ଭୁବନେଶ୍ୱର : ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ରାଜ୍ୟ କ୍ୟାବିନେଟ୍ର ଐତିହାସିକ ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି। ମେଡ଼ିକାଲ, ଇଞ୍ଜିନିୟରିଂ, କୃଷି, ଅନ୍ୟାନ୍ୟ ଉଚ୍ଚ ଶିକ୍ଷା ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ପାଠ୍ୟକ୍ରମରେ ନାମଲେଖା ପାଇଁ ସଂରକ୍ଷଣ ସୀମା ବୃଦ୍ଧି ନିଷ୍ପତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ପ୍ରତିଭାମାନଙ୍କୁ ସ୍ୱପ୍ନକୁ ପୂରଣ କରିବା ଦିଗରେ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି କଲ୍ୟାଣକାରୀ ନିଷ୍ପତ୍ତି ପାଇଁ ଶ୍ରୀ ପ୍ରଧାନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶାର ମେଡ଼ିକାଲ, ଇଞ୍ଜିନିୟରି, କୃଷି ତଥା ଆନୁସଙ୍ଗିକ ପ୍ରଯୁକ୍ତିବିଦ୍ୟାଭିତ୍ତିକ ଶିକ୍ଷା ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁସୂଚିତ ଜନଜାତି (ଏସଟି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣକୁ ୧୨% ରୁ ୨୨.୫୦% ଏବଂ ଅନୁସୂଚିତ ଜାତି (ଏସି) ପାଇଁ ୮% ରୁ ୧୬.୨୫% କୁ ବୃଦ୍ଧି କରାଯାଇଛି । ରାଜ୍ୟରେ ପ୍ରଥମ ଥର ପାଇଁ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ (ଏସଇବିସି) ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୧.୨୫% ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ସାମାଜିକ ନ୍ୟାୟ ପ୍ରଦାନ କରିବା ମୋଦୀ ସରକାରଙ୍କ ଶାସନର ମୂଳମନ୍ତ୍ର। ସମାଜର ପ୍ରତ୍ୟେକ ବର୍ଗକୁ ସମାନ ସୁଯୋଗ, ଅଧିକାର ଓ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରାଥମିକତା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ସବକା ସାଥ୍, ସବକା ବିକାଶ’ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ସରକାରଙ୍କ ଏହି ନିଷ୍ପତ୍ତି ଡବଲ ଇଞ୍ଜିନ ସରକାରଙ୍କ ‘ଅନ୍ତ୍ୟୋଦୟ ସଂକଳ୍ପ’ ବା ସମାଜର ଶେଷ ଧାଡ଼ିରେ ଥିବା ବ୍ୟକ୍ତିଙ୍କ ବିକାଶ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏହି ଐତିହାସିକ ନିଷ୍ପତ୍ତି ସମାଜର ଅନ୍ତିମ ଶ୍ରେଣୀରେ ଥିବା ମେଧାବୀ ପ୍ରତିଭାମାନଙ୍କୁ ସଶକ୍ତ କରିବା ସହ ରାଜ୍ୟର ସାଧାରଣ ଗରିବ ପରିବାରର ଛାତ୍ରଛାତ୍ରୀଙ୍କ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ସ୍ୱପ୍ନକୁ ସାକାର କରିବାରେ ଏକ ପ୍ରମୁଖ ମାଧ୍ୟମ ହେବ।
ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ଗତ ଅଗଷ୍ଟ ୬, ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ର ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ମେଡିକାଲ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏସଇବିସି/ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ମେଡିକାଲ ଶିକ୍ଷାରେ ଏସସିମାନଙ୍କ ପାଇଁ ୧୬.୨୫% ଏବଂ ଏସଟିମାନଙ୍କ ପାଇଁ ୨୨.୫୦% କୁ ସଂରକ୍ଷଣ ବୃଦ୍ଧି କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏପ୍ରିଲ ୧୭, ୨୦୨୫ ତାରିଖରେ ମଧ୍ୟ ଶ୍ରୀ ପ୍ରଧାନ ଅନୁରୂପ ଭାବେ ଏସଇବିସି ଓ ଓବିସିଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ଦେବା ଉପରେ ଶ୍ରୀ ମାଝୀଙ୍କୁ ଚିଠି ଲେଖିଥିଲେ।
Comments are closed.