ତବାରସିଂ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳିତ।

ଆର, ଉଦୟଗିରି (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ତବାରସିଂରେ ମହାସମାରୋହରେ ଗୁରୁଦିବସ ପାଳିତ ହୋଇଯାଇଛି। ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସ ଅବସରରେ ଏହି ଗୁରୁଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୁରୁଷୋତ୍ତମ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଗୁରୁଙ୍କ ମହତ୍ତ୍ୱ, ଶିକ୍ଷକଙ୍କ ଦାୟିତ୍ୱ ତଥା ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଶିକ୍ଷକଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବରିଷ୍ଠ ଶିକ୍ଷକ ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜଣେ ଶିକ୍ଷକ କେବଳ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାନ୍ତି ନାହିଁ, ବରଂ ସେମାନଙ୍କ ଚରିତ୍ର ଗଠନ କରି ଜଣେ ଉତ୍ତମ ଓ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବାରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଶିକ୍ଷକମାନେ ସମାଜ ଗଠନର ମୁଖ୍ୟ ବିନ୍ଧାଣୀ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ଗୁରୁଜନମାନଙ୍କୁ ପୁଷ୍ପଗୁଚ୍ଛ ଓ ଶୁଭେଚ୍ଛା ଜଣାଇ ସମ୍ମାନିତ କରିଥିଲେ। ସେହିପରି ଛାତ୍ରଛାତ୍ରୀଙ୍କ ଦ୍ୱାରା ଗୀତ ଓ ଭାଷଣ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଉତ୍ସବମୁଖର ପରିବେଶରେ ପାଳିତ ଏହି ଗୁରୁଦିବସ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Comments are closed.