ବାଲେଶ୍ୱର, ୦୧ ନଭେମ୍ବର, (କୃଷ୍ଣ କୁମାର ମହାନ୍ତି) : ଓଡ଼ିଆ ସାହିତ୍ୟର ଗୌରବମୟ ପରମ୍ପରା, ବିଶିଷ୍ଟ ସ୍ରଷ୍ଟା ମନୋଜ ଦାସଙ୍କ ସାରସ୍ୱତ ସାଧନା ଏବଂ ସମକାଳୀନ ସାହିତ୍ୟର ନୂତନ ସୃଷ୍ଟିକୁ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ସାହିତ୍ୟ ଅକାଦେମିର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୩୦ ଓ ୩୧ ତାରିଖରେ ଦୁଇଦିନିଆ ସାହିତ୍ୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି।
ପ୍ରଥମ ଦିନରେ ‘ମନୋଜ ଦାସ : ବ୍ୟକ୍ତି ଓ କୃତି’ ଶୀର୍ଷକ ଆଲୋଚନାଚକ୍ରରେ ବିଶିଷ୍ଟ ସାହିତ୍ୟିକଙ୍କ ଜୀବନଦର୍ଶନ, ସାହିତ୍ୟ ସାଧନା ଓ ସୃଜନଶୀଳ ଅବଦାନ ଉପରେ ଗଭୀର ଆଲୋଚନା ହୋଇଥିଲା। ଉଦ୍ଘାଟନୀ ଅଧିବେଶନରେ ସାହିତ୍ୟ ଅକାଦେମିର କୋଲକାତାସ୍ଥିତ ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଅଗ୍ରୱାଲା ପ୍ରାରମ୍ଭିକ ସୂଚନା ଦେଇଥିଲେ। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଅଧିବେଶନକୁ ଉଦ୍ଘାଟନ କରିଥିଲେ। ବିଶିଷ୍ଟ ସାହିତ୍ୟିକ କାଳୀଦାସ ମିଶ୍ର ମୁଖ୍ୟ ଅତିଥି ଏବଂ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଦେବାଶିଷ ପାତ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ। ସାହିତ୍ୟ ଅକାଦେମିର ଓଡ଼ିଆ ପରାମର୍ଶଦାତା ମଣ୍ଡଳୀର ଆବାହକ ଗୌରହରି ଦାସ ଅଧ୍ୟକ୍ଷତା କରି ମନୋଜ ଦାସଙ୍କ ଅନନ୍ୟ ବ୍ୟକ୍ତିତ୍ୱ ଓ ସାହିତ୍ୟକୃତି ସମ୍ପର୍କରେ ମତ ରଖିଥିଲେ।
ପରବର୍ତ୍ତୀ ବୈଷୟିକ ଅଧିବେଶନଗୁଡ଼ିକରେ ପ୍ରବୀଣା ମହାନ୍ତି ଓ ସୁଭାଷ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଅରବିନ୍ଦ ରାୟ, ଅରୁଣ କୁମାର ସାହୁ, ମନୋଜ କୁମାର ପଣ୍ଡା, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଓ ସୈରିନ୍ଧ୍ରୀ ସାହୁ ପ୍ରମୁଖ ଗବେଷଣାମୂଳକ ସନ୍ଦର୍ଭ ଉପସ୍ଥାପନ କରିଥିଲେ।
ଦ୍ୱିତୀୟ ଦିନରେ ‘ଓଡ଼ିଆ ସାହିତ୍ୟର ନୂତନ ସୃଷ୍ଟି’ ଶୀର୍ଷକ ଆଲୋଚନାଚକ୍ରରେ ସମକାଳୀନ ଓଡ଼ିଆ ସାହିତ୍ୟର ପରିବର୍ତ୍ତନ, ନୂତନ ଚିନ୍ତାଧାରା ଓ ସୃଜନଶୀଳ ଧାରା ଉପରେ ବିଚାର ବିମର୍ଶ ହୋଇଥିଲା। ମୁଖ୍ୟ ଅତିଥି ସାହିତ୍ୟିକ ତଥା ସମାଲୋଚକ ଦିଲୀପ କୁମାର ସ୍ୱାଇଁ ଓଡ଼ିଆ ସାହିତ୍ୟର ଇତିହାସ ଓ ବିକାଶ ଉପରେ ଆଲୋକପାତ କରି ସାହିତ୍ୟର ପରିବର୍ତ୍ତନଶୀଳ ସ୍ୱରୂପକୁ ଏହାର ଏକ ବିଶେଷ ଗୁଣ ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଲେଖକ ଉଦୟ ନାରାୟଣ ଦାସ ଗଳ୍ପ ସାହିତ୍ୟରେ ମଣିଷ ଜୀବନର ପ୍ରତିଫଳନ ଓ ନୂତନ ଗଳ୍ପ ସୃଷ୍ଟିର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ।

ସାହିତ୍ୟ ଅକାଦେମିର ଓଡ଼ିଆ ପରାମର୍ଶଦାତା ମଣ୍ଡଳୀର ଆବାହକ ତଥା ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଅଧ୍ୟକ୍ଷତା କରି ଓଡ଼ିଆ ସାହିତ୍ୟର ଗତ ଚାରି ଦଶନ୍ଧିର ଯାତ୍ରା ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ସହ ଯୁବପିଢ଼ିଙ୍କ ହାତରେ ଓଡ଼ିଆ ସାହିତ୍ୟର ଭବିଷ୍ୟତ ନ୍ୟସ୍ତ ବୋଲି କହିଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଉଦ୍ଘାଟନୀ ଅଭିଭାଷଣରେ ସ୍ଥାନ, କାଳ, ପାତ୍ର, ଅନୁଭବ ଓ ଅନୁଭୂତିକୁ ସାହିତ୍ୟ ସୃଷ୍ଟିର ପ୍ରମୁଖ ଆଧାର ବୋଲି ଉଲ୍ଲେଖ କରିଥିଲେ। ସାହିତ୍ୟ ଅକାଦେମିର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଫେସର ଦେବାଶିଷ ପାତ୍ର ବିଷୟ ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ।
ଏହି ଦିନ କଥାସାହିତ୍ୟ ଓ କବିତା ଉପରେ ଆୟୋଜିତ ଅଧିବେଶନରେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ କଥାକାର ହିରଣ୍ମୟୀ ମିଶ୍ର, କବି କୃଷ୍ଣକୁମାର ମହାନ୍ତି ଓ ସମାଲୋଚକ ସ୍ୱପ୍ନାରାଣୀ ସିଂହ ନିଜସ୍ୱ ମତ ରଖିବା ସହ ସନ୍ଦର୍ଭ ପାଠ କରିଥିଲେ। ଉପନ୍ୟାସ ସମ୍ପର୍କିତ ଅଧିବେଶନରେ ଲକ୍ଷ୍ମୀକାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଲେଖକ ଅଞ୍ଜନ ଚାନ୍ଦ ଓ ଅଭୟ ଦାସ ଆଲୋଚନାରେ ଭାଗ ନେଇଥିଲେ।
ଦୁଇଦିନିଆ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ‘ଅସ୍ମିତା’ କାର୍ଯ୍ୟକ୍ରମ। ଗୌରହରି ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନରେ କୁଳପତି ପ୍ରଫେସର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଐଶ୍ୱର୍ଯ୍ୟା ରାଉତ, ଭୁବନେଶ୍ୱରୀ ପଣ୍ଡା, ଗୌରୀ ସାହୁ, ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଓ ସ୍ୱପ୍ନଜିତା ଶଙ୍ଖୁଆ ପ୍ରମୁଖ ନିଜସ୍ୱ କବିତା ଓ କ୍ଷୁଦ୍ରଗଳ୍ପ ପାଠ କରିଥିଲେ। ଏହା ମାଧ୍ୟମରେ ମହିଳା ଲେଖିକାଙ୍କ ସୃଜନଶୀଳତା ଓ ସାହିତ୍ୟିକ ଅଭିବ୍ୟକ୍ତିକୁ ଏକ ସ୍ୱତନ୍ତ୍ର ମଞ୍ଚ ମିଳିଥିଲା।
ଏହି ଦୁଇଦିନିଆ ଆଲୋଚନାଚକ୍ର ଓଡ଼ିଆ ସାହିତ୍ୟର ଅତୀତର ଗୌରବ, ବର୍ତ୍ତମାନର ସୃଜନଶୀଳତା ଓ ଭବିଷ୍ୟତର ସମ୍ଭାବନାକୁ ଏକାଠି କରିବା ସହ ବିଶିଷ୍ଟ ସ୍ରଷ୍ଟାଙ୍କ ସାହିତ୍ୟକୃତି ଓ ନୂତନ ପିଢ଼ିର ଲେଖନୀ ମଧ୍ୟରେ ଏକ ସୁନ୍ଦର ସେତୁ ସୃଷ୍ଟି କରିଥିଲା। ଏଥିରେ ବହୁ ସାହିତ୍ୟିକ, ଅଧ୍ୟାପକ, ଗବେଷକ, ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।