ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଉଠା ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ବାରିପଦାରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଛି।ତେବେ ସୁବ୍ରତଙ୍କ ବିରୋଧରେ ଏହା ପ୍ରଥମ ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ନୁହେଁ। ଗତ ଜାନୁଆରୀରେ ୬୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ମଧ୍ୟ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏବେ ପୁଣି ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗିରଫ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଭିଜିଲାନ୍ସ ପକ୍ଷରୁ ମାମଲାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ସୁବ୍ରତଙ୍କ ସମ୍ପତ୍ତି ଓ ଆୟର ଅନ୍ୟାନ୍ୟ ଉତ୍ସ ସମ୍ପର୍କରେ ମଧ୍ୟ ଖୋଳତାଡ଼ କରାଯାଉଛି।