ଗଜପତି (ମନୋଜ ପାଢ଼ୀ)-:ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ମୁଖ୍ୟ ରାସ୍ତାରେ ଥିବା ଏକ କଲଭର୍ଟ ଦୀର୍ଘଦିନ ଧରି ଦବିଯାଇ ବିପଦ ସଂକୁଳ ଅବସ୍ଥାରେ ରହିଛି। କଲଭର୍ଟ ର ମଝି ଅଂଶ ଭାଙ୍ଗିଯାଇ ତଳକୁ ଦବି ଯାଇଥିବାରୁ ରାସ୍ତାର ଏକ ଅଂଶ ମଧ୍ୟ ଦୁର୍ବଳ ହୋଇପଡ଼ିଛି। ଏହା ଦ୍ୱାରା ପ୍ରତିଦିନ ଏହି ରାସ୍ତାରେ ଯାତାୟାତ କରୁଥିବା ଲୋକେ ଆଶଙ୍କା ମଧ୍ୟରେ ଯାତାୟାତ କରୁଛନ୍ତି।

ସ୍ଥାନୀୟ ସୂଚନା ଅନୁସାରେ, ପ୍ରାୟ ୨୦୦୮ ମସିହାରେ ନିର୍ମାଣ ହୋଇଥିବା ଏହି ରାସ୍ତାଟି RD ବିଭାଗ ଅଧୀନରେ ରହିଛି। ବର୍ତ୍ତମାନ କଲଭର୍ଟର ମଝି ଭାଗ ଭାଙ୍ଗିଯାଇ ଦବି ଯାଇଥିବାରୁ ରାସ୍ତା ଉପରେ ଯାନବାହାନ ଚଳାଚଳ ବିପଦପୂର୍ଣ୍ଣ ହୋଇପଡ଼ିଛି। ବିଶେଷକରି ଭାରୀ ଯାନବାହାନ ଯାତାୟାତ ସମୟରେ ଅଧିକ ବିପଦର ଆଶଙ୍କା ରହିଛି।ଏହି ରାସ୍ତାଟି ଅଞ୍ଚଳବାସୀଙ୍କ ଯାତାୟାତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ ହୋଇଥିବାରୁ ପ୍ରତିଦିନ ଦୁଇ ଚକିଆ ଯାନ, ଅଟୋ, ଯାତ୍ରୀବାହୀ ଗାଡ଼ି ସମେତ ବିଭିନ୍ନ ଯାନବାହାନ ଚଳାଚଳ କରୁଛି। କିନ୍ତୁ କଲଭଟ ଦବି ଯାଇଥିବାରୁ ଯାତାୟାତ କାରୀଙ୍କ ମଧ୍ୟରେ ଦୁର୍ଘଟଣା ନେଇ ଭୟ ସୃଷ୍ଟି ହୋଇଛି। ଏହି ରାସ୍ତା ଉପରେ ପ୍ରାୟ ୩୦ଖଣ୍ଡ ଗ୍ରାମବାସୀ ଯାତାୟାତ ନିମନ୍ତେ ନିର୍ଭର କରନ୍ତି ସେଥିସଙ୍ଗେ କୁଜାସିଂ -ଗୁମ୍ମା କୁ ଲକ୍ଷ୍ମୀ ବସ ଏହି ରାସ୍ତାଦେଇ ଯାତାୟାତ କରେ।ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କଲଭର୍ଟଟି ଭାଙ୍ଗି ଦବିଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଏହାର ସ୍ଥାୟୀ ମରାମତି କରାଯାଇନାହିଁ। ଫଳରେ କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ଏହା ଉପରେ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଦାବି ହେଉଛି।ବର୍ଷା ଓ ଅଧିକ ପାଣି ପ୍ରବାହ ସମୟରେ କଲଭର୍ଟର ଦୁର୍ବଳ ଅଂଶ ଆହୁରି କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ତେଣୁ ରାସ୍ତାର ସ୍ଥିତି ଯାଞ୍ଚ କରି କଲଭର୍ଟର ତୁରନ୍ତ ମରାମତି କିମ୍ବା ଆବଶ୍ୟକ ହେଲେ ନୂତନ କଲଭର୍ଟ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।