ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜା ପଡ଼ନ୍ତିନି: ଦୀପନ୍ବିତ

ବାଲେଶ୍ବର: ଓଡ଼ିଆ ସିନେ ଜଗତରେ ମାଇଲ୍‌ଖୁଣ୍ଟ ସାଜୁଥିବା ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଅଭିନେତା ବାବୁସାନଙ୍କ ସହ ଦୀପନ୍ବିତ ଦାଶମହାପାତ୍ର (୨୭) ଦମ୍‌ଦାର ଅଭିନୟ କରିଛନ୍ତି। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ନିଶ୍ଚିନ୍ତପୁର ପଞ୍ଚାୟତ କୁଡ଼େଇ ଗ୍ରାମରେ ଦୀପନ୍ବିତଙ୍କ ଘର। ବାପା ଜିତେନ୍ଦ୍ରନାଥ ଦାଶମହାପାତ୍ର ଓ ମାଆ ଜ୍ୟୋତ୍ସ୍ନାରାଣୀ ଦାଶମହାପାତ୍ରଙ୍କ ପୁଅ ହେଉଛନ୍ତି ଦୀପନ୍ବିତ। ବଡ଼ଜେଜେ ବାପା ଯଦୁନାଥ ଦାଶମହାପାତ୍ର ଶିକ୍ଷାମନ୍ତ୍ରୀ ଥିଲେ। ସୋର ଏସ୍‌ଏନ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ଏବଂ ୟୁଏନ୍‌ କଲେଜରୁ ଯୁକ୍ତଦୁଇ ପାସ୍‌ କରିବା ପରେ ଭୁବନେଶ୍ବର ଆଇଟିଆର୍‌ରୁ ବିଟେକ୍‌ ପାସ୍‌ କରିଥିଲେ। ପାଠ ପଢ଼ିବା ସମୟରେ ରବୀନ୍ଦ୍ର ମଣ୍ଡପରେ ବିଭିନ୍ନ ନାଟକ ଦେଖି ଦୀପନ୍ବିତଙ୍କର ଅଭିନୟ ପ୍ରତି ରୁଚି ବଢ଼ିଥିଲା।

ଏହା ପରେ ଚାକିରି ନକରି ସେ ଅଭିନୟକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରି ଥିଏଟର ଗ୍ରୁପ୍‌ରେ ଯୋଗଦେଲେ। ଏବେ ସେ ‘ଜୀବନରେଖା’ ଥିଏଟର ଗ୍ରୁପ୍‌ରେ କାମ କରୁଥିବା ବେଳେ ବିଭିନ୍ନ ନାଟକ ସହିତ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ନିଜେ ମଧ୍ୟ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରନ୍ତି। ‘ଦ ଲଷ୍ଟ ଆଇଡିଆ’ ଓ ‘ଚରିତ୍ର’ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଫକୀରମୋହନ ସେନାପତିଙ୍କ ଉପରେ ପର୍ଯ୍ୟବେଶିଷ ‘ବ୍ୟାସେ ଶୁଣୁଛ’ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରି ସେ ବିପୁଳ ପ୍ରଶଂସା ସାଉଁଟିଥିଲେ। ଏବେ ପୁଣିି ସେ ଚଳଚ୍ଚିତ୍ର ‘ଦମନ’ରେ ଚମକିଛନ୍ତି। ଏହି ଚଳଚ୍ଚିତ୍ର ଓଲିଉଡ଼ର ସବୁ ରେକର୍ଡକୁ ଭାଙ୍ଗିସାରିଲାଣି। ଆସନ୍ତା ଡିସେମ୍ବର ମାସରେ ଚଳଚ୍ଚିତ୍ର  ‘ପ୍ରତୀକ୍ଷା’ ରିଲିଜ୍‌ ହେବ। ଯେଉଁଥିରେ ଦୀପନ୍ବିତ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ)ରେ ଶ୍ରେଷ୍ଠ ୨୫ଟି ଚଳଚ୍ଚିତ୍ର ମଧ୍ୟରେ ଓଡ଼ିଆ ଭାଷାର ଏକମାତ୍ର ଚଳଚ୍ଚିତ୍ର ଭାବେ ସ୍ଥାନ ପାଇଛି। ବାଲେଶ୍ବରକୁ ଗର୍ବିତ କରିଥିବା ସଫଳ ଦୀପନ୍ବିତଙ୍କ ସହ କଥା ହୋଇଛନ୍ତି ‘ସମ୍ବାଦ’ ବାଲେଶ୍ବର ସହର ପ୍ରତିନିଧି କବିତା ପାତ୍ର।

Comments are closed.