ଜୀବିକା ପାଇଁ ବନିଛନ୍ତି ‘ସାଇକଲ ଚା ବାଲା’, କ୍ୟାବିନରେ କଟୁଛି ଜୀବନ

ଯାଜପୁରସଦର: ସାଇକଲ ଯାତ୍ରା ଦେଇଛି ସାଇକଲ ଚା’ ବାଲାର ପରିଚୟ। ଦୁଇବର୍ଷ  ତଳେ କରୋନା ମହାମାରୀରୁ ଜୀବନ ବଞ୍ଚାଇବା ପାଇଁ ସୁଦୂର ମହାରାଷ୍ଟ୍ରରୁ ୧୭୦୦ କିମି ସାଇକେଲ ଯାତ୍ରାକରି ଘରକୁ ଫେରିଥିଲେ। ସମୟ ବିତିଯାଇଛି, ପରିସ୍ଥିତି ବଦଳିଛି। ଯେଉଁ ସାଇକେଲ ବଏ ସେତେବେଳେ ବିଭିନ୍ନ ଗଣମାଧ୍ୟମର ଶିରୋନାମାକୁ ଆସିଥିଲେ ଆଜି ସେ ଜୀବନ ସଂଗ୍ରାମରେ ବନିଛନ୍ତି ସାଇକଲ ଚା’ ବାଲା।

ସେ ହେଉଛନ୍ତି ବରୀ ଭଅଁରା ଗ୍ରାମର  ଯୁବକ ମହେଶ୍ୱର ଜେନା (୨୩)। ସେ ମହାରାଷ୍ଟ୍ରରେ ପାଣି ପାଇପ କାମ କରିବାକୁ ଯାଇଥିଲେ। କରୋନାର ପ୍ରଭାବରେ ସବୁ ବନ୍ଦ ହେବାରୁ ଘରକୁ ଫେରିବାକୁ  ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଶେଷରେ ମାତ୍ର ୬ଶହ ଟଙ୍କାରେ ସାଇକଲଟିଏ କିଣି ଯାଜପୁରକୁ ଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ୧୭ଶହ କିଲୋମିଟର ରାସ୍ତାରେ ରାତିଦିନ ସାଇକଲ ଚଳାଇ ଯାଜପୁରରେ ପହଞ୍ଚିଥିଲେ। ଜୀବନ ରହିଗଲା, କିନ୍ତୁ ଜୀବିକା ଚାଲିଗଲା। ଶେଷରେ କୁଆଡ଼େ ନଯାଇ ନିଜ ଜିଲ୍ଲାରେ ଆତ୍ମନିର୍ଭର ହେବାକୁ ଉଦ୍ୟମ କରି ଯାଜପୁରରେ ଚା’ ଦୋକାନ ଖୋଲିଛନ୍ତି। ଏହାର ନାଁ ରଖିଛନ୍ତି ‘ସାଇକେଲ ଚା ବାଲା’। ନିକଟରେ ବାପାଙ୍କ ମୃତ୍ୟ ହୋଇଥିବା ବେଳେ ନିଜର ବୋଲି ପାଖରେ କେହି ନାହାନ୍ତି। ବେପାର ପରେ ସେହି ଦୋକାନ କେବିନରେ ରାତି କାଟୁଛନ୍ତି ମହେଶ୍ୱର। କୋଭିଡ୍‌ ସମୟରେ ଘରକୁ ଫେରିଥିବା ବେଳେ ତାଙ୍କୁ  ସହାୟତା ମିଳିନଥିଲା। ବାପାଙ୍କ ମୃତ୍ୟୁରେ ତାଙ୍କୁ ହରିଶ୍ଚନ୍ଦ୍ର ସହାୟତା ବି ମିଳିନି। ନିଜ ଉଦ୍ୟମରେ ସେ ଏହି ଚା’ ଦୋକାନକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ ବୋଲି ଆଶାବାଦୀ ଅଛନ୍ତି।

Comments are closed.