ପଟ୍ଟାମୁଣ୍ଡାଇ ଅଂଚଳରେ ବନ୍ୟା ପରିସ୍ଥିତି ଗମ୍ଭୀର !
ବିପଦ ସଂକେତ ଉପରେ ବ୍ରାହ୍ମଣୀ ଓ କାଣି ନଦୀ *ବ୍ୟାପକ ଅଂଚଳ ଜଳମଗ୍ନ
ପଟ୍ଟାମୁଣ୍ଡାଇ ୩୧/୭ : ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାରମ୍ବାର ଲଘୁଚାପ ଜନିତ ଲଗାଣବର୍ଷା ଓ ରେଙ୍ଗାଲି ପାଣି ଛାଡିବା ଯୋଗୁଁ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକର ୧୪ ପଂଚାୟତ ଓ ପୌରାଞ୍ଚଳର ୧୧ଟି ୱାର୍ଡରେ ଜଳମଗ୍ନ ହୋଇପଡିଛି ।ପ୍ରାୟ ୫୦ ହଜାରରୁ ଉର୍ଦ୍ଧ ଲୋକ ଓ ୧୫ହଜାର ଗୃହ ପାଳିତ ପଶୁ ଜଳବନ୍ଦୀ ହୋଇପଡିଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ସବୁଠାରୁ ଦୁର୍ଗମ ଅଂଚଳ ଭାବେ ପରିଚିତ ସିଂହଗାଁ ପଂଚାୟତ ବାହ୍ୟଜଗତ ରୁ ବିଛିନ୍ନ ହୋଇପଡିଛିI ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଂଚାୟତର ସିଂହଗାଁ, କୃଷ୍ଣଦାସପୁର,ରାଉଳିଆଡିଆ, ପାଣିସାଉଁଳିଆ ଆଦି ଜଳମଗ୍ନ ହୋଇ ବାହ୍ୟଜଗତରୁ ବିଛିନ୍ନ ହୋଇପଡିଛି I ଅଳପୁଆ ପଂଚାୟତ ଗୋଜିଆକଣ, ବିଲମଳିକସାହି, ବେହେରାସାହି, ମିଶ୍ରବାଗ, ସେଠୀସାହି, ଜେନାସାହି, ପାହାନ୍ତାସିଂହ ସାହି,ତରଡ଼ିପାଳ ପଂଚାୟତର ପୋଖରୀକୂଳ,ଗୋପାଳପୁର, ଜେନାସାହି, ବିଶ୍ୱାଳ ସାହି, ନାଥସାହି,ମଳିକସାହି ଘାଗରାଡିଆ ପେଣ୍ଠପାଳ ପଂଚାୟତର କୂଳସାହି, କୋଳଥିଆ,ବାଲିକିରା,ଦାଣ୍ଡିସାହି ଦାଣ୍ଡିସାହି,ଅଣ୍ଢରା ପଂଚାୟତର ବ୍ରହ୍ମପୁର,ବିଷ୍ଣୁପୁର, ବ୍ରାହ୍ମଣସାହି, ଦାଣ୍ଡିଉପର, ଅମୃତମଣୋହି ପଂଚାୟତର ନୂଆଡିଆ,ଜଗନ୍ନାଥ ପୁର, ଶାନ୍ତିପଡା, ସିଦ୍ଧବାଲି, ବଲୁରିଆ ପଂଚାୟତର ଫୁଲପାଟଣା ଆଦି ବହୁ ଗ୍ରାମ ଓ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇ ପଡିଛିI ଦାଣ୍ଡିସାହି ହାଇସ୍କୁଲ ଓ କଲେଜ ସମ୍ମୁଖ ରାସ୍ତାରେ ବନ୍ୟା ସୁଅ ଛୁଟିଛି I ବିଭିନ୍ନ ଅଂଚଳରେ କୁମ୍ଭୀର ଦେଖାଯାଉଥିବା ଖବର ଜଣାପଡିବା ପରେ ଲୋକମାନଙ୍କ ମଧ୍ୟରେ ଘୋର ଆତଙ୍କ ସୃଷ୍ଟି ହୋଇଛି I ଫଳରେ ଲୋକମାନେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି I କୋଳଥିଆ ଓ ଶାସନ ସ୍କୁଲ ବନ୍ୟାଜଳରେ ବୁଡି ରହିଛି I ସୁବଳପୁର -ଗୋଜିଆକଣ ରାସ୍ତାରେ ବନ୍ୟାଜଳ ସୁଅ ଛୁଟୁଛି I ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର, ଡାମରପୁର, ନୀଳକଣ୍ଠପୁର, ବାଲିପାଟଣା, ବାଛରା, ବଳଭଦ୍ରପୁର ଶାସନ ପୈାରାଞ୍ଚଳର ୧,୨,୩,୪,୫,୬,
୭,୮,୯,୧୦,୧୫ ନଂ ଓ୍ଵାର୍ଡ ସମେତ ପଂଚାୟତର ବିଭିନ୍ନ ଅଂଚଳ ଓ ଚାଷଜମି ଜଳମଗ୍ନ ହୋଇପଡିଛି I ବନ୍ୟା ବିପନ୍ନ ବିଭିନ୍ନ ପଂଚାୟତର ରାସ୍ତା ଗୁଡିକ ବୁଡି ଯାଇଥିବାରୁ ଯାତାୟାତ କ୍ଷେତ୍ରରେ ଅସୁବିଧା ସୃଷ୍ଟି ହୋଇଛି I ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡା ବିଧାୟକ ଗଣେଶ୍ଵର ବେହେରା ବନ୍ୟାଞ୍ଚଳ ବୁଲି ବନ୍ୟା ପରିସ୍ଥିତି ଉପରେ ଅନୁଧ୍ୟାନ କରିଵା ସହିତ ବନ୍ୟାବିପନ୍ନ ଲୋକମାନଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରିଛନ୍ତି ।

ଏଥି ସହିତ ବନ୍ୟା ମୁକାବିଲାରେ ଜିଲ୍ଲା ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ପ୍ରକାଶଥାଉକି ବନ୍ୟା ବିପନ୍ନ ପଟ୍ଟାମୁଣ୍ଡାଇ ଧୋୟାଞ୍ଚଳର ହଜାର ହଜାର ଏକର ଚାଷ ଜମି ବନ୍ୟାଜଳରେ ବୁଡି ରହିଥିବାରୁ ପନିପରିବା ସମେତ ବିଭିନ୍ନ ଫସଲହାନୀ ଘଟିଛିI ବନ୍ୟା ବିପନ୍ନଲୋକମାନେ ଜଳବନ୍ଦୀ ହୋଇ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଂଚିତ ହୋଇଥିବା ବେଳେ ଗୃହପାଳିତ ପଶୁମାନେ ଗୋ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି I ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ବିଡ଼ିଓ ଶୀତଲ ଅଗ୍ରୱାଲ, ପୈାରାଧକ୍ଷ ହେମନ୍ତ କୁମାର ସାହୁ, ନିର୍ବାହୀ ଅଧିକାରୀ ରଞ୍ଜନ କୁମାର ଦାଶ ବ୍ଲକ ଓ ପୈାରାଞ୍ଚଳର ବିଭିନ୍ନ ବନ୍ୟା ବିପନ୍ନ ଅଂଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକ ମାନଙ୍କୁ ଅଭାବ ଅସୁବିଧା ସମ୍ପର୍କ ରେ ପଚାରି ବୁଝିଛନ୍ତି I