ପୂର୍ବ ରେଳପଥ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି ଯେ, ରେଳଷ୍ଟେସନ କିମ୍ବା ଟ୍ରେନ୍ରେ କୌଣସି ଶିଶୁ ଅସୁବିଧାରେ ଥିବା ଦେଖିଲେ ତୁରନ୍ତ ରେଳ କର୍ତ୍ତୃପକ୍ଷ କିମ୍ବା ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।