ଗଜପତି (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତର ଏକ ଦୁର୍ଗମ ଗାଁ — କିନା ବାରୁ। ସ୍ଥାନୀୟ ଭାଷାରେ କିନା ବାରୁର ଅର୍ଥ ‘ବାଘର ପାହାଡ଼’।
କୁହାଯାଏ, ବହୁ ବର୍ଷ ପୂର୍ବେ କାମତି ଗମାଙ୍ଗ ନିଜ ସ୍ତ୍ରୀଙ୍କୁ ନେଇ ଏହି ପାହାଡ଼ରେ ଆସି ଘର କରି ବସବାସ ଆରମ୍ଭ କରିଥିଲେ। ପରେ ପିଢ଼ି ପରେ ପିଢ଼ି ଏଠାରେ ପରିବାର ବଢ଼ିଚାଲିଛି। ବର୍ତ୍ତମାନ ମଜେଶ ଗମାଙ୍ଗଙ୍କ ପରିବାର ସମେତ ପ୍ରାୟ ୫ଟି ଘର ଏଠାରେ ରହିଛି।
କିନ୍ତୁ ଆଧୁନିକ ଯୁଗରେ ମଧ୍ୟ ଏହି ଗାଁର ଜୀବନ ଅତ୍ୟନ୍ତ କଷ୍ଟଦାୟକ।
ଦେଶ ସ୍ୱାଧୀନ ହେବାର ୮୦ ବର୍ଷ ବିତିଗଲାଣି। ଗାଁ ଗାଁରେ ବିଜୁଳି, ମୋବାଇଲ ନେଟୱର୍କ ଓ ଭଲ ସଡ଼କ ପହଞ୍ଚିଛି। କିନ୍ତୁ କିନା ବାରୁ ଗାଁବାସୀଙ୍କ ପାଇଁ ଏସବୁ ଏବେ ବି ସ୍ୱପ୍ନ।
ନା ଅଛି ବିଜୁଳି ସୁବିଧା, ନା ଅଛି ଯାତାୟାତ ପାଇଁ ଭଲ ରାସ୍ତା। ଗାଡ଼ି ଯିବା ମଧ୍ୟ ସମ୍ଭବ ନୁହେଁ।
ସବୁଠାରୁ ବଡ଼ ସମସ୍ୟା ହେଉଛି ସ୍ୱାସ୍ଥ୍ୟସେବା।
ଗାଁର କୌଣସି ମହିଳା ଗର୍ଭବତୀ ହେଲେ କିମ୍ବା କେହି ଗୁରୁତର ଅସୁସ୍ଥ ହେଲେ, ତାଙ୍କୁ ପାହାଡ଼ିଆ ରାସ୍ତାରେ ଦୀର୍ଘ ବାଟ ଚାଲି ଗାଇବା ଗ୍ରାମକୁ ନେବାକୁ ପଡ଼େ। ସେଠାରୁ ବସ୍ ଯୋଗେ ପାରଳାଖେମୁଣ୍ଡି ବଡ଼ ଡାକ୍ତରଖାନାକୁ ଯିବାକୁ ପଡ଼େ।
ଏପରି ସ୍ଥିତିରେ ଜରୁରୀ ସମୟରେ ରୋଗୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ସୃଷ୍ଟି ହେଉଛି।
ଦୁଃଖ ଓ ଅଭାବ ମଧ୍ୟରେ ମଧ୍ୟ ଗାଁବାସୀ ନିଜ ପିତୃପୁରୁଷଙ୍କ ଜମି ଓ ପାହାଡ଼ ଜଙ୍ଗଲ ଉପରେ ନିର୍ଭର କରି ଚାଷବାସ କରି ଆସୁଛନ୍ତି। ଅନ୍ୟ ଗାଁକୁ ଯାଇ ବସବାସ କରିବାକୁ ଇଚ୍ଛା ଥିଲେ ମଧ୍ୟ ଜୀବିକା ପାଇଁ ଆବଶ୍ୟକ ଜମି ନଥିବାରୁ ସେମାନେ ନିଜ ପୁରୁଣା ଭିଟାମାଟି ଛାଡ଼ିପାରୁନାହାନ୍ତି।
ସନ୍ଧ୍ୟା ହେଲେ ଅନ୍ଧାର ମାଡ଼ିଆସେ। ପ୍ରାୟ ୬ଟା ପରେ ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼େ।
ଗ୍ରାମବାସୀଙ୍କ ଦାବି
କିନା ବାରୁ ଗ୍ରାମବାସୀଙ୍କ ଏକମାତ୍ର ଦାବି — ସରକାର ଏହି ଦୁର୍ଗମ ଗାଁ ପ୍ରତି ଦୃଷ୍ଟି ଦେଉ। ଗାଁକୁ ଯାତାୟାତ ଯୋଗ୍ୟ ରାସ୍ତା ନିର୍ମାଣ ସହ ବିଜୁଳି ଯୋଗାଣର ବ୍ୟବସ୍ଥା କରାଯାଉ।
ଏହି ମୌଳିକ ସୁବିଧା ମିଳିଲେ ଗାଁବାସୀଙ୍କ ଦୀର୍ଘଦିନର ଦୁଃଖ ଓ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ମଜେଶ ଗମାଙ୍ଗ, ତୀତାଶ ଗମାଙ୍ଗ ଓ ମା’ ସାତୁରି ଗମାଙ୍ଗ ଦୁଃଖ ପ୍ରକାଶ କରିଛନ୍ତି।
ବଡ଼ ପ୍ରଶ୍ନ ହେଉଛି — ସ୍ୱାଧୀନତାର ୮୦ ବର୍ଷ ପରେ ମଧ୍ୟ କିନା ବାରୁ ଭଳି ଦୁର୍ଗମ ଗାଁକୁ କେବେ ପହଞ୍ଚିବ ବିକାଶର ଆଲୋକ?