ବନ୍ୟା କ୍ଷତିପୂରଣ ଘୋଷଣା କଲେ ସରକାର,

0

ଭୁବନେଶ୍ବର: ବାତ୍ୟା ଅର୍ଣ୍ଣବ ଦ୍ବାରା ପ୍ରଭାବିତ ପ୍ରତ୍ୟେକ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨୫୦୦ ଟଙ୍କା ଅନୁଗ୍ରହ ମୂଳକ ସହାୟତା ପ୍ରଦାନ କରାଯିବ। ସେହିପରି ବିଭିନ୍ନ ପ୍ରକାର ଫସଲ ନଷ୍ଟ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ। ଯେଉଁଠାରେ ୩୩% କିମ୍ବା ତା’ଠାରୁ ଅଧିକ ଫସଲ ହାନି ହୋଇଛି, ସେଠାରେ ଇଚ୍ଛୁକ ଚାଷୀଙ୍କ ପାଇଁ ସ୍ୱଳ୍ପମିଆଦି ଖରିଫ ଋଣକୁ ମଧ୍ୟମ ମିଆଦି ଋଣରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏସ୍‌ଆରସିଙ୍କ କାର୍ଯ୍ୟାଳୟରେ ବାତ୍ୟା ଅର୍ଣ୍ଣବ ଓ ତା’ର ପରବର୍ତ୍ତୀ ପରିସ୍ଥିତିରେ ରିଲିଫ, ପୁନଃନିର୍ମାଣ ଓ କ୍ଷୟକ୍ଷତି ଆକଳନ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବା ପରେ ପ୍ରଭାବିତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏଥିସହ ବାତ୍ୟା ‘ମୁରାସୁ’ ପାଇଁ ଯେଉଁ ଟିମ୍ ଯେଉଁଠି ମୁତୟନ ଅଛନ୍ତି, ସେଠାରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଛନ୍ତି; ୩୩% ଏବଂ ତା’ଠାରୁ ଅଧିକ ଫସଲ ହାନି ସହିଥିବା ସମସ୍ତ ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ଇନ୍‌ପୁଟ୍‌ ସବସିଡି ପ୍ରଦାନ କରାଯିବ। ଅଣ-ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୮,୫୦୦ ଟଙ୍କା, ଜଳସେଚିତ ଅଞ୍ଚଳରେ ୧୭,୦୦୦ ଟଙ୍କା ଏବଂ ବାରମାସୀ ଫସଲ ପାଇଁ ହେକ୍ଟର ପିଛା ୨୨,୫୦୦ ଟଙ୍କା ସହାୟତା ଦିଆଯିବ। ବାରମାସୀ ଫସଲ ପାଇଁ ସର୍ବନିମ୍ନ ଇନ୍‌ପୁଟ ସହାୟତା ୨୫୦୦ଟଙ୍କା, ଜଳସେଚିତ ଅଞ୍ଚଳ ପାଇଁ ୨୦୦୦ ଟଙ୍କା ଏବଂ ଅଣ-ଜଳସେଚିତ ଅଞ୍ଚଳ ପାଇଁ ସବନିମ୍ନ ୧୦୦୦ ଟଙ୍କା ଦିଆଯିବ। ସେହିପରି ଜମିରୁ ବାଲି କିମ୍ବା ପଟୁ ମାଟି ହଟାଇବା ପାଇଁ ହେକ୍ଟର ପିଛା ୧୮,୦୦୦ ଟଙ୍କା ହାରରେ ସହାୟତା ପ୍ରଦାନ କରାଯିବ ଏବଂ ଏ ବାବଦରେ ପ୍ରତ୍ୟେକ ଚାଷୀଙ୍କୁ ୨,୨୦୦ ଟଙ୍କାର ସର୍ବନିମ୍ନ ସହାୟତା ରାଶି ଦିଆଯିବ। ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଚାଷୀଙ୍କୁ ୧,୨୦,୦୦୦ ସଂଖ୍ୟକ ଡାଲି ଜାତୀୟ ମିନିକିଟ୍, ୫,୦୦୦ ତୈଳବୀଜ ଏବଂ ୫୦,୦୦୦ ପନିପରିବା ମଞ୍ଜି କିଟ୍‌ ଦିଆଯିବ। ସର୍ବମୋଟ ୧,୭୫,୦୦୦ ସ୍ୱତନ୍ତ୍ର ମିନିକିଟ୍ ଯୋଗାଇ ଦିଆଯିବ। ଆଖୁ ଚାଷ ହେଉଥିବା ୨,୦୦୦ ହେକ୍ଟର ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ ସ୍ପେସ୍ ଟ୍ରାନ୍ସପ୍ଲାଣ୍ଟିଂ ପଦ୍ଧତି ପ୍ରଦର୍ଶନ ପାଇଁ ହେକ୍ଟର ପିଛା ୨୭,୫୦୦ ଟଙ୍କା କିମ୍ବା ରେଟୁନ୍ ଫସଲ ପରିଚାଳନା ପାଇଁ ହେକ୍ଟର ପିଛା ୧୨,୫୦୦ ଟଙ୍କା ହାରରେ ସ୍ୱତନ୍ତ୍ର ସହାୟତା ପ୍ରଦାନ କରାଯିବ। ରବି ଋତୁ ୨୦୨୬-୨୭ ସମୟରେ କୀଟନାଶକ ଏବଂ ଜୈବ-କୀଟନାଶକ ଉପରେ ୭୫% ସବ୍‌ସିଡିର ବ୍ୟବସ୍ଥା କରାଯିବ। ଚଳିତ ରବି ଋତୁରେ ସର୍ବାଧିକ ସଂଖ୍ୟକ ଭାଗଚାଷୀ, ଭୂମିହୀନ ଚାଷୀ କିମ୍ବା ମୌଖିକ ଚୁକ୍ତିରେ ଚାଷ କରୁଥିବା ଚାଷୀଙ୍କୁ ଋଣ ପ୍ରଦାନ କରିବା ପାଇଁ ଜଏଣ୍ଟ ଲାଏବିଲିଟି ଗ୍ରୁପ୍ ଗଠନ କରାଯିବ।
ଯେଉଁ ଘରଗୁଡ଼ିକ ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ସେଠାରେ ସମତଳ ଅଞ୍ଚଳ ପାଇଁ ୧,୨୦,୦୦୦ ଟଙ୍କା ଏବଂ ପାର୍ବତ୍ୟ ଅଞ୍ଚଳ ପାଇଁ ୧,୩୦,୦୦୦ ଟଙ୍କା ହିସାବରେ ସହାୟତା ମିଳିବ। ଆଂଶିକ କ୍ଷତିଗ୍ରସ୍ତ ପକ୍କା ଘର ପାଇଁ ୬୫୦୦ ଟଙ୍କା ଏବଂ ଆଂଶିକ କ୍ଷତିଗ୍ରସ୍ତ କଚ୍ଚା ଘର ପାଇଁ ୪୦୦୦ ଟଙ୍କା ସହାୟତା ଦିଆଯିବ। କ୍ଷତିଗ୍ରସ୍ତ କୁଡ଼ିଆ ଘର ପାଇଁ ୮୦୦୦ଟଙ୍କା ଓ ଗୁହାଳ ପାଇଁ ୩,୦୦୦ ଟଙ୍କା ସହାୟତା ମିଳିବ।

ଯେଉଁ ପରିବାରଗୁଡ଼ିକର ଘର ଭାସିଯାଇଛି କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କିମ୍ବା ଦୁଇ ଦିନରୁ ଅଧିକ ସମୟ ଧରି ଜଳମଗ୍ନ ହୋଇ ରହିଛି, ସେହି ପରିବାରଗୁଡ଼ିକୁ ପୋଷାକ ପତ୍ର ପାଇଁ ୨,୫୦୦ ଟଙ୍କା ଏବଂ ବାସନକୁସନ ପାଇଁ ୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ପ୍ରାଣୀ ସମ୍ପଦ କ୍ଷତିପୂରଣ ବାବଦରେ ଗୃହପାଳିତ ପ୍ରାଣୀ ହରାଇଥିବା ଚାଷୀଙ୍କୁ ଦୁଧିଆଳି ଗାଈ, ମଇଁଷି ଆଦି ପ୍ରାଣୀର ମୃତ୍ୟୁ ପାଇଁ ୩୭,୫୦୦ ଟଙ୍କା ଏବଂ ମେଣ୍ଢା, ଛେଳି, ଘୁଷୁରି ପାଇଁ ୪,୦୦୦ ଟଙ୍କା ପ୍ରଦାନ କରାଯିବ। ସେହିପରି ଭାରବାହୀ ପଶୁ ଯଥା ଓଟ, ଘୋଡ଼ା, ବଳଦ ଇତ୍ୟାଦି ପାଇଁ ୩୨,୦୦୦ ଟଙ୍କା ଏବଂ ଛୋଟ ଭାରବାହୀ ପଶୁ ଯଥା ବାଛୁରୀ, ଗଧ, ଟଟୁ ଘୋଡ଼ା, ଖଚର ଆଦି ପାଇଁ ୨୦,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। କୁକୁଡ଼ା ପିଛା ୧୦୦ ଟଙ୍କା ଭାବରେ ସର୍ବାଧିକ ୧୦,୦୦୦ ଟଙ୍କା ପ୍ରଦାନ କରାଯିବ। ୧,୦୦୦ ଜଣ ଚାଷୀଙ୍କୁ ଛେଳି କିମ୍ବା ବଳଦ ଆଦି ଯୋଗାଇ ଦେବାରେ ସହାୟତା କରିବା ପାଇଁ ସବ୍‌ସିଡି ପ୍ରଦାନ କରାଯିବ। ପ୍ରଭାବିତ ଅଞ୍ଚଳର ୫,୦୦୦ ଜଣ ଦୁଗ୍ଧ ଚାଷୀଙ୍କୁ ପ୍ରାଣୀ ପିଛା ୧୦୦ କିଲୋଗ୍ରାମ ହିସାବରେ ସର୍ବାଧିକ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଗୋ-ଖାଦ୍ୟ ଯୋଗାଇ ଦିଆଯିବ। ୭୦ ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ୨୦୦ କୁକୁଡ଼ା ଫାର୍ମକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ପୁନରୁଦ୍ଧାର ପାଇଁ ସହାୟତା ପ୍ରଦାନ କରାଯିବ। ସେହିପରି କ୍ଷତିଗ୍ରସ୍ତ ମାଛ ଚାଷୀଙ୍କ ପାଇଁ ହେକ୍ଟର ପିଛା ୧,୧୨,୫୦୦ ଟଙ୍କା ହାରରେ ୭୫% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୨୨,୫୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ସାମୁଦ୍ରିକ ଏବଂ ଚିଲିକା ମତ୍ସ୍ୟଜୀବୀଙ୍କୁ ସମ୍ପୂର୍ଣ୍ଣ ଏବଂ ଆଂଶିକ କ୍ଷତିଗ୍ରସ୍ତ ଡଙ୍ଗା ପାଇଁ ୬୦,୦୦୦ ଟଙ୍କା ଏବଂ ଜାଲ ପାଇଁ ୧୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ। ଯେଉଁ ମାଛ ଚାଷୀଙ୍କର ପୋଖରୀ ବନ୍ଧ ଭାଙ୍ଗିଯାଇଛି କିମ୍ବା ମାଟି କ୍ଷୟ ହୋଇଛି ସେମାନଙ୍କୁ ସହାୟତା ପ୍ରଦାନ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଲିଜ୍ ସୂତ୍ରରେ ନିଆଯାଇଥିବା କମ୍ୟୁନିଟି ପୋଖରୀ ପାଇଁ ମଧ୍ୟ ସହାୟତା ଦିଆଯିବ। ହେକ୍ଟର ପିଛା ସର୍ବାଧିକ ୧,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଦିଆଯିବ। କ୍ଷତିଗ୍ରସ୍ତ ଛୋଟ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ), ବ୍ୟବସାୟୀ ଓ ଦୋକାନୀଙ୍କୁ ସର୍ବାଧିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ଯୋଗାଇ ଦିଆଯିବ। ଏହି ଋଣରେ ସର୍ବାଧିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୫ ପ୍ରତିଶତ ସବ୍‌ସିଡି ଦିଆଯିବ। ଉଠା ଦୋକାନୀ, ଅସ୍ଥାୟୀ ଷ୍ଟଲ କିମ୍ବା କିଓସ୍କ ପାଇଁ ୧୦,୦୦୦ ଟଙ୍କା ଏବଂ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ପାଇଁ ୨୫,୦୦୦ ଟଙ୍କା ସହାୟତା ଦିଆଯିବ। ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ସମସ୍ତ ଯୋଗ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦୦୦ ଟଙ୍କାର ଅତିରିକ୍ତ ସିଡ୍ ମନି ପ୍ରଦାନ କରାଯିବ। ହସ୍ତଶିଳ୍ପ, ହସ୍ତତନ୍ତ କ୍ଷେତ୍ର ଅଧୀନରେ, ବୁଣାକାର ଓ କାରିଗରଙ୍କୁ ସେମାନଙ୍କ ଯନ୍ତ୍ରପାତି ଓ ଉପକରଣ ବଦଳାଇବା ପାଇଁ ବ୍ୟକ୍ତି ପିଛା ୫,୦୦୦ ଟଙ୍କା ଏବଂ ସାମଗ୍ରୀ ନଷ୍ଟ ପାଇଁ କାରିଗର ପିଛା ୫,୦୦୦ ଟଙ୍କା ସହାୟତା ପ୍ରଦାନ କରାଯିବ।

ପ୍ରଭାବିତ ରେଶମ ଚାଷୀଙ୍କ ମଧ୍ୟରୁ ଏରି, ମଲବେରୀ, ଟସର ଚାଷୀଙ୍କୁ ହେକ୍ଟର ପିଛା ୬,୦୦୦ ଟଙ୍କା ଏବଂ ମୁଗା ଚାଷୀଙ୍କୁ ହେକ୍ଟର ପିଛା ୭୫୦୦ ଟଙ୍କା ଇନପୁଟ ସହାୟତା ଦିଆଯିବ। ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପାଳନ ଗୃହଗୁଡ଼ିକ ପାଇଁ ପ୍ରଭାବିତ ରେଶମ ଚାଷୀଙ୍କୁ ୧,୭୫,୦୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ଏହା ସହିତ ଓଡ଼ିଶା ଉଠା ଜଳସେଚନ ନିଗମ, ସମସ୍ତ ପ୍ରଭାବିତ ଗ୍ରାମଗୁଡ଼ିକରେ ପ୍ରାଥମିକତା ଭିତ୍ତିରେ ଉଠା ଜଳସେଚନ ପଏଣ୍ଟଗୁଡ଼ିକର ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ। ରବି ଋତୁ ପୂର୍ବରୁ ସମସ୍ତ ଉଠା ଜଳସେଚନ ପଏଣ୍ଟଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.