ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ସଂପ୍ରସାରଣ କାମ ଆରମ୍ଭ, ଚାରା ରୋପଣ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ବୃହତ ମାନବକୃତ ଉଦ୍ୟାନ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନର ଆଜି ନବକଳେବର ଓ ସଂପ୍ରସାରଣ କାର୍ଯ୍ୟ ଆରମ୍ଭ ଅବସରରେ ବୃକ୍ଷ ଚାରା ରୋପଣ କରାଯାଇଛି। ଆଜି ସକାଳେ ଉଦ୍ୟାନ ପରିସରରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ଟ୍ରଷ୍ଟ ଓ ଟାଟା ମୋଟର୍ସ ଫାଇନାନ୍ସ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟିର ସମ୍ପାଦକ ସଂଜୟ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପୂର୍ବେ ୪ ଏକର ସ୍ଥାନରେ କେନ୍ଦ୍ର, ରାଜ୍ୟ ସରକାର, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଖୋର୍ଦ୍ଧାର ଜନସାଧାରଣଙ୍କ ସହାୟତାରେ ଏକ ଉଦ୍ୟାନ ନିର୍ମାଣ କରାଯାଇଥିଲା। ଏହାପରେ ରାଜ୍ୟ ସରକାରଙ୍କ ସହଯୋଗରେ ଉଦ୍ୟାନର ବିକାଶ ପାଇଁ ନିକଟସ୍ଥ ୫ ଏକର ଜାଗା ଅତିରିକ୍ତ ପ୍ରଦାନ କରାଯାଇଛି।

ଏହି ସ୍ଥାନରେ ଶିଶୁକ୍ରୀଡ଼ା ଉପକରଣ, ଖୋର୍ଦ୍ଧାର ଐତିହ ଓ ସଂସ୍କୃତିକୁ ନେଇ ଏକ ସଂଗ୍ରହାଳୟ, ରେସ୍ତୁରାଣ୍ଟ, ବ୍ୟାୟାମ ଶାଳା, ପକ୍ଷୀ ଗୃହ ଆଦି ନିର୍ମାଣ କରାଯିବ। ଏହାର ବ୍ୟୟ ଅଟକଳ ୮ କୋଟି ଟଙ୍କା ରଖାଯାଇଥିବା ବେଳେ ଆସନ୍ତା ୨ ବର୍ଷ ମଧ୍ୟରେ ଉଦ୍ୟାନର ସଂପ୍ରସାରଣ କାର୍ଯ୍ୟ ସମାପ୍ତ ହେବ। ଅତିଥି ଭାବେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ ଯୋଗ ଦେଇ ସାଂସଦ ପାଣ୍ଠୀରୁ ଉଦ୍ୟାନର ବିକାଶ ପାଇଁ ସହାୟତା ନିମନ୍ତେ ସାଂସଦ ପାଣ୍ଠୀରୁ ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ନାରାୟଣ ମହାନ୍ତି, ଟାଟା ମୋଟର୍ସ ଫାଇନାନ୍ସର ଆଂଚଳିକ ମୁଖ୍ୟ ମନୋଜ ଜେନ, ଜୋନାଲ୍ ମୁଖ୍ୟ ସମ୍ବିତ ପଣ୍ଡା, ଜାନକୀ ବଲ୍ଲଭ ପଟ୍ଟନାୟଙ୍କ ପୁତ୍ର ତଥା କଂଗ୍ରେସ ନେତା ପୃଥିବୀ ବଲ୍ଲଭ ପଟ୍ଟନାୟକ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ତଥା ସ୍ମୃତି କମିଟି ଟ୍ରଷ୍ଟର କୋଷାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ, ଜଣାଶୁଣା ଶିଳ୍ପୀ ସରୋଜ ଭଂଜ, ଅଧ୍ୟାପିକା କବିତାରାଣୀ ମିଶ୍ର, ଗାନ୍ଧୀବାଦୀ ନେତା ରାମ ନାରାୟଣ, ଆଇନଜୀବୀ ଶିଶିର ପରିଡ଼ା, ନୃସିଂହ ମିଶ୍ର, ନିବେଦିତା ପଟ୍ଟନାୟକ, କେଫାତୁଲ୍ଲା ଖାଁ, ପ୍ରଫୁଲ୍ଲ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ସଂପ୍ରସାରିତ ସ୍ଥାନରେ ବୃକ୍ଷ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ କମିଟିର ସଦସ୍ୟ ପ୍ରଦୋଷ ସାହୁ, ପ୍ରଦୋଷ ହରିଚନ୍ଦନ, ସ୍ମୃତିରଂଜନ ବଳିଆରସିଂହ, ପୁଲିନ ବିହାରୀ ଦାସ, ବିଶ୍ୱରଂଜନ ପ୍ରଧାନ, ପ୍ଲାବନ ପଟ୍ଟନାୟକ ପ୍ରମୁଖ ପରିଚାଳନା କରଥିଲେ।

Comments are closed.