ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ
ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବ
================
ତୁଳସୀ କ୍ଷେତ୍ରାଧିପତି ବଡ଼ ଠାକୁର ଶ୍ରୀ ଶ୍ରୀ ସିଦ୍ଧ ବଳଦେବ କେନ୍ଦ୍ରାପଡ଼ାର ଆରାଧ୍ୟଦେବତା l ଆମ ଉତ୍କଳର କ୍ଷେତ୍ର ମାନଙ୍କ ମଧ୍ୟରେ ଏହାର ପ୍ରସିଦ୍ଧି ବହୁ ମାତ୍ରାରେ ରହିଛି l ପୁରାଣ ମାନଙ୍କରେ ଏହି କ୍ଷେତ୍ର ତୁଳସୀକ୍ଷେତ୍ର,ଗୁପ୍ତକ୍ଷେତ୍ର,ବ୍ରହ୍ମକ୍ଷେତ୍ର,ଗୁପ୍ତ ବୃନ୍ଦାବନ ଆଦି ଭାବରେ ବର୍ଣ୍ଣିତ ହୋଇଛି l ବ୍ରହ୍ମ ବୈବର୍ତ୍ତ ପୁରାଣରେ ଏହି କ୍ଷେତ୍ରକୁ ଗୁପ୍ତ ବୃନ୍ଦାବନ ବୋଲି ବର୍ଣ୍ଣନା କରାଯାଇଛି l ଏ କ୍ଷେତ୍ର ଓଡ଼ିଶାର ପ୍ରାଚୀନ କ୍ଷେତ୍ରମାନଙ୍କ ମଧ୍ୟରେ ଅନ୍ୟତମ l
ତୁଳସୀ କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନାନୁଯାୟୀ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଗ୍ରଜ ମହାବଳୀ ବଳରାମ ମହାଭାରତ ଯୁଦ୍ଧ ପ୍ରତି ବିମୁଖ ହୋଇ ତୀର୍ଥାଟନରେ ଯାଇ ନୈମିଷ୍ୟାରଣ୍ୟରେ ପହଞ୍ଚି ଥିଲେ l ସେଠାରେ ମହର୍ଷି ବ୍ୟାସଦେବଙ୍କ ଶିଷ୍ୟ ଲୋମହର୍ଷଣଙ୍କୁ କ୍ରୋଧ ବଶତଃ ହତ୍ୟା କଲେ l ସେଠି ସେ ମୁନିଋଷିଙ୍କ ଠାରୁ ଲଳିତଗିରି ଠାରେ ବାସ କରୁଥିବା ମଧୁ ଦୈତ୍ୟର ପୌତ୍ର ତଥା ଶଙ୍କୁ କର୍ଣ୍ଣ ଦୈତ୍ୟ ପୁତ୍ର ଅତ୍ୟାଚାରୀ କନ୍ଦରାସୁର କଥା ଶ୍ରବଣ କରି ସେଠାରେ ଆସି ପହଞ୍ଚିଲେ l ତା’ର ପାଳିତା କନ୍ୟା ଥିଲା, ତୁଳସୀ l ତୁଳସୀକନ୍ୟା ସତ୍ୟଯୁଗରୁ ଶ୍ରୀମନ୍ନାରାୟଣଙ୍କୁ ପତି ରୂପେ ଲାଭ କରିବା ପାଇଁ ବରପ୍ରାପ୍ତା ଥିଲା l ମହାବଳୀ ବଳରାମ ହଳମୁଷଳ ଦ୍ୱାରା ଦୈତ୍ୟ କନ୍ଦରାସୁରକୁ ନିହତକଲେ l
ବଳରାମଙ୍କ ଆକ୍ରମଣରେ କନ୍ଦରାସୁର ପୂର୍ବଦିଗକୁ ଦୌଡ଼ି ପଳାଇଲା l ବଳଦେବ ପଛରେ ଗୋଡ଼ାଇ ତାକୁ ଯେଉଁଠାରେ ହତ୍ୟାକଲେ ସେ ସ୍ଥାନର ନାମ କନ୍ଦରାସୁର ନାମ ଅନୁସାରେ କନ୍ଦରାପାଡ଼ି ଥିଲା l ପରବର୍ତ୍ତୀ କାଳରେ ଏହା କେନ୍ଦ୍ରାପଡ଼ା ହୋଇଛି l
ତତ୍ ପରେ ସେ ତୁଳସୀଙ୍କୁ ବିବାହ କରି ଏଠାରେ ତୁଳସୀ କ୍ଷେତ୍ର ପ୍ରତିଷ୍ଠା କଲେ l ବିପ୍ର ମାଧୁରୀଙ୍କ ରଚିତ ତୁଳସୀ କ୍ଷେତ୍ର ମାହାତ୍ମ୍ୟ ପୁସ୍ତକରେ କୁହା ଯାଇଛି :-
କନ୍ଦରା ଆତ୍ମଜା କାରଣେ l
କ୍ଷେତ୍ର ରଚିଲୁ ପ୍ରଭୁ ତେଣେ ll
ଏ ବ୍ରହ୍ମ କ୍ଷେତ୍ର ପ୍ରତିଷ୍ଠିତ l
ତୁଳସୀ କ୍ଷେତ୍ର ନାମେ ଖ୍ୟାତ ll
ଅଷ୍ଟ ଯୋଜନ ଏହୁ କ୍ଷେତ୍ର l
ତୋ ନିଷ୍ଠା ବାସ ପଦ୍ମନେତ୍ର ll
ତୁଳସୀକ୍ଷେତ୍ର ମାହାତ୍ମ୍ୟରେ ପୁଣି ବର୍ଣ୍ଣିତ ହୋଇଛି ଯେ ପ୍ରଭୁ କନ୍ଦରା ଦୈତ୍ୟକୁ ବଧକରି ସାରି ତା’ର ଶରୀରକୁ ବିଭିନ୍ନ ଦିଗରେ ନିକ୍ଷେପ କଲେ l ସେ ସବୁ ସ୍ଥାନରେ ପରେ ବିଭିନ୍ନ ଦେବ ଦେବୀ ମାନେ ପ୍ରତିଷ୍ଠା ପାଇଲେ l କନ୍ଦରାସୁର ଶରୀରରୁ ନିର୍ଗତ ରକ୍ତ ଧାରାକୁ ପ୍ରଭୁ ମଧୁ ସାଗର ନାମରେ ନାମିତ କରିଥିଲେ l ତୁଳସୀ କ୍ଷେତ୍ର ମାହାତ୍ମ୍ୟରେ ଏହାର ଉଲ୍ଲେଖ ଅଛି :-
ଶରୀର ପର୍ବତ ଆକାର l
ନଦୀର ପ୍ରାୟେକ ରୁଧିର ll
ଦେଖିଲେ ନଦୀପ୍ରାୟ ହୋଇ l
ପୂର୍ବ ସମୁଦ୍ରକୁ ଚଳଇ l
ଆଜହୁଁ ନାମ ଯେ ଏହାର l
ହୋଇଲା ଶ୍ରୀମଧୁସାଗର ll
ପୁରାତନ ଗ୍ରନ୍ଥ ‘ବ୍ରହ୍ମତନ୍ତ୍ର’ ରେ ତୁଳସୀ କ୍ଷେତ୍ରକୁ ଉତ୍କଳର ପ୍ରାଚୀନତମ କ୍ଷେତ୍ର ଭାବେ ବର୍ଣ୍ଣନାକରି କୁହାଯାଇଛି :-
ବର୍ଷାଣାମ୍ ଭାରତ ଶ୍ରେଷ୍ଠ,
ଦେଶାନାମ୍ ଉତ୍କଳ ତଥା
ଉତ୍କଳେ ଶ୍ରେଷ୍ଠ ତୀର୍ଥାଣୀ
କୃଷ୍ଣାର୍କ ପାର୍ବତୀହରାହଃ l
ଯାତ୍ରାୟାମ୍ ହଳାୟୁଧ ଗଛେତ
ତୁଳସୀ କ୍ଷେତ୍ରେ ତିଷ୍ଠତି l
ଉତ୍କଳେ ପଞ୍ଚକ୍ଷେତ୍ରଞ୍ଚ
ବଦନ୍ତୀ ମୁନି ପୁଙ୍ଗବାଃ ll
ଶ୍ରୀମଦ ଭାଗବତରେ ମଧ୍ୟ ଅତିବଡ଼ି ଜଗନ୍ନାଥ ଦାସ ତୁଳସୀ କ୍ଷେତ୍ରର ଉଲ୍ଲେଖ କରିଛନ୍ତି :-
ବିଷ୍ଣୁର ଅନୁଗ୍ରହ ପାଶେ l
ତୁଳସୀ ବନ ପୁଷ୍ପ ବାସେ ll
ଏ ପୁରେ ଗତ ପାପୀ ଜନ l
ପ୍ରବେଶେ ନୁହଁନ୍ତି ଭାଜନ ll
ଶାରଳା ଦାସ ମହାଭାରତରେ ତୁଳସୀ କ୍ଷେତ୍ରକୁ ତୁଳସୀଦେବ ପୁର ବୋଲି କହି ଲେଖିଛନ୍ତି :-
ତୁଳସୀଦେବ ପୁର ଯେ ପୁଣି ଭ୍ରତଖଣ୍ଡ l
ଜମ୍ବୁ ରାଷ୍ଟ୍ର ଓଡ୍ର ରାଷ୍ଟ୍ର ସ୍ବର୍ଣ୍ଣ ମାରତଣ୍ଡ ll
ମହାଯାତ୍ରା କାବ୍ୟରେ କବିବର ରାଧାନାଥ ରାୟ ତୁଳସୀ କ୍ଷେତ୍ର ବିଷୟରେ ଲେଖିଛନ୍ତି :-
ପବିତ୍ର ତୁଳସୀକ୍ଷେତ୍ରେ ଇଚ୍ଛାବହି ମୋଦ l
ବିରାଜନ୍ତି ଯହିଁ ପ୍ରଭୁ ବ୍ରହ୍ମ ହଳାୟୁଧ ll
ତୁଳସୀ କ୍ଷେତ୍ରରେ ପୂଜିତ ଶ୍ରୀବଳଦେବ ଦାରୁମୂର୍ତ୍ତି ନୁହଁନ୍ତି l ତାଙ୍କର ବିଗ୍ରହ ମଣିବିଗ୍ରହ ଏବଂ ତାଙ୍କର ନବକଳେବର ଆଜି ସୁଦ୍ଧା କେବେ ହୋଇ ନାହିଁ l ତାଙ୍କର ନବକଳେବର ନହେଉ ଥିବା ହେତୁ ରତ୍ନ ସିଂହାସନରେ ପୂଜିତ ଅନ୍ୟ ଦୁଇ ଦାରୁ ଦିଅଁଙ୍କର ମଧ୍ୟ ନଵ କଳେବର ହୋଇ ନାହିଁ l ବଳଦେବଙ୍କ ମଣି ବିଗ୍ରହ ମଧ୍ୟରେ ବ୍ରହ୍ମ ବିରାଜିତ l ସେ ସିଧା ସଳଖ ଭାବେ ବ୍ରହ୍ମ ଅବତାର l ଏଣୁ ଏ କ୍ଷେତ୍ରକୁ ବ୍ରହ୍ମ କ୍ଷେତ୍ର କୁହାଯାଏ l ବଳଦେବଙ୍କ ବିଗ୍ରହକୁ ବର୍ଣ୍ଣନା କରି ଶ୍ରୀଶଙ୍କରାଚାର୍ଯ୍ୟ ଗୋଟିଏ ସ୍ତବରେ କହିଛନ୍ତି :-
ଓଁ ରଦୋଭ୍ୟା ଶୋଭିତଂ ଲାଙ୍ଗଳଂ
ସମୂଷଳଂ କାଦମ୍ବରୀ ଚଞ୍ଚଳମ୍ l
ରତ୍ନାତ୍ୟ ବରକୁଣ୍ଡଳଂ ଭୁଜବଳେଇଃ
ଆକ୍ରାନ୍ତ ଭୁ ମଣ୍ଡଳମ୍ ll
ବଜ୍ରାଭାମଳ ଗୁରୁଗଣ୍ଡ ଯୁଗଳଂ
ନାଗେନ୍ଦ୍ର ଚୁଡୋଜ୍ୱଳଂ l
ସଂଗ୍ରାମେ ରୂପକଂ ଶଶାଙ୍କ ଧବଳଂ
ଶ୍ରୀ କାମପାଳଂ ଭଜେ ll
ତୁଳସୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀବଳଦେବଜୀଉଙ୍କ ଆବିର୍ଭାବ ବିଷୟରେ କୌଣସି ଐତିହାସିକ ତଥ୍ୟ ମିଳିପାରିନାହିଁ l କିମ୍ବଦନ୍ତୀରୁ ଜଣାଯାଏ ବହୁ ବର୍ଷ ତଳେ ଜନୈକ ସିଦ୍ଧାଚାର୍ଯ୍ୟ ବ୍ରାହ୍ମଣ, ସିଦ୍ଧେଶ୍ୱରଙ୍କ ଦ୍ୱାରା ବଳଦେବଙ୍କ ବିଗ୍ରହ ମାଟିତଳୁ ଉଦ୍ଧାରକରା ଯାଇଥିଲା l ସେହି ଉଦ୍ଧାର ସ୍ଥଳୀ ପାଖରେ ରହିଛି ସିଦ୍ଧେଶ୍ୱର ନାମରେ ଗୋଟିଏ ପୁଷ୍କରିଣୀ l ଏଠାରୁ କିଛି ଦୂରରେ ଥିବା, ତୁଳସୀ ପୁର ପଡ଼ିଆରୁ ଏହି ବିଗ୍ରହ ଉଦ୍ଧାର ହୋଇଥିଲା l ଆଉ କେହି କେହି କୁହନ୍ତି ଲୁଣାନଦୀ ତୀରରେ ଅବସ୍ଥିତ ବଳରାମ ପୁର ଗ୍ରାମରୁ ବିଗ୍ରହଙ୍କୁ ଉଦ୍ଧାର କରା ଯାଇଥିଲା l ଅନ୍ୟ କେତେକ ବିଦ୍ୱାନଙ୍କ ମତରେ ସିଦ୍ଧ ଦାସ ନାମରେ ଜନୈକ ଗୋପାଳ ଗାଈ ଚରାଉ ଥିଲା ବେଳେ ଏହି ବିଗ୍ରହର ସନ୍ଧାନ ପାଇ ମାଟି ତଳୁ ଉଦ୍ଧାର କରିଥିଲା l ସିଦ୍ଧ ଦାସଙ୍କ ନାମାନୁସାରେ ପ୍ରଭୁଙ୍କ ନାମ ହୋଇଛି ସିଦ୍ଧ ବଳଦେବ l
ଅବସ୍ଥିତି :-
କେନ୍ଦ୍ରାପଡ଼ାର ପୁରୁଣା ବସ ଷ୍ଟାଣ୍ଡ ପଶ୍ଚିମ ଦିଗକୁ ବା ଜୁମା ମସଜିଦର ପଛ ପଟକୁ ଏକ ଛୋଟିଆ ଯାଗା କେନ୍ଦ୍ରାପଡ଼ା ବୋଲି ରାଜସ୍ବ ରେକର୍ଡରେ ଗଣ୍ୟ ହୁଏ l ନିକଟ ଅତୀତରେ ଏଠି ଭୂଖନନରୁ ଏକ ବହୁ ପୁରାତନ ମନ୍ଦିରର ଦଧିନଉତି ମିଳିଛି l ଏଥିରୁ ଅନୁମାନ କରାଯାଏ ଶ୍ରୀବଳଦେବଜୀଉଙ୍କ ପ୍ରାଚୀନ ମନ୍ଦିରଟି ପ୍ରଥମେ ଏଠାରେ ରହି ଥିଲା l
ଶ୍ରୀବଳଦେବଜୀଉଙ୍କ ଦ୍ୱିତୀୟ ମନ୍ଦିର କେନ୍ଦ୍ରାପଡ଼ା ସହରରେ ଥିବା ଓଡ଼ଙ୍ଗ ପୋଖରୀ ବା ଔରଙ୍ଗ ପୋଖରୀ ନିକଟରେ ଥିଲାବୋଲି କିଛି ଗବେଷକ ମତବ୍ୟକ୍ତ କରିଥାନ୍ତି l ମନ୍ଦିର ଏହିଠାରେ ଥିଲା ବେଳେ ଶ୍ରୀଚୈତନ୍ୟ ମହାପ୍ରଭୁ ଯାଜପୁରରୁ ଆସି ଏଠାରେ ପହଞ୍ଚି ଥିଲେ l ଏହି ମନ୍ଦିରକୁ 1663 ଖ୍ରୀଷ୍ଟାବ୍ଦରେ ଓଡିଶାର ମୋଗଲ ସୁବାଦାର ଖାନ- ଈ-ଦୌରାନ ବର୍ବର ଭାବେ ଭାଙ୍ଗି ଧୂଳିସାତ କରି ଦେଇଥିଲେ l
ମନ୍ଦିର ଭଙ୍ଗା ଓ ବିଧର୍ମୀ ମାନଙ୍କ ଆକ୍ରମଣ ଦ୍ୱାରା ଭୟଭୀତ ହୋଇ ଶ୍ରୀବଳଦେବଜୀଉଙ୍କ ବିଗ୍ରହକୁ ନେଇ ସଖିବଟ ନିକଟସ୍ଥ ମଧୁ ସାଗର ତୀରରେ ଏକ ଅସ୍ଥାୟୀ କୁଟୀରରେ ରଖାଯାଇଥିଲା ବୋଲି ଲୋକକଥା ଓ କିମ୍ବଦନ୍ତୀରୁ ଜଣାଯାଏ l ସେ ମଧୁ ସାଗର କାଳର କରାଳ ସ୍ରୋତରେ ଲୁପ୍ତ ହୋଇଛି କିନ୍ତୁ କଥା ରହିଛି :-
ଜଗା ଭାଈ ବଳିଆ, ମଧୁସାଗର କୁଳିଆ,
ଗୋଟେ ଭାଈ ବଂଶୀ ଫୁଙ୍କେ
ଅନ୍ୟ ଭାଈ ହଳିଆ ll
ସାତ ବର୍ଷ କାଳ ସଖିବଟରେ ମହାପ୍ରଭୁ ଅସ୍ଥାୟୀ ଗୃହରେ ପୂଜା ପାଉଥିଲେ lଗବେଷକ ବାସୁଦେବ ଦାସଙ୍କ ମତ ଅନୁଯାୟୀ ପ୍ରାୟ ସାତ ବର୍ଷ ପରେ 1667ରୁ1673ମଧ୍ୟରେ କୁଜଙ୍ଗ ରାଜା ଗୋପାଳି ଷଣ୍ଢ ଏବଂ ଛେଦରା କିଲ୍ଲାର ଜମିଦାର ଶ୍ରୀନିବାସ ନରେନ୍ଦ୍ରଙ୍କ ମିଳିତ ଉଦ୍ୟମରେ ଇଚ୍ଛାପୁର ହେଲା ବଳଦେବଜୀଉଙ୍କ ନୂତନ ପୀଠ l ଅଦ୍ୟାବଧି ଶ୍ରୀ ବଳଦେବ ଜୀଉ ଏହିଠାରେ ବିଦ୍ୟମାନ ଅଛନ୍ତି l
ଇତିହାସରୁ ଜଣାଯାଏ ଯେ ପୂର୍ବେ ଭାରତବର୍ଷରେ ମଣିଭଦ୍ର ନାମା ଜଣେ ରାଜା ଶାସନ କରୁଥିଲେ l ରାଜା ମଣିଭଦ୍ର ପ୍ରଥମେ ବଳଭଦ୍ର ଶିଳା ପ୍ରକରଣ କରାଇ ପୂଜାର୍ଚ୍ଚନା କରୁଥିଲେ l ବଳଦେବଙ୍କ ମଣି ବିଗ୍ରହ ଉପରେ ସପ୍ତଫଣୀ ନାଗ ଥିବାରୁ ବିଶ୍ୱାସ କରାଯାଏ ନାଗବଂଶୀ ରାଜା ଶତ୍ରୁ ଭଞ୍ଜ ଲଳିତ ଗିରି ଠାରେ ପ୍ରଭୁ ବଳଦେବ ଜୀଉଙ୍କ ପୂଜା କରୁ ଥିଲେ l ଷଷ୍ଠ ଶତାବ୍ଦୀରେ, ଉତ୍ତର ତୋଷାଳୀର ମୁଦ୍ଗଲବଂଶୀ ରାଜା ଶମ୍ଭୁ ଯଶଙ୍କ ରାଜ୍ୟର ରାଷ୍ଟ୍ର ଦେବତା ଥିଲେ ଶ୍ରୀବଳଦେବ l ଏହି ତଥ୍ୟ ପ୍ରାୟ ଦୁଇ ହଜାର ଦୁଇଶହ ବର୍ଷ ତଳେ ଉତ୍କୀର୍ଣ ହୋଇ ଥିବା ଘୁଷୁଣ୍ଡି ଶିଳାଲେଖରୁ ଜଣାଯାଏ l
ଓଡିଶା ସଂଗ୍ରହାଳୟରେ ପ୍ରାୟ ସାତ ଶହ ବର୍ଷର ପୁରୁଣା ଏକ କିଷ୍କିନ୍ଧ୍ୟା କାଣ୍ଡ ପୋଥି ଅଛି l ସେହି ପୋଥିରେ ଉଲ୍ଲେଖ ଅଛି ପ୍ରାୟ ପନ୍ଦର ଶହ ବର୍ଷ ତଳେ ଶ୍ରୀବଳଦେବଜୀ ଲଳିତଗିରି ଠାରେ ପୂଜା ପାଉଥିଲେ l ଆଶଙ୍କା କରାଯାଏ କି ରକ୍ତବାହୁର ଆକ୍ରମଣ ବା ବୁଦ୍ଧ ଧର୍ମର ପ୍ରସାର କିମ୍ବା ଦୁର୍ମୁଲ୍ୟ ମଣିବିଗ୍ରହ ପ୍ରାପ୍ତି ଆଶାରେ ବିଧର୍ମୀମାନଙ୍କ ଦ୍ୱାରା ଉତ୍ପୀଡ଼ିତ ହୋଇ ମହାପ୍ରଭୁ ବିଲୁପ୍ତ ମଧୁ ସାଗର ନଦୀ ତୀର ଘୋର ଅରଣ୍ୟ ମଧ୍ୟରେ ଦୀର୍ଘ ଦିନ ଯାଏ ନିର୍ବାସିତ ହୋଇ ରହି ଥିଲେ l ପରବର୍ତ୍ତୀ କାଳରେ ଯଜ୍ଞସିଦ୍ଧ ବ୍ରାହ୍ମଣ ସିଦ୍ଧେଶ୍ୱର ମହାପାତ୍ର ପ୍ରଭୁଙ୍କଠାରୁ ସ୍ୱପ୍ନାଦେଶ ପାଇ ତାଙ୍କୁ ଉଦ୍ଧାର କରି ଥିଲେ l ସେ ଉକ୍ତ ମଣି ବିଗ୍ରହକୁ ପାଟଶାଢ଼ୀରେ ଗୁଡ଼ାଇ ନିଜ ଘରେ ରଖି ଥିଲେ l ଏହିଭଳି ଗୁପ୍ତ ଭାବରେ ମହାପ୍ରଭୁ ଥିବାରୁ କ୍ଷେତ୍ରର ନାମ ଗୁପ୍ତ କ୍ଷେତ୍ର ହୋଇଛି l
ଦ୍ୱାପର ଯୁଗରେ ଧେନୁକା ଦୈତ୍ୟକୁ ତାଳ ବଣ ମଧ୍ୟରେ ବିନାଶ କରିବା ପାଇଁ ବଳରାମଙ୍କୁ ବ୍ରହ୍ମା ଯେଉଁ ରଥ ଦେଇ ଥିଲେ ତା’ର ଧ୍ଵଜାରେ ତାଳ ଚିହ୍ନ ଥିବାରୁ ପ୍ରଭୁଙ୍କ ରଥର ନାମ ତାଳଧ୍ୱଜ l ଶ୍ରୀ ବଳଦେବଙ୍କ ବିଗ୍ରହ ଦାରୁ ବିଗ୍ରହ ନ ହୋଇ ମଣି ବିଗ୍ରହ ବ୍ରହ୍ମ ହୋଇ ଥିବାରୁ, ତାଙ୍କ ରଥର ଅନ୍ୟ ନାମ ବ୍ରହ୍ମ ତାଳଧ୍ୱଜ ଏବଂ ତାଙ୍କର କ୍ଷେତ୍ରକୁ ବ୍ରହ୍ମ କ୍ଷେତ୍ର ବୋଲି କୁହାଯାଏ l ସେ ଚଉଦ ବ୍ରହ୍ମାଣ୍ଡର ଅଧିପତି ହୋଇଥବାରୁ ତାଙ୍କ ରଥର ଚକ ସଂଖ୍ୟା ଚଉଦ l ତାଙ୍କ ରଥର ସାରଥୀ ସୁଦ୍ୟୁମ୍ନ l ରଥ ସ୍ଥିତ ସିଂହାସନର ଭୂମିଠାରୁ ଉଚ୍ଚତା ସାଢ଼େ ବାର ଫୁଟ ଓ ରଥର ଉଚ୍ଚତା ପଞ୍ଚଷଠି ଫୁଟ l ବିଶ୍ୱର ଏହା ସବୁଠାରୁ ଉଚ୍ଚତମ ରଥ l ରଥ ରକ୍ଷକ ସେ ସ୍ୱୟଂ ବାସୁଦେବ ସଙ୍କର୍ଷଣ l
ଉପର ଆଲୋଚନାରୁ ପ୍ରତୀୟମାନ ହୁଏ ତୁଳସୀ କ୍ଷେତ୍ରରେ ଶ୍ରୀ ବଳଦେବ ଜୀଉ ପ୍ରାଚୀନ କାଳରୁ ବିଦ୍ୟମାନ ଅଛନ୍ତି ଏବଂ ଉତ୍କଳରେ ସଙ୍କର୍ଷଣ ଶ୍ରୀ ବଳଦେବଙ୍କ ପୂଜା ମଧ୍ୟ ଅତି ପ୍ରାଚୀନ lବାସୁଦେବ ଶ୍ରୀ ବଳଦେବଙ୍କ କଥା ଅସମ୍ପୂର୍ଣ୍ଣ ରହିବ ପୁରାଣ ଓ ଶାସ୍ତ୍ରମାନଙ୍କରେ ଥିବା ତାଙ୍କ କଥା ନକହିଲେ l
ତେବେ ଆସନ୍ତୁ ଜାଣିବା ସେହି କଥା l
ଶ୍ରୀ ବଳଦେବଙ୍କର ଶାସ୍ତ୍ର ମାନଙ୍କରେ ବହୁତ ନାମ ରହିଛି l ଅମର କୋଷରେ ଶ୍ରୀ ବଳଦେବଙ୍କ ନାମ ବର୍ଣ୍ଣନା କରି କୁହାଯାଇଛି :-
ବଳଭଦ୍ରହଃ ପ୍ରଳମ୍ବଘନୋ
ବଳଦେବ ଚ୍ୟୁତାତ୍ମଯହଃ l
ରେବତୀ ରମଣୋ ରାମଃ
କାମପାଳ ହଳାୟୁଧଃ ll
ନୀଳାମ୍ବର ରୋହିଣେୟଃ
ସ୍ଥାଲାଙ୍କୋ ମୁଷଳୀ ହଳି l
ଶଙ୍କର୍ଷଣ ଶିରପାଣିଃ କାଳିନ୍ଦୀ
ଭେଦନୋ ବଲଃ ll
ଉତ୍କଳର ମହାକବି ଜୟଦେବ ଗୀତଗୋବିନ୍ଦର ଦଶାବତାର ସ୍ତୋତ୍ରରେ ବଳଦେବଙ୍କୁ ଭଗବାନଙ୍କ ଅଷ୍ଟମ ଅବତାର ଭାବେ ବର୍ଣ୍ଣନା କରିଛନ୍ତି :-
ବହସି ବପୁସି ବିଶଦେ ବସନଂ ଜଳଦାଭମ୍
ହଳହତିଭୀତି ମିଳିତ ଯମୁନାଭମ୍
କେଶବ ଧୃତ ହଳଧର ରୂପ
ଜୟ ଜଗଦୀଶ ହରେ ll
ଭଗବାନଙ୍କ ଅବତାର ରୂପେ ବଳଦେବ ଦେବକୀ ମାତାଙ୍କ ସପ୍ତମ ଗର୍ଭରେ ଆବିର୍ଭୁତ ହୋଇଥିଲେ l ସେ ରହସ୍ୟ ଜନକ ଭାବେ ଯୋଗମାୟାଙ୍କ ମାୟା ବଳରେ ଯାଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ ହୋଇ ନନ୍ଦଗୃହରେ ଜନ୍ମ ହୋଇଥିଲେ l ଶ୍ରୀମଦ ଭାଗବତରେ ଶ୍ରୀବଳଦେବଙ୍କ ରହସ୍ୟମୟ ଜନ୍ମ ଉପାଖ୍ୟାନ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି ନିମ୍ନ ପଦାବଳୀରେ :-
ଏମନ୍ତେ ବରଷ ବରଷ l
ଛ ପୁତ୍ର କଲା କଂସ ନାଶ ll
ଦେଖିଣ ଦେବକୀ ବିକଳ l
ଦୟାସାଗର ଆଦିମୂଳ ll
ଅନନ୍ତ ରୂପ ଧରି ହରି l
ଦେବକୀ ଗର୍ଭେ ବିଜେ କରି ll
ଏ ରୂପେ ଅନନ୍ତ ପ୍ରକାଶ l
ଗର୍ଭେ ହୋଇଲେ ଅଷ୍ଟମାସ ll
ଦେବକୀ ନିଜ ଦେହ ଚାହିଁ l
ବିକଳେ ନିଶ୍ୱାସ ଛାଡ଼ଇ ll
କେତେ ପାତକ କଲି ପୂର୍ବେ l
ପୁଣି ହୋଇଲା ଆସି ଗର୍ଭେ ll
ଦାଶବତ୍ସଳ ଭଗବାନ l
ଜାଣିଲେ ଦେଵକୀର ମନ ll
ଦୁର୍ଗାଙ୍କୁ ନିକଟେ ବସାଇ l
ବୋଲନ୍ତି ପ୍ରଭୁ ଭାବଗ୍ରାହୀ ll
ମଥୁରା କଂସ ବନ୍ଦୀଘରେ l
ମିଳିବୁ ପ୍ରଥମ ପ୍ରହରେ ll
ବନ୍ଦୀ କରିଛି କଂସ ରାଏ l
ଏକ ସାଙ୍କୋଳୀ ବେନି ପାୟେ ll
ବସୁଦେବଙ୍କୁ ଯେତେବେଳେ l
ଧରି ଆଣିଲା କଂସ ବେଳେ ll
ତାହାର ପତ୍ନୀ ନନ୍ଦ ଘରେ l
ଯାଇ ଲୁଚିଲା କଂସ ଡରେ ll
ରୋହିଣୀ ନାମ ବିଦ୍ୟମାନ l
ତାହାର ଗର୍ଭ ଅଛି ଶୂନ୍ୟ ll
ଦେବକୀ ଦେଵୀ ନିଦ୍ରା କାଳେ l
ଗର୍ଭ ହରିବୁ ଯୋଗ ବଳେ ll
ମିଳିବୁ ନନ୍ଦ ଘରେ ଯାଇ l
ରୋହିଣୀ ଗର୍ଭେ ତାହା ଥୋଇ ll
ଜନ୍ମିବୁ ଯଶୋଦା ଉଦରେ l
ମୁଁ ପୁଣି ଯିବି ମଞ୍ଚପୁରେ ll
****
ଦେବକୀ ଗର୍ଭୁ ତା ଆଣିବୁ l
ରୋହିଣୀ ଗର୍ଭରେ ଥୋଇବୁ ll
ତାହାଙ୍କ ନାମ ଶଙ୍କର୍ଷଣ l
ଲୋକରେ ହୋଇବ ପ୍ରମାଣ ll
ନାମ ହୋଇବ ବଳରାମ l
ବଳେ ନୋହିବେ କେହି ସମ ll
ସିଂହ ପୁର୍ଣ୍ଣମୀ ଦିନ ସାର l
ରୋହିଣୀ ପ୍ରସବେ କୁମର ll
ଧବଳ ଜ୍ୟୋତି ରୂପ ପୁଣି l
ଶିରେ ଶୋଭଇ ସପ୍ତଫଣୀ ll
******
ବ୍ୟାସକୃତ ସଂସ୍କୃତ ଭାଗବତର ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଅଣତିରିଶ ତମ ଶ୍ଳୋକରେ ଶ୍ରୀ ବଳଦେବଙ୍କ ବନ୍ଦନା କରି କୁହାଯାଇଛି :-
ନମସ୍ତେ ବାସୁଦେବାୟ ନମଃ ଶଙ୍କର୍ଷଣାୟା ଚ
ପ୍ରଦ୍ୟୁମ୍ନାନିରୁଦ୍ଧlୟ ତୁଲ୍ୟ ଭଗବତେ ନମଃll
ବ୍ୟାସଦେବ କୃତ ବ୍ରହ୍ମାଣ୍ଡପୁରାଣରେ ଶ୍ରୀବଳଭଦ୍ର, ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବନ୍ଦନା ନିମ୍ନlନୁସାରେ ପ୍ରଦତ୍ତ ଅଛି :-
ଧ୍ୟାୟେ ବ୍ରହ୍ମାଣ୍ଡ ନାଥଂ ଶୁଭ୍ରଧବଳ ତନୁ
ରତ୍ନ ସିଂହାସନସ୍ଥମ୍ l
ବାମେ ରୁଦ୍ରଦାତ୍ରୀ ରୁଚିରୁଚିରତରା
ଭାଗ୍ୟଦାତ୍ରୀ ସୁଭଦ୍ରା l
ତଦବାମେ ଜଗନ୍ନାଥ ନୀଳନୀରଦତନୁ
ଶଙ୍ଖଶୋଭିତ ପାଶୈ
ତୁଳସୀ ରେବତୀ ଦ୍ଵେ ଚିରବଶତୁଃ
ମଣିବିଗ୍ରହ ନମାମି ll
ଆଦିକବି ଶାରଳାଦାସ ବଳଦେବଙ୍କ ବନ୍ଦନା ଅତି ସୁନ୍ଦର ଭାବେ ଲେଖିଛନ୍ତି :-
ଜୟ ରୁଦ୍ର ଅବତାର ଜୟ ଦେବ ହଳି l
ଅନନ୍ତକୋଟି ବ୍ରହ୍ମାଣ୍ଡେ ତୁମ୍ଭେ ଏକା ବଳି ll
କୁରୁ ବିବାଦେ ଲଙ୍ଗଳେ ତାଡ଼ିଲ ହସ୍ତିନା l
ବଳଭାବେ ରଖି ଭବେ ଉଡ଼ାଉଛ ବାନା ll
ରତନର ଆବରଣ ଶିରେ ସପ୍ତଫଣୀ l
ଲଲାଟେ ଶୋହେ ତିମିର ବିଦାରିଣ ମଣି ll
ଅନନ୍ତ ଯୋଗ ଆସନ ଅଟଇ ତୁମ୍ଭର l
ତୁମ୍ଭର ଚରଣେ ଦେବ ଶତ ନମସ୍କାର ll
!!! ଓଁ ନମଃ ଭଗବତେ ବାସୁଦେବାୟଃ !!!
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ,
ରେବତୀ ରମଣ ହଳ ମୁଷଳ ଧାରଣ,
ତଵ ପାଦେ ହେ,
ଦୟିନୀ କରୁଛି ଅବସାଦେ ହେ !!!
🙏🙏🙏
ଅର୍ଜୁନୀ
*****
ଅର୍ଜୁନୀ ଚରଣ ବେହେରା
ମୋ -7693091971