ଆର, ଉଦୟଗିରି (ମନୋଜ ପାଢ଼ୀ)-: ଗଜପତି ଜିଲ୍ଲାର ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆ ସାହି ପରିସରରେ ଆନନ୍ଦ ଓ ଉତ୍ସାହର ସହିତ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି।
ବିଦ୍ୟାଳୟର ଆଦରଣୀୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆଶିଷ କୁମାର ରାଇକାଙ୍କ ତତ୍ତ୍ୱାବଧାନ ଓ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରା ଏବଂ ପ୍ରହ୍ଲାଦ ଶିଅଳଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ଓ ସହଯୋଗ କ୍ରମେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଥିଲା। ଏହି ଅବସରରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ମାଧବ ନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବା ସହିତ ଭାଲିଆ ସାହି ଗ୍ରାମର ଚାରି ଜଣ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଆଦିକନ୍ଦ ବାଣୁଆରାୟୀ, ରାମଚନ୍ଦ୍ର ବାଣୁଆରାୟୀ, ଲକ୍ଷ୍ମଣ ଦଣ୍ଡସେନା ଏବଂ ମହେଶ୍ୱର ନାଏକ ମହୋଦୟଙ୍କୁ ପୂଜ୍ୟ ପୂଜାର ବିଧି ଅନୁସାରେ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ଗୁରୁବନ୍ଦନା ଗାନ କରି ଗୁରୁଜୀ ଗୁରୁମାଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିବା ସହିତ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜୀବନୀ ଏବଂ ଆଦର୍ଶ ବିଷୟରେ ଆଲୋକପାତ କରାଯାଇଥିଲା।



ଛାତ୍ରଛାତ୍ରୀମାନେ ଗୁରୁଙ୍କ ପ୍ରତି ସମ୍ମାନ, ଶ୍ରଦ୍ଧା ଓ କୃତଜ୍ଞତା ପ୍ରକାଶ କରିବା ସହିତ ଗୁରୁଦିବସର ମହତ୍ତ୍ୱ ସମ୍ପର୍କରେ ନିଜେ ନିଜର ମତ ପ୍ରକାଶ କରିଥିଲେ।ଏହି ଅବସରରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ଏବଂ ଶିକ୍ଷାର ମହତ୍ତ୍ୱ ସମ୍ପର୍କରେ ମୂଲ୍ୟବାନ ବାର୍ତ୍ତା ପ୍ରଦାନ କରି ଗୁରୁ-ଶିଷ୍ୟ ସମ୍ପର୍କର ମହାନ ପରମ୍ପରାକୁ ସ୍ମରଣ କରାଇଥିଲେ।
ସମଗ୍ର କାର୍ଯ୍ୟକ୍ରମଟି ଏକ ଆନନ୍ଦମୟ, ଶୃଙ୍ଖଳିତ ଓ ଶିକ୍ଷଣୀୟ ପରିବେଶରେ ସମ୍ପନ୍ନ ହୋଇଥିଲା।