ରାୟଗଡ଼ା ପୋଲିସର ମାନବିକତାର ଆହ୍ୱାନ – “ଗୁଡ୍ ସାମାରିଟାନ୍ ଯୋଜନାରେ ସାମିଲ ହୁଅନ୍ତୁ, ଜୀବନ ବଞ୍ଚାନ୍ତୁ”

0

ରାୟଗଡ଼ା:ରୁ ଭି ଗୌରିଶଙ୍କର ରାଓ ଙ୍କ ରିପୋର୍ଟ ।ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ଅନେକ ମୂଲ୍ୟବାନ ଜୀବନ ଯାଉଛି। ଅନେକ ସମୟରେ ସଠିକ୍ ସମୟରେ ସାହାଯ୍ୟ ନ ମିଳିବାରୁ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଏହି ସ୍ଥିତିକୁ ବଦଳାଇବା ପାଇଁ ରାୟଗଡ଼ା ପୋଲିସ ପକ୍ଷରୁ କେନ୍ଦ୍ର ସରକାରଙ୍କ “ଗୁଡ୍ ସାମାରିଟାନ୍ ଯୋଜନା” କୁ ଜୋରଦାର ପ୍ରଚାର କରାଯାଉଛି।

ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ଯେ, ରାସ୍ତାରେ ଦୁର୍ଘଟଣା ଦେଖିଲେ ଡରନ୍ତୁ ନାହିଁ, ଆଗେଇ ଆସନ୍ତୁ। ଆପଣଙ୍କ ଏକ ଛୋଟ ମାନବିକତାର କାର୍ଯ୍ୟ କାହାର ଜୀବନ ବଞ୍ଚାଇ ପାରେ।

କାହିଁକି ଲୋକେ ଡରନ୍ତି?
ଅନେକ ଲୋକ ପୋଲିସି ଝମେଲା, କୋର୍ଟ କଚେରି ଭୟରେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁଡ୍ ସାମାରିଟାନ୍ ଙ୍କୁ ସମ୍ପୂର୍ଣ୍ଣ ଆଇନଗତ ସୁରକ୍ଷା ମିଳିଥାଏ।

ଯୋଜନାର ମୁଖ୍ୟ ସୁବିଧା:
– ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପୋଲିସ କୌଣସି ହଇରାଣ କରିପାରିବ ନାହିଁ
– ଆପଣଙ୍କ ନାମ-ଠିକଣା ଗୋପନ ରଖାଯିବ
– ଡାକ୍ତରଖାନା ଆପଣଙ୍କୁ ଅଟକାଇ ପାରିବ ନାହିଁ, ତୁରନ୍ତ ଚିକିତ୍ସା ଦେବାକୁ ବାଧ୍ୟ
– ଉଲ୍ଲେଖନୀୟ ସାହାଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଓ ସମ୍ମାନ

ଜଣେ ଭଲ ନାଗରିକ ଭାବେ କଣ କରିବେ?
୧. ତୁରନ୍ତ ୧୦୮ ଆମ୍ବୁଲାନ୍ସ କିମ୍ବା ୧୦୦ ନମ୍ବରକୁ ଫୋନ କରି ପୋଲିସକୁ ଜଣାନ୍ତୁ
୨. ସମ୍ଭବ ହେଲେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଅନ୍ତୁ
୩. ଦୁର୍ଘଟଣା ସ୍ଥଳରେ ଭିଡ଼ ନିୟନ୍ତ୍ରଣ କରି ସାହାଯ୍ୟ କରନ୍ତୁ

ରାୟଗଡ଼ା ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “ଆଜି ଆପଣ କାହାର ଜୀବନ ବଞ୍ଚାଇଲେ, କାଲି କେହି ଆପଣଙ୍କ ଜୀବନ ବଞ୍ଚାଇବ। ଆସନ୍ତୁ, ଜଣେ ଗୁଡ୍ ସାମାରିଟାନ୍ ହେବା।”

Leave A Reply

Your email address will not be published.