ପୃଥିବୀର ନିକଟତର ହେବ ୫୦ ହଜାର ବର୍ଷରେ ଥରେ ଦେଖାଯାଉଥିବା ଧୂମକେତୁ

ନୂଆଦିଲ୍ଲୀ : ପ୍ରାୟ ୫୦ ହଜାର ବର୍ଷରେ ଥରେ ପୃଥିବୀର ନିକଟବର୍ତ୍ତୀ ହେଉଥିବା ଏକ ଅତି ବିରଳ ଧୂମକେତୁ ଆଗାମୀ କିଛି ସପ୍ତାହ ମଧ୍ୟରେ ଦୃଶ୍ୟମାନ ହେବ ।  ଏହି ଧୂମକେତୁର ନାଁ ହେଉଛି ସି/୨୦୨୨ ଇ୩ (ଜେଡଟିଏଫ) ।

ଚଳିତ ମାସ ୧୨ ତାରିଖରେ ଏହା ସୂର୍ଯ୍ୟର ନିକଟବର୍ତ୍ତୀ ହେବ ଓ ଫେବ୍ରୁଆରି ପହିଲା ବେଳକୁ ପୃଥିବୀ ନିକଟ ଦେଇ ଗତି କରିବ । ଏହାକୁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଆକାଶ ନିର୍ମଳ ଥିଲେ ଖାଲି ଆଖିରେ ଦେଖିହେବ ।

ଏହି ବିରଳ ଧୂମକେତୁକୁ ଗତ ବର୍ଷ ମାର୍ଚ୍ଚ ମାସରେ ହିଁ ଆବିଷ୍କାର କରାଯାଇଥିଲା । ଆମେରିକାର ଜେଡଟିଏଫ ଅବଜରଭେଟୋରି ପକ୍ଷରୁ ଏହାର ଆବିଷ୍କାର କରାଯାଇଥିଲା । ଏହି କାରଣରୁ ଏହି ଧୂମକେତୁର ନାଁ ସି/୨୦୨୨ ଇ୩ (ଜେଡଟିଏଫ) ରଖାଯାଇଛି । ଗତ ବର୍ଷ ମାର୍ଚ୍ଚ ମାସରେ ଏହା ବୃହସ୍ପତି ଅତିକ୍ରମ କରୁଥିବାବେଳେ ଦେଖାଯାଇଥିଲା ।

ଜେଡଟିଏଫରେ କାମ କରୁଥିବା କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ ଟେକନଲୋଜୀର ବୈଜ୍ଞାନିକ ଥମାସ୍ ପ୍ରିନ୍ସ କହିଛନ୍ତି ଯେ ପୃଥିବୀର ନିକଟତର ହେବା ବେଳେ ଏହା ସବୁଠାରୁ ଉଜ୍ଜଳ ଦେଖାଯିବ ।

ପ୍ୟାରିସ୍ ଅବଜରଭେଟୋରିରେ କାମ କରୁଥିବା ବୈଜ୍ଞାନିକ ନିକୋଲାସ ବିଭର କହିଛନ୍ତି ଯେ ଏହି ଧୂମକେତୁର ବ୍ୟାସ ପ୍ରାୟ ଏକ କିଲୋମିଟର ଓ ଏହା ଧୂଳିକଣା ଓ ବରଫକୁ ନେଇ ପ୍ରସ୍ତୁତ । ଏହା ଏକ ପ୍ରକାରର ସବୁଜ ରଙ୍ଗର ଜ୍ୟୋତି ବିଚ୍ଛୁରଣ କରୁଛି ।

Comments are closed.