ଗଜପତି,୬.୯(ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ରୁନା ବଡ଼ରଇତ। ସେ ଏକ ପୋକ୍ସୋ ମାମଲାରେ ପ୍ରାୟ ୪୫ ଦିନ ଧରି ବିଚାରାଧୀନ କଏଦୀ ଭାବେ ଉପକାରାଗାରରେ ରହୁଥିଲେ।ସୂଚନା ଅନୁସାରେ, ଶନିବାର ରାତିରେ ଅନ୍ୟ କଏଦୀମାନଙ୍କ ସହ ରାତ୍ରିଭୋଜନ କରିବା ପରେ ରୁନା ବିଶ୍ରାମ ନେଉଥିବା ସମୟରେ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଖବର ପ୍ରକାଶ ପାଇଛି।ଅନ୍ୟପକ୍ଷରେ, ମୃତକଙ୍କ ପରିବାର ପକ୍ଷରୁ ଜେଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ପ୍ରକାଶ କରାଯାଇଛି। ପରିବାର ଘଟଣାର ସଠିକ୍ କାରଣ ଜାଣିବା ସହ ତଦନ୍ତ ଓ ନ୍ୟାୟ ଦାବି କରିଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ମୃତଦେହ ଗ୍ରହଣ ପୂର୍ବରୁ ପରିବାର ଓ ଗ୍ରାମବାସୀ କ୍ଷତିପୂରଣ ଓ ପୁନର୍ବାସ ଦାବି କରିଥିବା ଖବର ମିଳିଛି।
ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।