ବାଲେଶ୍ୱର, ନଭେମ୍ବର ୧ (କୃଷ୍ଣ କୁମାର ମହାନ୍ତି): ରାଜ୍ୟରେ କ୍ରୀଡ଼ା ପ୍ରତିଭା ଚିହ୍ନଟ କରିବା ସହ ଯୁବ କ୍ରୀଡ଼ାବିତ୍ମାନଙ୍କୁ ଉପଯୁକ୍ତ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଆୟୋଜିତ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ କପ୍-୨୦୨୬। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାରେ ଚାରିଟି କ୍ରୀଡ଼ା ବିଭାଗରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।
ବାଲେଶ୍ୱର ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଅକ୍ଟୋବର ୩୧ ତାରିଖରେ ଏକ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦିଆଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ, ରାଜ୍ୟ ଫୁଟବଲ୍ ସଂଘ, ଖୋଖୋ ସଂଘ, କବାଡ଼ି ସଂଘ, ଭଲିବଲ୍ ସଂଘ ଏବଂ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଆୟୋଜିତ ହେବ।
ଏହି ପ୍ରତିଯୋଗିତାରେ ଫୁଟବଲ୍, ଖୋଖୋ ଓ ଭଲିବଲ୍ରେ ୧୪ ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ଏବଂ କବାଡ଼ିରେ ୧୭ ବର୍ଷରୁ କମ୍ ବୟସର କ୍ରୀଡ଼ାବିତ୍ମାନେ ଭାଗ ନେଇପାରିବେ। ଆସନ୍ତା ନଭେମ୍ବର ୩୦ ତାରିଖରୁ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବାକୁ ଥିବାବେଳେ ଅଂଶଗ୍ରହଣକାରୀ ଖେଳାଳିମାନଙ୍କୁ ନିର୍ଦ୍ଧାରିତ ବୟସ ସୀମା ଓ ଜନ୍ମତାରିଖ ସମ୍ପର୍କିତ ନିୟମ ପୂରଣ କରିବାକୁ ପଡ଼ିବ।
ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଆଗ୍ରହୀ ଖେଳାଳିମାନେ ନଭେମ୍ବର ୧୪ ତାରିଖ ସୁଦ୍ଧା ପଞ୍ଜୀକରଣ ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆହ୍ୱାନ ଦିଆଯାଇଛି।
ଏହି ପ୍ରତିଯୋଗିତାରେ ସଫଳତା ହାସଲ କରୁଥିବା ଖେଳାଳିମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ସୁଯୋଗ ମିଳିବ। ଏହା ମାଧ୍ୟମରେ ଜିଲ୍ଲାରୁ ନୂତନ କ୍ରୀଡ଼ା ପ୍ରତିଭା ଚିହ୍ନଟ ହେବା ସହ ରାଜ୍ୟସ୍ତରରେ ବାଲେଶ୍ୱରର କ୍ରୀଡ଼ା ପ୍ରତିନିଧିତ୍ୱକୁ ସୁଦୃଢ଼ କରିବାର ଆଶା ରହିଛି। ତେଣୁ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, କ୍ଲବ୍ ଓ ଅନୁଷ୍ଠାନର ଖେଳାଳିମାନେ ଏହି ସୁଯୋଗର ସଦୁପଯୋଗ କରିବାକୁ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ର କାର୍ଯ୍ୟକାରୀ ସଭାପତି ଅଭୟ ମହାପାତ୍ର ଅନୁରୋଧ କରିଛନ୍ତି।