ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଭାରତ ଅକ୍ଷୟ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୬କୁ ଉଦଘାଟନ କରିଛନ୍ତି। ଭାରତ ଏବଂ ବିଦେଶର ଶିଳ୍ପ ନେତା, ନିବେଶକ, ଷ୍ଟାର୍ଟଅପ୍ ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀଙ୍କ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର ସମ୍ମିଳନୀ ଏପରି ପରିସ୍ଥିତିରେ ଆୟୋଜନ କରାଯାଉଛି ଯେତେବେଳେ ବିଶ୍ୱ ଶକ୍ତି ସଂକଟର ପ୍ରଭାବ ରହିଛି। ଏଭଳି ସ୍ଥିତିରେ ଆମର ଦୈନନ୍ଦିନ ଜୀବନ ଏବଂ ଜାତୀୟ ବିକାଶରେ ଅକ୍ଷୟ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରୁଛି। ସେ କହିଛନ୍ତି, ଚଳିତ ବର୍ଷର ଏହି କାର୍ଯ୍ୟକ୍ରମର ପରିସର ଅସାଧାରଣ ଭାବରେ ବ୍ୟାପକ କାରଣ ଏହି ଅବସରରେ ଅନ୍ତର୍ଜାତୀୟ ସୌର ମେଣ୍ଟର ନବମ ଅଧିବେଶନ ଆୟୋଜନ କରାଯାଉଛି। ସେହିପରି ଏଥିରେ ସବୁଜ ହାଇଡ୍ରୋଜେନ ଉପରେ ଆୟୋଜିତ ଚତୁର୍ଥ ସମ୍ମିଳନୀର ପ୍ରତିନିଧିମାନେ ସାମିଲ ଅଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱ ଅର୍ଥବ୍ୟବସ୍ଥାରେ କରୋନା ମହାମାରୀଠାରୁ ଆରମ୍ଭ କରି ପଶ୍ଚିମ ଏସିଆ ସଙ୍କଟ ପର୍ଯ୍ୟନ୍ତ ସଂକଟ କାରଣରୁ ଅଭୂତପୂର୍ବ ବାଧା ସୃଷ୍ଟି ହୋଇଛି । ଉଚ୍ଚ ଆର୍ଥିକ ଅଭିବୃଦ୍ଧି ବଜାୟ ରଖିବା ସହିତ ଦେଶ ଯେପରି ପ୍ରଭାବଶାଳୀ ଭାବରେ ଏହି ଅସ୍ଥିରତାକୁ ପରିଚାଳନା କରିଛି ସେଥିପାଇଁ ୧୪୦ କୋଟି ଭାରତୀୟ ଗର୍ବ ଅନୁଭବ କରୁଛନ୍ତି । ଦଶ ବର୍ଷର ଦୀର୍ଘସ୍ଥାୟୀ ଘରୋଇ ନିବେଶ ଏବଂ ସ୍ୱଚ୍ଛ ଶକ୍ତିରେ ବ୍ୟବସ୍ଥାଗତ ସଂସ୍କାର ଦେଶକୁ ଗମ୍ଭୀର ବାହ୍ୟ ଆଘାତରୁ ରକ୍ଷା କରିଛି। ଯଦି ଭାରତ ଗତ ଏକ ଦଶନ୍ଧି ଧରି ସ୍ୱଚ୍ଛ ଶକ୍ତିରେ ନିବେଶ କରି ନଥାନ୍ତା ଏବଂ ଏଥିପାଇଁ ନୂତନ ବ୍ୟବସ୍ଥା ସୃଷ୍ଟି କରିନଥାନ୍ତା, ତେବେ ଆମର ସଙ୍କଟ ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ବହୁତ ଗୁରୁତର ହୋଇଥାନ୍ତା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।
ସାମ୍ପ୍ରତିକ ବିଶ୍ୱ ବ୍ୟାଘାତ ଶକ୍ତି ଏବଂ ଆର୍ଥିକ ସୁରକ୍ଷା ମଧ୍ୟରେ ସିଧାସଳଖ ସମ୍ପର୍କକୁ ଉଜାଗର କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜୀବାଶ୍ମ ଇନ୍ଧନ ଉପରେ ଅତ୍ୟଧିକ ନିର୍ଭରଶୀଳତା ବିଶ୍ୱ ଅର୍ଥବ୍ୟବସ୍ଥାରେ ବାରମ୍ବାର ବାଧା ସୃଷ୍ଟି କରିବ କାରଣ ଜୀବାଶ୍ମ ସଂରକ୍ଷଣ ସୀମିତ ଏବଂ କିଛି ଅଞ୍ଚଳରେ କେନ୍ଦ୍ରିତ ବୋଲି ସେ ଚେତାବନୀ ଦେଇଥିଲେ । ଏହି ଦୁର୍ବଳତାକୁ ସ୍ୱଚ୍ଛ ଶକ୍ତିର ଅସୀମ, ସାର୍ବଜନୀନ ଭାବରେ ସୁଲଭ ସମ୍ଭାବନା ସହିତ ତୁଳନା କରିଥିଲେ ଏବଂ ଆମେ ସମସ୍ତେ ଜାଣୁ, ଶକ୍ତି ସୁରକ୍ଷାର ଭବିଷ୍ୟତ ସ୍ୱଚ୍ଛ ଶକ୍ତିରେ ନିହିତ ବୋଲି ଶ୍ରୀ ମୋଦୀ ଦୃଢ଼ ଭାବରେ କହିଥିଲେ ।
ପ୍ରଧାନମନ୍ତ୍ରୀ ଭାରତର ୧୨ ବର୍ଷର ସ୍ୱଚ୍ଛ ଶକ୍ତି ଯାତ୍ରାକୁ ‘ପ୍ରତିଶ୍ରୁତି, ଉତ୍ସାହ ଏବଂ ପ୍ରଦର୍ଶନ’ର ଏକ ଉଦାହରଣ ଭାବେ ବର୍ଣ୍ଣନା କରି କହିଥିଲେ, ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅଣ-ଜୀବାଶ୍ମ ଇନ୍ଧନ ଭିତ୍ତିକ ଶକ୍ତି କ୍ଷମତା ହାସଲ କରିବା ପାଇଁ କପ୍-୨୬ରେ ଭାରତ ଦେଇଥିବା ପ୍ରତିଶ୍ରୁତି ଏହାର ଏକ ଜ୍ୱଳନ୍ତ ନିଦର୍ଶନ। ପ୍ୟାରିସ୍ ଚୁକ୍ତି ଅନୁଯାୟୀ ଭାରତ ନିଜର ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ଅଧା ଅଣ-ଜୀବାଶ୍ମ ଉତ୍ସରୁ ପାଇବାକୁ ପ୍ରତିଶ୍ରୁତି ଦେଇଥିଲା । ଦେଶ ନିର୍ଦ୍ଧାରିତ ସମୟର ପାଞ୍ଚ ବର୍ଷ ପୂର୍ବରୁ, ଅର୍ଥାତ୍ ୨୦୨୫ ମସିହାରେ ହିଁ ଏହି ଲକ୍ଷ୍ୟ ପୂରଣ କରିସାରିଛି। ବର୍ତ୍ତମାନ ସୌର ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱର ଶୀର୍ଷ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାର ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ୫୦ ପ୍ରତିଶତରୁ ଅଧିକ ଅଣ-ଜୀବାଶ୍ମ ଉତ୍ସରୁ ଆସୁଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ୫୦୦ ଗିଗାୱାଟ୍ ଲକ୍ଷ୍ୟ ମଧ୍ୟରୁ ଭାରତ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦୦ ଗିଗାୱାଟ୍ କ୍ଷମତା ହାସଲ କରିସାରିଛି । ଏହା ସହ ସେ ଆଗାମୀ ୧୦ ରୁ ୧୧ ବର୍ଷ ମଧ୍ୟରେ ଆଉ ୫୦୦ ଗିଗାୱାଟ୍ ନୂତନ ଅଣ-ଜୀବାଶ୍ମ ଶକ୍ତି କ୍ଷମତା ଯୋଡ଼ିବା ପାଇଁ ଏକ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ଘୋଷଣା କଲେ । ଏହି ଲକ୍ଷ୍ୟଟି କିଛିଟା କଷ୍ଟକର, କିନ୍ତୁ ମୋ ଦେଶର ସାମର୍ଥ୍ୟ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି; ତେଣୁ ମୁଁ କହୁଛି, ଆମେ ଏହା ନିଶ୍ଚିତ ଭାବେ କରି ଦେଖାଇବୁ ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
‘ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜଲୀ ଯୋଜନା’ର ଦ୍ରୁତ ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଥିଲେ, ଏକ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ୍ ଲଗାଇବା ପାଇଁ ୨୦୨୪ ଫେବୃଆରୀରେ ଏହି ଯୋଜନା ଆରମ୍ଭ ହୋଇଥିଲା । ୨୪ ରୁ ୨୫ ମାସ ମଧ୍ୟରେ ୬୫ ଲକ୍ଷରୁ ଅଧିକ ପରିବାର ଏହି ଅଭିଯାନରେ ଯୋଡ଼ି ହୋଇଛନ୍ତି । ଏଠାରେ ପ୍ରତି ଛଅ ଦିନରେ ଏକ ଲକ୍ଷ ନୂଆ ଘର ଏହି ଯୋଜନା ସହ ଯୋଡ଼ି ହେଉଛନ୍ତି। ଏକ ଅଧ୍ୟୟନ ଅନୁଯାୟୀ, ଏହି ଯୋଜନା ଦ୍ୱାରା ବିଦ୍ୟୁତ୍ ବିଲ୍ ପ୍ରାୟ ୭୬ ପ୍ରତିଶତ ହ୍ରାସ ପାଇଛି ଏବଂ ଲକ୍ଷ ଲକ୍ଷ ପରିବାର ପାଇଁ ବିଦ୍ୟୁତ୍ ବିଲ୍ ଶୂନ ହୋଇଯାଇଛି ।
ପ୍ରଧାନମନ୍ତ୍ରୀ ଦୈନନ୍ଦିନ ଜୀବନ, ଶିଳ୍ପ ଏବଂ କୃଷି କ୍ଷେତ୍ରରେ ସୌର ଶକ୍ତିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଗତ ୧୨ ବର୍ଷ ଧରି କରାଯାଇଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ୪୪,୦୦୦ରୁ ଅଧିକ ସରକାରୀ କୋଠାକୁ ସୌର ଶକ୍ତି ସହିତ ଯୋଡ଼ିବା ଦ୍ୱାରା ବାର୍ଷିକ ପ୍ରାୟ ୭୦୦ କୋଟି ଟଙ୍କା ସଞ୍ଚୟ ହେଉଛି। ସେହିପରି, ‘କୁସୁମ’ ଯୋଜନା ମାଧ୍ୟମରେ ୩୦ ଲକ୍ଷରୁ ଅଧିକ ଚାଷୀଙ୍କୁ ସୌର ଶକ୍ତି ଚାଳିତ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି, ଯାହା ଫଳରେ ପ୍ରତ୍ୟେକ ହିତାଧିକାରୀଙ୍କର ବାର୍ଷିକ ପ୍ରାୟ ଏକ ଲକ୍ଷ ଟଙ୍କା ସଞ୍ଚୟ ହେଉଛି। ସେ ‘ପିଏମ୍ ସୂର୍ଯ୍ୟ ସରୋବର ଯୋଜନା’ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏହି ଯୋଜନା ଅଧୀନରେ ଜଳାଶୟ, ପୋଖରୀ ଏବଂ ହ୍ରଦ ଉପରେ ସୌର ପ୍ୟାନେଲ୍ ଲଗାଯାଉଛି । ଏହା ଦ୍ୱାରା ଜଳାଶୟଗୁଡ଼ିକର ଉପଯୁକ୍ତ ବ୍ୟବହାର ହେବା ସହ ଜମି ଅଧିଗ୍ରହଣ ଖର୍ଚ୍ଚ ମଧ୍ୟ ବଞ୍ଚିପାରୁଛି। ଭାରତ ସୌର ଶକ୍ତିକୁ ନିଜ ନାଗରିକମାନଙ୍କ ଜୀବନର ଏକ ଅଂଶ କରି ଗଢ଼ି ତୋଳୁଛି ବୋଲି ଶ୍ରୀ ମୋଦୀ କହିଥିଲେ ।
ଭାରତର ସ୍ୱଚ୍ଛ ଶକ୍ତି ପରିତନ୍ତ୍ର କେବଳ ଜଳ, ସୌର, ପବନ ଏବଂ ପରମାଣୁ ଶକ୍ତି ମଧ୍ୟରେ ସୀମିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ କହିଥିଲେ, ଦେଶ ‘ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ୍’କୁ କାର୍ଯ୍ୟକାରୀ କରିବା ଦିଗରେ ଲକ୍ଷ୍ୟବଦ୍ଧ ଭାବେ ଆଗକୁ ବଢୁଛି। ଏହି ମିଶନ୍ର ଲକ୍ଷ୍ୟ ହେଉଛି ଚଳିତ ଦଶନ୍ଧି ଶେଷ ସୁଦ୍ଧା ୫୦ ଲକ୍ଷ ଟନ୍ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କରିବା ଏବଂ ପରିବହନ କ୍ଷେତ୍ରରେ ଏହାର ବ୍ୟବହାରକୁ ଅନ୍ତର୍ଭୁକ୍ତ କରିବା। ମାତ୍ର କିଛି ମାସ ପୂର୍ବେ, ଭାରତ ନିଜର ପ୍ରଥମ ସବୁଜ ହାଇଡ୍ରୋଜେନ୍ ଟ୍ରେନ୍ ଆରମ୍ଭ କରିଛି ।
ଉଚ୍ଚ-ଉତ୍ପାଦନକାରୀ ସୌର ଏବଂ ପବନ କ୍ଷେତ୍ରରୁ କମ ଉତ୍ପାଦନ ଥିବା ଅଞ୍ଚଳଗୁଡ଼ିକୁ ବିଜୁଳିର ଦକ୍ଷ ବିତରଣ ଦ୍ୱାରା ବିଦ୍ୟୁତ୍ ଉତ୍ପାଦନକୁ ସମନ୍ୱିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ଏକ ରାଷ୍ଟ୍ର, ଏକ ବିଦ୍ୟୁତ୍ ଗ୍ରୀଡ୍ ନେଟୱର୍କ ଦ୍ୱାରା ସମର୍ଥିତ ସମର୍ପିତ ପରିବହନ ଲାଇନ ଏବଂ ସବଷ୍ଟେସନ ସହିତ ସବୁଜ ଶକ୍ତି କରିଡରର ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ପାଞ୍ଚଟି ଆଞ୍ଚଳିକ ଗ୍ରୀଡ୍କୁ ଏକ ଫ୍ରିକ୍ୱେନ୍ସିରେ ଏକୀକୃତ କରିଛି । ଦେଶ ବର୍ତ୍ତମାନ ଏହି ପରିବହନ ଭିତ୍ତିଭୂମିକୁ ଆହୁରି ମଜବୁତ କରିବା ପାଇଁ ପରବର୍ତ୍ତୀ ପର୍ଯ୍ୟାୟକୁ ଅଗ୍ରସର ହେଉଛି। ସମ୍ପ୍ରତି, ଭାରତ ଏଥିପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ନିବେଶର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ ଭାରତର ସବୁଜ ଶକ୍ତି ସଫଳତାର ଶ୍ରେୟ ଘରୋଇ ଉତ୍ପାଦନରେ ହୋଇଥିବା ଦ୍ରୁତ ଅଭିବୃଦ୍ଧିକୁ ଦେଇଥିଲେ । ସେ କହିଥିଲେ, ପୂର୍ବରୁ ଛୋଟ ଛୋଟ ସୌର ଉପକରଣ ପାଇଁ ଭାରତକୁ ସମ୍ପୂର୍ଣ୍ଣ ରୂପେ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ସ୍ଥିତି ବଦଳିଯାଇଛି । ପ୍ରଧାନମନ୍ତ୍ରୀ କହିଥିଲେ, ସୌର ମଡ୍ୟୁଲ୍ ଉତ୍ପାଦନ କ୍ଷମତା ଏକ ଦଶନ୍ଧି ପୂର୍ବେ ପ୍ରାୟ ୨ ଗିଗାୱାଟ୍ ରୁ ବୃଦ୍ଧି ପାଇ ଆଜି ୨୦୦ ଗିଗାୱାଟରୁ ଅଧିକ ହୋଇଛି, ଏହା ସହିତ ପ୍ରାୟ ୪୦ ଗିଗାୱାଟ୍ ସୌର ସେଲ୍ କ୍ଷମତା ଏବଂ ଅନ୍ୟାନ୍ୟ ଉପକରଣ ଉତ୍ପାଦନ କ୍ଷମତା ମଧ୍ୟ ବଢ଼ୁଛି । ଅର୍ଥାତ୍, ସବୁଜ ଶକ୍ତି ସହ ଜଡିତ ଭାରତର ମହତ୍ତ୍ୱାକାଂକ୍ଷା ମଧ୍ୟ ଆମର ଆତ୍ମନିର୍ଭର ଭାରତ ଅଭିଯାନ ଏବଂ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ସଫଳତାର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।
ସଫଳତାରେ ଅଟକି ନଯାଇ ଏହି ଦ୍ରୁତ ଅଭିବୃଦ୍ଧି ଧାରାକୁ ବଜାୟ ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ପ୍ରତ୍ୟେକ ସରକାରୀ କୋଠା, ସ୍କୁଲ, କଲେଜ, ହସ୍ପିଟାଲ ଏବଂ ଷ୍ଟ୍ରିଟ୍ ଲାଇଟ୍ ନେଟୱାର୍କକୁ ସୌର ଶକ୍ତି ସହ ଯଥାଶୀଘ୍ର ସଂଯୋଗ କରିବାକୁ ସେ ଆହ୍ୱାନ କରିଥିଲେ। ଶ୍ରେଷ୍ଠ ପ୍ରଦର୍ଶନକାରୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ସଫଳତା କାହାଣୀରୁ ସହଯୋଗୀମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ଓ ସ୍ଥାନୀୟ ସଂସ୍ଥା ମଧ୍ୟରେ ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ। ଆମକୁ ଏହି କାମ ଦ୍ରୁତ ଗତିରେ କରିବାକୁ ପଡିବ ବୋଲି ଶ୍ରୀ ମୋଦୀ କହିଥିଲେ ।
ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ସୌରଶକ୍ତି ବିସ୍ତାର ପାଇଁ ଏକ ସ୍ୱତନ୍ତ୍ର ପରାମର୍ଶ ଦେଇଥିଲେ । ସେ କହିଥିଲେ, ଲକ୍ଷ ଲକ୍ଷ ସୌର ପମ୍ପ ବଣ୍ଟନଠାରୁ ଆଗକୁ ବଢ଼ି କୃଷିରେ ଉପଯୋଗ ହେଉନଥିବା ଜମି ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ। ଅଧିକରୁ ଅଧିକ ଗାଁରେ ଚାଷୀମାନଙ୍କୁ ଖାଲି ଜମି ଏବଂ ଜମିର ହିଡ଼ରେ ସୌର ପ୍ୟାନେଲ ସ୍ଥାପନ କରିବାକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଆମକୁ ସୌର ପମ୍ପଠାରୁ ଆଗକୁ ବଢ଼ି ଚିନ୍ତା କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ସୌର ବିପ୍ଳବର ଏହି ନୂତନ ଯୁଗ କେବଳ ଗ୍ରହଣୀୟତା ଉପରେ ଆଧାରିତ ନୁହେଁ, ଏହା ନୂତନ ଉଦ୍ଭାବନ ଦ୍ୱାରା ମଧ୍ୟ ପରିଚାଳିତ । ସେ ଷ୍ଟାର୍ଟଅପ୍, ଆଇଆଇଟି, ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ଏପରି ସୌର ମଡେଲ ତିଆରି କରିବା ପାଇଁ ଅନୁରୋଧ କରିଥିଲେ ଯାହା ପ୍ରତ୍ୟେକ ଋତୁ ଏବଂ ୨୪ ଘଣ୍ଟା କାମ କରିପାରିବ । ଏହି ମଡେଲରେ ଘରଗୁଡ଼ିକର ସର୍ବାଧିକ ଆବଶ୍ୟକତା ପୂରଣ କରିବାର କ୍ଷମତା ରହିବା ଉଚିତ୍, ଯେପରିକି ଆମଦାନୀ ଗ୍ୟାସ ଉପରେ ନିର୍ଭରଶୀଳତା ହ୍ରାସ କରିବା ଲାଗି ‘ରୁଫ୍ ଟପ୍ ସୋଲାର କୁକିଂ’ ଏବଂ ଇଲେକ୍ଟ୍ରିକ ଦୁଇ ଚକିଆ ଯାନ ଏବଂ କାରଗୁଡ଼ିକ ଲାଗି ହୋମ୍ ସୋଲାର ଚାର୍ଜିଂ ଭଳି ସୁବିଧା ।
ଗ୍ରାମୀଣ ଆନୁସଙ୍ଗିକ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ୱଚ୍ଛ ଶକ୍ତି ପ୍ରୟୋଗର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ସୌରଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସମର୍ପିତ ସୌର ଉତ୍ପାଦ ବିକଶିତ କରିବାକୁ ଆହ୍ୱାନ କରିଥିଲେ। ଗୋଖାଦ୍ୟ, ଫସଲ ଅମଳ ଏବଂ ଅମଳ ପରବର୍ତ୍ତୀ ପ୍ରତ୍ୟେକ କାର୍ଯ୍ୟ ପାଇଁ ସୌର ଉପକରଣ ବିକଶିତ କରାଯିବା ଉଚିତ ବୋଲି ସେ କହିଥିଲେ ।
ଏହି ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଅତ୍ୟାଧୁନିକ ନବସୃଜନ, ସ୍ୱଦେଶୀ ଷ୍ଟୋରେଜ୍ ହାର୍ଡୱେର୍ ଏବଂ ନୂତନ ବ୍ୟାଟେରୀ ସଂରକ୍ଷଣ କ୍ଷମତାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହାକୁ ଭାରତର ଯୁବପିଢ଼ିଙ୍କ ପାଇଁ ଏକ ବିଶାଳ ସୁଯୋଗ ବୋଲି ସେ ବର୍ଣ୍ଣନା କରିଥିଲେ । ଗବେଷକ ଓ ନିବେଶକମାନଙ୍କୁ ଏହି ସୁଯୋଗର ଲାଭ ଉଠାଇବାକୁ ଆହ୍ୱାନ ଜଣାଇବା ସହିତ ଭାରତରେ ସେମାନେ ପ୍ରସ୍ତୁତ କରୁଥିବା ସମାଧାନଗୁଡ଼ିକ ବିଶ୍ୱର ଅନେକ ଦେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବିଶ୍ୱର ଅନ୍ୟତମ ଯୁବ ରାଷ୍ଟ୍ରରେ ସ୍ୱଚ୍ଛ ଶକ୍ତି ସମ୍ବନ୍ଧୀୟ ପ୍ରତ୍ୟେକ ପଦକ୍ଷେପ, ପ୍ୟାନେଲ୍ ଓ ହାର୍ଡୱେର୍ ନିର୍ମାଣ, ସ୍ଥାପନ, ରକ୍ଷଣାବେକ୍ଷଣ ଏବଂ ପରିବହନ କ୍ଷେତ୍ରରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ସୌର ଶକ୍ତି କ୍ଷମତାର ଅଧିକ ସମ୍ପ୍ରସାରଣ ହେଲେ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ଅନେକ ଗୁଣ ବୃଦ୍ଧି ପାଇବ। ରୋଷେଇ ଚୁଲି ଠାରୁ ଆରମ୍ଭ କରି ପରିବହନ ସାଧନ ପର୍ଯ୍ୟନ୍ତ, ଯେତେବେଳେ ସବୁକିଛି ସୌର ଶକ୍ତି ଓ ସ୍ୱଚ୍ଛ ଶକ୍ତି ଦ୍ୱାରା ପରିଚାଳିତ ହେବ, ସେତେବେଳେ ଏକ ନୂତନ ଶିଳ୍ପର ସୃଷ୍ଟି ହେବ ବୋଲି ଶ୍ରୀ ମୋଦୀ ମତପ୍ରକାଶ କରିଥିଲେ ।
ଭାରତର ଅତୁଳନୀୟ ଚାହିଦା, ବିଶାଳ ପରିସର, ଏବଂ ରାଜନୈତିକ ତଥା ନୀତିଗତ ସ୍ଥିରତାର ଲାଭ ଉଠାଇବା ପାଇଁ ବିଶ୍ୱସ୍ତରୀୟ ନିବେଶକମାନଙ୍କୁ ଆମନ୍ତ୍ରଣ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ ଯେ, ଗତ ଏକ ଦଶନ୍ଧି ମଧ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରରେ ୧୬୪ ବିଲିୟନ ଡଲାର ଅର୍ଥାତ୍ ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ଏଥିମଧ୍ୟରୁ କେବଳ ୨୦୨୪ ‘ଆର୍ଇ-ଇନଭେଷ୍ଟ’ ସମ୍ମିଳନୀ ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ (୬୩ ବିଲିୟନ ଡଲାର) ନିବେଶ ଆସିଛି। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏଠାରେ ନିବେଶ ସୁଯୋଗ ୨୦ ଲକ୍ଷ କୋଟି ଟଙ୍କା (୨୨୦ ବିଲିୟନ ଡଲାର) ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଆପଣ ସମସ୍ତଙ୍କ ପାଇଁ ଭାରତର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ସୁଯୋଗର ଏକ ନୂତନ ଦିଗନ୍ତ ଉନ୍ମୁକ୍ତ ହେବାକୁ ଯାଉଛି ବୋଲି ଶ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ, ଭାରତର ବିଶ୍ୱସ୍ତରୀୟ ବାର୍ତ୍ତା ‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’ ଦେଶର ସ୍ୱଚ୍ଛ ଶକ୍ତି ଯାତ୍ରା ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟର ମୂଳ ଆଧାର । ଆବଶ୍ୟକ ପାଣ୍ଠି, ପ୍ରଯୁକ୍ତିବିଦ୍ୟା ଏବଂ ଦକ୍ଷତା ଯେପରି ଆବଶ୍ୟକତା ଥିବା ପ୍ରତ୍ୟେକ ଦେଶ ନିକଟରେ ପହଞ୍ଚିବ, ସେଥିପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ। ତେଣୁ, ଆଫ୍ରିକା ପାଇଁ ୨୦୦ ନିୟୁତ ଡଲାରର ‘ଆଫ୍ରିକା ସୌର ସୁବିଧା’ ପ୍ରସ୍ତାବ ଉପସ୍ଥାପନ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ, ଆଗାମୀ ଦଶନ୍ଧି ବିଶ୍ୱ ଜଳବାୟୁ ଲକ୍ଷ୍ୟ ହାସଲ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀମାନେ ପ୍ରତ୍ୟେକ ଦେଶ ଓ ଅଞ୍ଚଳକୁ ଏହି ପରିବର୍ତ୍ତନ ପ୍ରକ୍ରିୟା ସହ ଯୋଡ଼ି ଭବିଷ୍ୟତକୁ ସୁରକ୍ଷିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଏପରି ହୋଇପାରିଲେ ଯାଇ ଆମେ ଏକ ସ୍ୱଚ୍ଛ, ସବୁଜ ଏବଂ ସୁରକ୍ଷିତ ଭବିଷ୍ୟତ ଗଠନ କରିବାକୁ ସକ୍ଷମ ହେବା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଶେଷରେ ଶ୍ରୀ ମୋଦୀ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।