ମୁମ୍ବାଇକୁ ଆସିବା ପରେ ୩ଘଣ୍ଟା ଧରି ଚାଲିଲା ପନ୍ତଙ୍କ ସର୍ଜରି, ଜାଣନ୍ତୁ ଏବେ କେମିତି ଅଛି ଅବସ୍ଥା

ମୁମ୍ବାଇ: ଉତ୍ତରାଖଣ୍ଡ ଅଭିମୁଖେ ଯାଉଥିବା ବେଳେ କାର ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିବା ଭାରତୀୟ ଷ୍ଟାର କ୍ରିକେଟର ଋଷଭ ପନ୍ତ ବର୍ତ୍ତମାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏବେ ସେଠାରୁ ପନ୍ତଙ୍କ ଚିକିତ୍ସାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନା ମିଳିଛି ଯେ, ସେଠାରେ ଋଷଭ ପନ୍ତଙ୍କ ଏକ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ପରେ ଷ୍ଟାର ୱିକେଟ୍ କିପର ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡାହାଣ ଗୋଡର ଆଣ୍ଠୁରେ ଥିବା ଲିଗାମେଣ୍ଟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଋଷଭ ପନ୍ତଙ୍କ ଏହି ଅସ୍ତ୍ରୋପଚାର ଶୁକ୍ରବାର ଦିନ ହୋଇଥିଲା। ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଋଷଭ ପନ୍ତଙ୍କୁ ପ୍ରାୟ ୩-୪ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ  ତତ୍ତ୍ବାବଧାନରେ ରଖାଯିବ।

କୁହାଯାଉଛି ଯେ, ଋଷଭ ପନ୍ତଙ୍କ ଏହି ଅସ୍ତ୍ରୋପଚାର ପ୍ରାୟ ୩ଘଣ୍ଟା ଧରି ଚାଲିଥିଲା। ଚିକିତ୍ସା ପରେ ଋଷଭ ପନ୍ତ ଭଲ ଅନୁଭବ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ବେଙ୍ଗାଲୁରୁଗସ୍ତ ପରେ ସିଧା ଦୁବାଇ ଚାଲିଯାଇଥିଲେ। ସେ ଘଟଣା ଦିନ ହିଁ ଦୁବାଇରୁ ଦିଲ୍ଲୀ ଫେରିଥିଲେ। ଆଉ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ସେ ଦିଲ୍ଲୀରୁ ଉତ୍ତରାଖଣ୍ଡର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ କିଏ ଜାଣିଥିଲା ମା’ଙ୍କୁ ଦେଖା କରିବାକୁ ଖୁସିରେ ଆସୁଥିବା ବେଳେ ବାଟରେ ତାଙ୍କ ସହିତ ଏମିତି ଏକ ଭୟାବହ ଦୁର୍ଘଟଣା ଘଟିବ ବୋଲି। ଦୁର୍ଘଟଣା ପରେ ଋଷଭ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ ଏବଂ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା। ଏହାପୂର୍ବରୁ ସେ ଡେରାରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ତା’ପରେ ବିସିସିଆଇ ପନ୍ତଙ୍କୁ ଏୟାରଲିପ୍ଟ କରି ମୁମ୍ବାଇର କୋକିଲାବେନ୍ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା।

Comments are closed.